ଦୁବାଇ: ଅଧିନାୟକ ଭାବେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ରବିବାର ଶେଷ ମ୍ୟାଚ୍ ଖେଳିଥିବା ବିରାଟ କୋହଲି ପ୍ରଶଂସକ ଓ ସମର୍ଥକଙ୍କ ପାଇଁ ଲେଖିଛନ୍ତି ଆବେଗଭରା ବାର୍ତ୍ତା। ଟ୍ବିଟର ପୃଷ୍ଠାରେ ଲେଖିଥିବା ଏହି ବିଦାୟୀ ବାର୍ତ୍ତାରେ କୋହଲି କହିଛନ୍ତି ଯେ ଆମେ ଏଭଳି ଫଳାଫଳ ଆଶା କରି ନଥିଲୁ, ହେଲେ ସଂପୂର୍ଣ୍ଣ ପ୍ରତିଯୋଗିତାରେ ଆମ ଖେଳାଳିମାନେ ଦେଖାଇଥିବା ଚରିତ୍ର ଏବଂ ସେମାନଙ୍କ ସଙ୍କଳ୍ପବଦ୍ଧ ଖେଳକୁ ନେଇ ମୁଁ ଅତ୍ୟନ୍ତ ଗର୍ବିତ। ଏକ ନିରାଶାଭରା ପରିସମାପ୍ତି। ତଥାପି ଆମେ ଗର୍ବର ସହ ଏବଂ ମଥା‌ ଉଠାଇ ଆଗକୁ ବଢ଼ି ପାରିବୁ। ସମସ୍ତ ପ୍ରଶଂସକ, ସମର୍ଥକ, ପରିଚାଳକ, ସପୋର୍ଟ ଷ୍ଟାଫଙ୍କୁ ସେମାନଙ୍କ ସମର୍ଥନ ଓ ଭଲପାଇବା ଲାଗି ହୃଦୟର ଗଭୀରତମ କୋଣରୁ ମୁଁ ଧନ୍ୟବାଦ ଅର୍ପଣ କରୁଛି। ଅଧିନାୟକ ପଦ ଛାଡ଼ିଥିଲେ ମଧ୍ୟ ଜଣେ ଖେଳାଳି ଭାବେ ଆର୍‌ସିବି ସହ ଜଡ଼ିତ ହୋଇ ରହିବାର ପ୍ରତିଶ୍ରୁତିକୁ ପୁଣି ଦୋହରାଇଥିଲେ ସେ। ରବିବାର ଏଲିମିନେଟର ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସଠାରୁ ୪ ୱିକେଟ୍‌ରେ ହାରି ଆର୍‌ସିବି ଚଳିତ ଆଇପିଏଲ୍‌ରୁ ବିଦାୟ ନେଇଥିଲା। ଏହା ମଧ୍ୟ ଆର୍‌ସିବିର ଅଧିନାୟକ ଭାବେ କୋହଲିଙ୍କର ‌ଶେଷ ମ୍ୟାଚ୍ ଥିଲା। କାରଣ ଚଳିତ ଋତୁ ପରେ ଆର୍‌ସିବି ଅଧିନାୟକ ପଦରୁ ଇସ୍ତଫା ଦେବେ ବୋଲି ପୂର୍ବରୁ ଘୋଷଣା କରି ସାରିଥିଲେ ସେ।

Advertisment

ଦୁବାଇ: ଆର୍‌ସିବି ଅଧିନାୟକ ପଦ ଛାଡ଼ିବା ପରେ ସାଥୀ ଖେଳାଳି ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ବିସ୍ଫୋରକ କ୍ରିକେଟର୍‌ ଏବି ଡି’ଭିଲିୟର୍ସ ତାଙ୍କୁ ଅତୀତର ସଖଦ ସ୍ମୃତି ଲାଗି ଧନ୍ୟବାଦ ଜଣାଇଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ୪ ୱିକେଟ୍ ପରାଜୟରେ ଶେଷ ହୋଇଥିବା କୋହଲିଙ୍କ ୯ ବର୍ଷର ଆଇପିଏଲ୍ ଅଧିନାୟକ ଜୀବନକୁ ସଲାମ କରି ଡି’ଭିଲିୟର୍ସ ଟ୍ବିଟ୍ କରିଛନ୍ତି ଯେ ମୁଁ ତୁମକୁ ପଡ଼ିଆ ଓ ପଡ଼ିଆ ବାହାରେ ଭଲ ଭାବରେ ଦେଖିଛି। ଅନେକ ଲୋକଙ୍କୁ ନିଜ ଉପରେ ଭରସା କରିବାର କଳା ତୁମେ ଶିଖାଇଛ। ଯାହା ଏକ ଟ୍ରଫି ଜିତିବାଠାରୁ କୌଣସି ଗୁଣରେ କମ୍ ନୁହେଁ। ମୁଁ ଏବେବି ବିଶ୍ବାସ କରେ ଯେ ଦିନେ ନା ଦିନେ ତୁମେ ଆଇପିଏଲ୍ ଟ୍ରଫି ଜିତିବ। କାରଣ ତୁମେ ବହୁତ ଭଲ କାମ କରିଛ। ହେଲେ ସେହି ପୁସ୍ତକର ଲେଖା ଏବେବି ସରିନି। ତୁମେ ଆମ ପାଇଁ ଯାହା କରିଛ, ତାକୁ ମୁଁ ଜୀବନ ସାରା କେବେବି ଭୁଲି ପାରିବି ନାହିଁ। ଅତୀତର ସେହି ସବୁ ସ୍ମରଣୀୟ ସ୍ମୃତି ଲାଗି ଅଶେଷ ଅଶେଷ ଧନ୍ୟବାଦ ଶ୍ରଦ୍ଧେୟ ବନ୍ଧୁ’’। ଶେଷରେ ମଜା କରିବାକୁ ଯାଇ ଡି’ଭିଲିୟର୍ସ ଲେଖିଥିଲେ ଯେ ମୁଁ ଭାବୁଛି ଏବେ କିଛି ଅମ୍ପାୟାର ଶାନ୍ତିରେ ଶୋଇପାରିବେ। ସେମାନଙ୍କ ପାଇଁ ମୁଁ ବହୁତ ଖୁସି।