ନୂଆଦିଲ୍ଲୀ: କିଛିଦିନ ତଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଖେଳାଳି ବିରାଟ କୋହଲି ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଖେଳାଳି ଅମିତ ମିଶ୍ର ଏବଂ ନବୀନ ଉଲଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏହା ପରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସର ମେଣ୍ଟର ଗୌତମ ଗମ୍ଭୀର ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଜୋରଦାର କଥା କଟାକଟି ହୋଇଥିଲା। ତେବେ ଏହି ଘଟଣାରେ ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ଦୁଇ ଖେଳାଳିଙ୍କୁ ଜରିମାନା କରାଯାଇଥିଲା । ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ମେଣ୍ଟର ଗୌତମ ଗମ୍ଭୀରଙ୍କ ଶତପ୍ରତିଶତ ମ୍ୟାଚଫି କାଟି ଦିଆଯାଇଥିବାବେଳେ ଆରସିବି ବ୍ୟାଟର ବିରାଟ କୋହଲିଙ୍କର ମଧ୍ୟ ଶତପ୍ରତିଶତ ମ୍ୟାଚଫି କଟାଯାଇଥିଲା ।
ଦୁହେଁ ଆଇପିଏଲ୍ କୋଡ ଅଫ୍ କଣ୍ଡକ୍ଟର ଧାରା ୨-୨୧ ଅନ୍ତର୍ଗତ ଲେଭଲ୍ -୨ ଅବମାନନା କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା | ତେବେ ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ବିରାଟ କୋହଲି ବିସିସିଆଇ ଅଧିକାରୀଙ୍କୁ ଲିଖିତ ଭାବେ ସ୍ପଷ୍ଟୀକରଣ ଦେଇଛନ୍ତି। ଏହା ସହିତ, ପ୍ରକୃତରେ ସେଦିନ କ’ଣ ଘଟିଥିଲା ଏବଂ ତାଙ୍କର ଭୂମିକା କ’ଣ ଥିଲା ସେନେଇ କୋହଲି ଚିଠି ଲେଖି ଜଣାଇଛନ୍ତି ।
ଏହି ପ୍ରସଙ୍ଗରେ ତାଙ୍କର ମ୍ୟାଚ ଫି କଟାଯିବା ନେଇ ସେ ବିସିସିଆଇ ଅଧିକାରୀଙ୍କ ନିକଟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିସିସିଆଇ ଅଧିକାରୀଙ୍କ ସାମ୍ନାରେ ବିରାଟ କୋହଲି କହିଛନ୍ତି ଯେ ମୁଁ ନବୀନ-ଉଲ-ହକ ଏବଂ ଗୌତମ ଗମ୍ଭୀରଙ୍କୁ କିଛି କହି ନାହିଁ। ଏହା ସହ କୋହଲି ଲେଖିଛନ୍ତି ଯେ ମୋର କିଛି ଭୁଲ ନଥିଲା | ଭୁଲ ନଥିବା ସତ୍ତ୍ୱେ ମୋ ଉପରେ ଜରିମାନା ଲଗାଯାଇଛି |