କୋହଲି ସର୍ବକାଳୀନ ‌ଶ୍ରେଷ୍ଠ ଦିନିକିଆ ଖେଳାଳି ଭାବେ ଅବସର ନେବେ: ଫିଞ୍ଚ୍

କୋହଲିଙ୍କ ସମସାମୟିକ ଥିବାରୁ ଭାଗ୍ୟବାନ ମଣୁଛି: ୱିଲିୟମସନ୍

ସିଡ୍‌ନି: ବିରାଟ କୋହଲି ନା ଷ୍ଟିଭେନ୍ ସ୍ମିଥ୍, କ୍ରିକେଟ୍‌ର ସବୁ ଫର୍ମାଟ୍‌ରେ ସଂପ୍ରତି କିଏ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍? ଏନେଇ ଢେର କିଛି ଦିନ ହେବ ତର୍କ ବିତର୍କ ଜାରି ରହିଛି। ଏସବୁ ଆଲୋଚନାରୁ ଦୂରେଇ ରହି ଉଭୟ ସ୍ମିଥ୍ ଓ କୋହଲି କିନ୍ତୁ କୀର୍ତ୍ତିମାନ ପରେ କୀର୍ତ୍ତିମାନ କରିଚାଲିଛନ୍ତି। ଉଭୟଙ୍କୁ ନିକଟରୁ ଦେଖିଥିବା ଅଷ୍ଟ୍ରେଲିଆ ସୀମିତ ଓଭର ଦଳର ଅଧିନାୟକ ଆରୋନ୍ ଫିଞ୍ଚ୍ ଟେଷ୍ଟ୍ କ୍ରିକେଟ୍‌ର ଅପ୍ରତିଦ୍ବନ୍ଦ୍ବୀ ତାରକା ଭାବେ ସ୍ମିଥ୍‌ଙ୍କୁ ବାଛିଛନ୍ତି। ହେଲେ ଦିନିକିଆ କ୍ରିକେଟ୍ କଥା ପଡ଼ିଲେ କୋହଲି ସମସ୍ତଙ୍କ ଆଗରେ ରହିବେ, ଏପରିକି ସେ ଅବସର ନେଲାବେଳକୁ ଏକଦିବସୀୟ କ୍ରିକେଟ୍‌ର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହୋଇଯାଇଥିବେ ବୋଲି ଫିଞ୍ଚ୍ ମତ ପ୍ରକାଶ କରିଛନ୍ତି। ‘‘ ଟେଷ୍ଟ୍ କ୍ରିକେଟ୍‌ରେ କୋହଲି ଓ ସ୍ମିଥ୍‌ ଉଭୟ ଘରେ ଓ ବାହାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦୁଇ ବର୍ଷ ତଳେ ଇଂଲଣ୍ଡରେ ଜେମ୍ସ ଆଣ୍ଡରସନଙ୍କ ବିରୋଧରେ କୋହଲି ସଂଘର୍ଷ କରିଥିଲେ। ଏହା ପରେ ସେ ୨୦୧୮ରେ ସେଠାକୁ ଫେରି ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲେ।

ଅନ୍ୟ ପକ୍ଷରେ ସତ କହିବାକୁ ଗଲେ ସ୍ମିଥ୍ କୌଣସି ସ୍ଥାନ‌ କିମ୍ବା ଦେଶରେ ସଂଘର୍ଷ କରିନାହାନ୍ତି। ସେ ଜଣେ ଅବିଶ୍ବସନୀୟ ଟେଷ୍ଟ୍ ଖେଳାଳି। ନିଜ ଦେଶରେ ଆଧିପତ୍ୟ ବିସ୍ତାର କରିବା ଗୋଟିଏ କଥା, ହେଲେ ବିଶ୍ବ ସାରା ଏହି ଧାରାକୁ ଜାରି ରଖିବା ନିଶ୍ଚିତ ଭାବେ ଅସାଧାରଣ କଥା। ଉଭୟ ସ୍ମିଥ୍ ଓ କୋହଲି କିନ୍ତୁ ଏହା କରି ଦେଖାଇଛନ୍ତି’’ ବୋଲି ଫିଞ୍ଚ୍ ରବିବାର ଦେଇଥିବା ଏକ ସାକ୍ଷାତକାର ଅବସରରେ କହିଛନ୍ତି। ସୂଚନାଯୋଗ୍ୟ ଯେ ସ୍ମିଥ୍ ଏବେ ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ମାନ୍ୟତାର ପ୍ରଥମ ସ୍ଥାନରେ ଥିଲା ବେଳେ କୋହଲି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏଥିନେଇ ଫିଞ୍ଚ୍‌ ଭାବନ୍ତି, ଲମ୍ବା ଫର୍ମାଟ୍ ଅର୍ଥାତ୍ ଟେଷ୍ଟ୍ କ୍ରିକେଟ୍‌ରେ କୋହଲିଙ୍କଠାରୁ ସ୍ମିଥ୍‌ଙ୍କ ପଲ୍ଲା ସାମାନ୍ୟ ଭାରି ରହିଛି। ‘‘କୋହଲି ସମ୍ଭବତଃ ଏମିତି ୱିକେଟ୍‌ରେ ଖେଳିଛନ୍ତି, ଯାହା କମ୍ ସମୟ ଭିତରେ ଖରାପ ହୋଇଥାଏ, ବଲ୍ ଶୀଘ୍ର ଘୂରିବା ଆରମ୍ଭ କରେ ଏବଂ ବଲ୍ ଆଶାଠାରୁ ମନ୍ଥର ଗତିରେ ବ୍ୟାଟ୍‌କୁ ଆସିଥାଏ। ସ୍ମିଥ୍ ଟେଷ୍ଟ୍ କ୍ରିକେଟ୍‌ରେ ଅବିଶ୍ବସନୀୟ ବ୍ୟାଟିଂ କରନ୍ତି, ମୁଁ ଭାବୁଛି ତାଙ୍କ ଖେଳ ଯୋଜନା ମଧ୍ୟ ଅତି ଭଲ’’ ବୋଲି ଫିଞ୍ଚ୍ କହିଛନ୍ତି। ତେବେ ଦିନିକିଆ କ୍ରିକେଟ୍ କଥା ଆସିଲେ କୋହଲି ଯେ ସ୍ମିଥ୍‌ଙ୍କଠାରୁ ବହୁତ ଉପରେ ରହିବେ ତାହା ଫିଞ୍ଚ୍‌ ସ୍ପଷ୍ଟ କରିଦେଇଛନ୍ତି। ‘‘ମୁଁ ଭାବୁଛି ବିରାଟ ଖେଳ ଶେଷ କଲାବେଳକୁ ଦିନିକିଆର ସର୍ବଶ୍ରେଷ୍ଠ କ୍ରିକେଟର ହୋଇସାରିଥିବେ। ତାଙ୍କ ବିପକ୍ଷରେ ଖେଳିବା ଅତ୍ୟନ୍ତ କଷ୍ଟକର, ହେଲେ ବହୁତ ସୁନ୍ଦର। ଶ୍ରେଷ୍ଠଙ୍କ ଭିତରେ ଶ୍ରେଷ୍ଠଙ୍କ ବିପକ୍ଷରେ ଖେଳିଲା ଭଳି ଲାଗେ। ବିରାଟ, ରୋହିତ, ଡେଭିଡ୍ ୱାର୍ନର ଅଥବା କେନ୍ ୱିଲିୟମସନ୍, ଯେତେବେଳେ ସେମାନେ ପୂରା ଫର୍ମରେ ଥାଆନ୍ତି, ସେମାନଙ୍କ ‌ଖେଳ ଦେଖିବାକୁ ବହୁତ ଭଲ ଲାଗେ। ସଚିନ ଅଧିକ ସଂଖ୍ୟକ ଶତକ ଅର୍ଜନ କରିଛନ୍ତି। ହେଲେ କୋହଲି ରନ୍ ଚେଜ୍ ବେଳେ ଯେଭଳି ଭାବେ ନିଜ ପାଳିକୁ ଗଢ଼ନ୍ତି, ତାହା ନିଶ୍ଚିତ ଭାବେ ଅତୁଳନୀୟ’’ ବୋଲି ଫିଞ୍ଚ୍ ମତ ଦେଇଛନ୍ତି। ଟ୍ବେଣ୍ଟି-୨୦ରେ ମଧ୍ୟ କୋହଲିଙ୍କୁ ସ୍ମିଥଙ୍କ ଉପରେ ରଖିଛନ୍ତି ଫିଞ୍ଚ୍। ତେବେ ଉଭୟ ଖେଳାଳିଙ୍କ ବ୍ୟାଟିଂରେ ଥିବା ବିବିଧତା, ଉଭୟଙ୍କୁ ପ୍ରତିପକ୍ଷ ପାଇଁ ବିପ୍ପଜନକ କରିଥାଏ ବୋଲି କହିଛନ୍ତି।

