ଭୁବନେଶ୍ବର: ବିରାଟ କୋହଲିଙ୍କ ଅନ୍ତର୍ଜାତୀୟ ଆଗମନକୁ ଶୁକ୍ରବାର ୧୫ ବର୍ଷ ପୂରଣ ହୋଇ ୧୬ ଚାଲିଲା। ଆଜକୁ (୧୮ ଅଗଷ୍ଟ ୨୦୦୮) ଠିକ୍ ୧୫ ବର୍ଷ ତଳେ ବିରାଟ କୋହଲି ଡାମ୍ବୁଲାରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟ୍କୁ ଆସିଥିଲେ। ୧୯ ବର୍ଷ ୨୮୭ ଦିନରେ ସେ କ୍ରିକେଟ୍ ଦୁନିଆକୁ ଆସିଥିଲେ। ପୁରୁଷ ଦିନିକିଆରେ ପାଳି ଆରମ୍ଭ କରିବାରେ ମଧ୍ୟ ସେ ସର୍ବକନିଷ୍ଠ ଭାରତୀୟ ହୋଇଥିଲେ। ଏହି ଦେଢ଼ ଦଶନ୍ଧି ମଧ୍ୟରେ କୋହଲି ବିଶ୍ବର ଜଣେ ପ୍ରମୁଖ ଅଲ୍ ଫର୍ମାଟ ଖେଳାଳି ଏବଂ କିଂବଦନ୍ତି ପାଲଟିସାରିଛନ୍ତି।
୧୫ ବର୍ଷର ଏହି ଖେଳ ଜୀବନରେ କୋହଲିଙ୍କ ଅଣ ବାଉଣ୍ଡରି ସ୍କୋରିଂ ପାଇଁ ୱିକେଟ୍ ମଧ୍ୟରେ ମୋଟ ୨୭୭ କିଲୋମିଟର୍ ଦୌଡ଼ିଛନ୍ତି। ଏହା ଛଡ଼ା ସେ ନିଜ ସାଥି ଖେଳାଳି ପାଇଁ ୨୩୩ କିଲୋମିଟର୍ ଦୌଡ଼ିଛନ୍ତି। ଅର୍ଥାତ୍ ମୋଟ ୫୧୦ କିଲୋମିଟର୍ ଦୌଡ଼ିଛନ୍ତି ୱିକେଟ୍ ମଧ୍ୟରେ ନିଜ ଅନ୍ତର୍ଜାତୀୟ ଜୀବନରେ। ଏହି ସମୟ ମଧ୍ୟରେ କୋହଲି ଥରେ ମାତ୍ର ଚୌକା ସଟ୍ ପାଇଁ ସମସ୍ତ ୪ ରନ୍ ଦୌଡ଼ିକରି ସଂଗ୍ରହ କରିଥିଲେ। ୨୦୧୩ ମସିହାରେ ଜିମ୍ବାୱେ ବିପକ୍ଷ ଦିନିକିଆରେ ସେ ଏହା କରିଥିଲେ। ସେହିଭଳି କୋହଲି ନିଜ ପାଇଁ ୧୩୭୪୮ ରନ୍ ଏବଂ ପାର୍ଟନର୍ ପାