ମୋହାଲିରେ କୋହଲିଙ୍କ ୧୦୦ତମ ଟେଷ୍ଟ୍‌

ମୁମ୍ବାଇ: ପୂର୍ବ ଯୋଜନା ଅନୁସାରେ ବିରାଟ କୋହଲି ତାଙ୍କ ୧୦୦ତମ ଟେଷ୍ଟ୍‌ ବେଙ୍ଗାଲୁରୁରେ ଖେଳିଥା’ନ୍ତେ, କିନ୍ତୁ ଏବେ ଏହା ମୋହାଲିରେ ‌ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଛି। କାରଣ ବିସିସିଆଇ ଆଗାମୀ ଶ୍ରୀଲଙ୍କା ବିପକ୍ଷ ଘରୋଇ ଶୃଙ୍ଖଳାକୁ ଓଲଟ ପାଲଟ କରି ଟ୍ବେଣ୍ଟି-୨୦ରୁ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ବାଙ୍ଗାଲୋର କୋହଲିଙ୍କ ଦ୍ବିତୀୟ ଘର ଭଳି ଥିବାରୁ ସେ ଏଠାରେ ଏହି ମାଇଲଖୁଣ୍ଟ ଟେଷ୍ଟ୍ ଖେଳିବେ ବୋଲି ବିଶ୍ବାସ କରାଯାଉଥିଲା। କାରଣ ଦୀର୍ଘ ୧୪ ବର୍ଷ ଧରି କୋହଲି ସ୍ଥାନୀୟ ଆଇପିଏଲ୍‌ ଦଳ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ପାଇଁ ଖେଳି ଆସୁଛନ୍ତି। ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କଠାରୁ ଅଧିକ ସମୟ ଏହି ସହରରେ କାଟିଛନ୍ତି ବୋଲି ନିକଟରେ କୋହଲି ପ୍ରକାଶ କରିଥିଲେ। ପୂର୍ବ ସୂଚୀରେ ପରିବର୍ତନ କରାଯାଇଥିବାରୁ ଭ୍ରମଣକାରୀ ଶ୍ରୀଲଙ୍କା ଦଳ ଫେବ୍ରୁଆରି ୨୪ରେ ଲକ୍ଷ୍ନୌରେ ପ୍ରଥମ‌ ଟ୍ବେଣ୍ଟି-୨୦ ‌ଖେଳିବା ପରେ ଧର୍ମଶାଳା (ଫେବ୍ରୁଆରି ୨୬ ଓ ୨୭)ରେ ଶୃଙ୍ଖଳାର ‌ଅବଶିଷ୍ଟ ଦୁଇ ମ୍ୟାଚ୍‌ ଖେଳିବ। ଧର୍ମଶାଳାରୁ ଉଭୟ ଦଳ ପଞ୍ଜାବ ଗସ୍ତ କରି ମାର୍ଚ୍ଚ ୩ରୁ ୭ ତାରିଖ ମଧ୍ୟରେ ମୋହାଲିରେ ପ୍ରଥମ ଟେଷ୍ଟ୍‌ ‌ଖେଳିବ ବୋଲି କ୍ରିକ୍‌ବଜ୍‌କୁ ମିଳିଥିବା ସୂଚନାରୁ ପ୍ରକାଶ। ଦ୍ବିତୀୟ ତଥା ଶେଷ ଟେଷ୍ଟ୍‌ ବେଙ୍ଗାଲୁରୁରେ ମାର୍ଚ୍ଚ ୧୨ରୁ ୧୬ ତାରିଖ ମଧ୍ୟରେ ଖେଳାଯିବ। ପୂର୍ବରୁ କିନ୍ତୁ ପ୍ରଥମେ ଟେଷ୍ଟ୍‌ ବେଙ୍ଗାଲୁରୁ ଖେଳାଯିବ ବୋଲି ଯୋଜନା କରାଯାଇଥିଲା। ବେଙ୍ଗାଲୁରୁ ଟେଷ୍ଟ୍କୁ ଦିବାରାତ୍ର କରିବା ଯୋଜନା ମଧ୍ୟ ଚାଲିଛି। ଚେତନ ଶର୍ମାଙ୍କ ନେତୃତ୍ବାଧୀନ ବିସିସିଆଇ ଚୟନ ସମିତି ଖୁବ୍ ଶୀଘ୍ର ଦଳ ଚୟନ ସହ ରୋହିତ ଶର୍ମାଙ୍କୁ ଟେଷ୍ଟ୍ ଅଧିନାୟକ ନିଯୁକ୍ତ କରିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର