ବେଙ୍ଗାଲୁରୁ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ବ୍ୟାଟର ବିରାଟ କୋହଲିଙ୍କ ୧୦ ପ୍ରତିଶତ ମ୍ୟାଚ୍ ଫି’ କାଟିଦିଆଯାଇଛି। ସୋମବାର ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ବିପକ୍ଷ ମ୍ୟାଚ୍ ବେଳେ ସେ ଆଇପିଏଲ୍ର ଆଚରଣ ବିଧି ଉଲଙ୍ଘନ କରିଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ଆଇପିଏଲ୍ ପକ୍ଷରୁ ଦିଆଯାଇଥିବା ବିବୃତି ଅନୁଯାୟୀ, କୋହଲି ଆଚରଣ ବିଧିର ଧାରା ୨.୨କୁ ଉଲଙ୍ଘନ କରିଥିଲେ। ତେବେ ନିର୍ଦ୍ଦିଷ୍ଟ କେଉଁ ଘଟଣାକୁ ନେଇ କୋହଲିଙ୍କୁ ଦଣ୍ଡିତ କରାଯାଇଛି ସେ ସଂକ୍ରାନ୍ତରେ ଆଇପିଏଲ୍ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ। ତେବେ ୱେନ୍ ପାର୍ନେଲ୍ଙ୍କ ବଲ୍ରେ ଶିବମ ଦୁବେଙ୍କ ୱିକେଟ୍ ଝଡ଼ିବା ପରେ କୋହଲି ଉତ୍ତେଜନାପୂର୍ଣ୍ଣ ଉତ୍ସବ ମନାଇଥିଲେ। ଏଥିପାଇଁ ତାଙ୍କୁ ଦଣ୍ଡିତ କରାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏହି ମ୍ୟାଚ୍ରେ ଦୁବେ ୨୭ ବଲ୍ରୁ ୫୨ ରନ୍ର ବିସ୍ଫୋରକ ପାଳି ଖେଳିବା ସହ ସିଏସ୍କେ ୬ ୱିକେଟ୍ ବିନିମୟରେ ୨୨୬ ରନ୍ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା ବେଳେ କୋହଲି ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ। ଏହି ମ୍ୟାଚ୍କୁ ସିଏସ୍କେ ୮ ରନ୍ରେ ଜିତିଥିଲା।