କୋହଲି ଓ ଚାନୁ ପାଇବେ ଖେଳରତ୍ନ:୨୦ ଜଣଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ବିଶ୍ୱ ବିଜୟିନୀ ଭାରୋତ୍ତୋଳନ ତାରକା ମୀରାବାଇ ଚାନୁ ଯୁଗ୍ମ ଭାବେ ଚଳିତ ବର୍ଷ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପୁରସ୍କାର ପାଇବେ। ଜାତୀୟ ଚୟନ ସମିତି ସୋମବାର ଉଭୟଙ୍କ ନାଁ କ୍ରୀଡ଼ା ମନ୍ତ୍ରାଳୟକୁ ସୁପାରିସ କରିଛି। ମନ୍ତ୍ରାଳୟ ପାରମ୍ପରିକ ଭାବେ ସମିତିର ସୁପାରିସ୍‌ ଗ୍ରହଣ କରି ନେଉଥିବାରୁ କୋହଲି ଏବଂ ଚାନୁ ଏ ବର୍ଷ ମିଳିତ ଭାବେ ଖେଳରତ୍ନ ପାଇବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି। ସେହିଭଳି ଜାଭେଲିନ୍‌ ଖେଳାଳି ନୀରଜ ଚୋପ୍ରାଙ୍କ ସହ ୨୦ ଜଣ ଖେଳାଳିଙ୍କ ନାଁ ଅର୍ଜୁନ ପୁରସ୍କାର ଲାଗି ସୁପାରିସ କରାଯାଇଛି। ଏସିଆଡ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ନାଁ ଏଥିରେ ନାହିଁ।
ଚଳିତ ବର୍ଷ କୋହଲି ଖେଳରତ୍ନ ପାଇବାର ସମ୍ଭାବନା ଅଧିକ ଥିଲା। ହେଲେ ଚାନୁଙ୍କ ପ୍ରତିଦ୍ୱନ୍ଦ୍ୱିତା ବ୍ୟାଡ୍‌ମିଣ୍ଟନ୍‌ ତାରକା କିଦାମ୍ବି ଶ୍ରୀକାନ୍ତଙ୍କ ସହ ହୋଇଥିଲା। ସୁପର ସିରିଜ୍‌ ସର୍କିଟରେ ଜବରଦସ୍ତ ପ୍ରଦର୍ଶନ ପାଇଁ ଶ୍ରୀକାନ୍ତ ଖେଳରତ୍ନ ଦୌଡ଼ରେ ଥିଲେ। ତେବେ ୨୪ ବର୍ଷୀୟ ଚାନୁ ୪୮ କିଲୋଗ୍ରାମ ବର୍ଗରେ ବିଶ୍ୱ ବିଜୟିନୀ ହେବା ସହ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଥିବାରୁ ଚୟନକର୍ତା ତାଙ୍କୁ ବାଛିଥିଲେ।
ସଚିନ ତେନ୍ଦୁଲକର (୧୯୯୭) ଓ ମହେନ୍ଦ୍ର ସିଂହ ଧୋନି (୨୦୦୭)ଙ୍କ ପରେ ଖେଳରତ୍ନ ପୁରସ୍କାର ପାଇବାରେ କୋହଲି ତୃତୀୟ କ୍ରିକେଟର୍‌ ହେବେ। ୨୯ ବର୍ଷୀୟ କୋହଲି ୭୧ ଟେଷ୍ଟ୍‌ ଖେଳି ୨୩ ଶତକ ସହ ୬୧୪୭ ରନ୍‌ ଏବଂ ୨୧୧ ଦିନିକିଆରୁ ୯୭୭୯ (୩୫ ଶତକ) ରନ୍‌ କରିଛନ୍ତି। ଅନ୍ତର୍ଜାତୀୟ ଶତକ (୫୮) ହାସଲରେ ସଚିନ ତେନ୍ଦୁଲକର (୧୦୦)ଙ୍କ ପଛକୁ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବିସିସିଆଇ ଗତ ତିନି ବର୍ଷ ହେବ କୋହଲିଙ୍କ ନାଁ ଖେଳରତ୍ନ ପୁରସ୍କାର ଲାଗି ସୁପାରିସ କରିଆସୁଛି। ହେଲେ ୨୦୧୬ରେ ରିଓ ଅଲିମ୍ପିକ୍ସ ପ୍ରଦର୍ଶନ ପାଇଁ କୁସ୍ତି ତାରକା ସାକ୍ଷୀ ମଲ୍ଲିକ, ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଓ ଜିମ୍ନାଷ୍ଟ ଦୀପା କର୍ମକାରଙ୍କୁ ଖେଳରତ୍ନ ମିଳିଥିଲା। ଗତବର୍ଷ ହକି ଖେଳାଳି ସର୍ଦାର ସିଂହ ଏବଂ ପାରା-ଆଥଲେଟ୍‌ ଦେବେନ୍ଦ୍ର ଝାଝରିଆ ଖେଳ ରତ୍ନ ପାଇଥିଲେ। ଚାନୁ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ହେଲେ ଆଘାତ ଜନିତ ସମସ୍ୟା ପାଇଁ ଜାକର୍ତା ଏସିଆଡ୍‌ରେ ଅଂଶ ଗ୍ରହଣ କରି ପାରି ନଥିଲେ। କୋହଲି ଗତବର୍ଷ ପଦ୍ମଶ୍ରୀ ପାଇଥିଲେ। ଖେଳରତ୍ନ ପୁରସ୍କାର ଲାଗି ସୁପାରିସ୍‌: ବିରାଟ କୋହଲି ଓ ମୀରାବାଇ ଚାନୁ। ଅର୍ଜୁନ ପୁରସ୍କାର ସୁପାରିସ: ନୀରଜ ଚୋପ୍ରା, ଜିନ୍‌ସନ୍‌ ଜନ୍‌ସନ୍‌, ହିମା ଦାସ, ଏନ୍‌ ସିକି ରେଡ୍ଡୀ, ସତୀଶ କୁମାର, ସ୍ମୃତି ମନ୍ଧାନା, ଶୁଭଙ୍କର ଶର୍ମା, ମନପ୍ରୀତ ସିଂହ, ସବିତା, ରବି ରାଠୋର, ରାହି ସର୍ନୋବତ୍‌, ଅଙ୍କୁର ମିତ୍ତଲ, ଶ୍ରେୟସୀ ସିଂହ, ମନିକା ବାତ୍ରା, ଜି ସାଥୀଆନ୍‌, ରୋହନ ବୋପାନ୍ନା, ସୁମିତ, ପୂଜା କାଡିଆନ୍‌, ଅଙ୍କୁର ଧାମା, ମନୋଜ ସରକାର।

ସମ୍ବନ୍ଧିତ ଖବର