କୋହଲିଙ୍କ ସମସାମୟିକ ଥିବାରୁ ଭାଗ୍ୟବାନ ମଣୁଛି: ୱିଲିୟମସନ୍
ମୁମ୍ବାଇ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ କ୍ରିକେଟ୍ ଖେଳିଥିବାରୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ନିଜକୁ ଭାଗ୍ୟବାନ ମଣନ୍ତି। ନିଜେ ୱିଲିୟମସନ୍ ଏକଥା ‘କ୍ରିକେଟ୍ କନେକ୍ଟେଡ୍’ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି। ‘‘ଆମେ ପରସ୍ପର ବିପକ୍ଷରେ ଖେଳିଥିବାରୁ ଭାଗ୍ୟବାନ। କୋହଲିଙ୍କୁ କିଶୋରାବସ୍ଥାରେ ଭେଟିବା ଏବଂ ତାଙ୍କ ଉନ୍ନତି ଓ ଯାତ୍ରାକୁ ଦେଖିବା ଚମତ୍କାର ଅନୁଭୂତି। ଆମକୁ ପରସ୍ପର ବିରୋଧରେ ସବୁଠାରୁ ଲମ୍ବା ସମୟ ପାଇଁ ଖେଳିବାର ସୁଯୋଗ ମିଳିଛି। ହେଲେ ସମ୍ଭବତଃ ଗତ କିଛି ବର୍ଷ ପୂର୍ବେ କ୍ରିକେଟ୍‌କୁ ନେଇ ରହିଥିବା ନିଜ ମତ ଓ ଭାବନାକୁ ଆମେ ପରସ୍ପର ସହ ବାଣ୍ଟିଥିଲୁ। ଏଥିରୁ ଆମ ଭିତରେ ଅନେକ କିଛି ସାମଞ୍ଜସ୍ୟ ରହିଛି ବୋଲି ଜାଣିପାରିଛୁ। ଏହା କିନ୍ତୁ ସତ କଥା ଯେ ଆମେ ଉଭୟ ଭିନ୍ନ ଭିନ୍ନ ପ୍ରକା‌ରର କ୍ରିକେଟ୍ ଖେଳୁ। ଶାରିରୀକ ଓ ବ୍ୟବହାରିକ ଭାବେ ମଧ୍ୟ ଆମେ ପରସ୍ପରଠାରୁ ଅଲଗା। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ୦-୩ରେ ଅଷ୍ଟ୍ରେଲିଆଠାରୁ ଟେଷ୍ଟ୍ ଶୃଙ୍ଖଳା ହାରିବା ପରେ ୱିଲିୟମସନଙ୍କ ପାଇଁ କୋହଲି ଛିଡ଼ା ହୋଇଥିଲେ। ସୂଚନାଯୋଗ୍ୟ ଯେ କୋହଲି ଓ ୱିଲିୟମସନ୍ ପ୍ରଥମ ଥର ପାଇଁ ୨୦୦୮ ମସିହାରେ ପରସ୍ପର ବିପକ୍ଷରେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଖେଳିଥିଲେ। ମାଲେସିଆରେ ଆୟୋଜିତ ସେହିବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଜେତା ଆଖ୍ୟା ଅର୍ଜନ କରିଥିଲା ଭାରତ। ନ୍ୟୁଜିଲାଣ୍ଡ ଦଳର ନେତୃତ୍ବ ୱିଲିୟମସନ୍ ନେଇଥିଲା ବେଳେ କୋହଲି ଭାରତର ଅଧିନାୟକ ଥିଲେ।

ସମ୍ବନ୍ଧିତ ଖବର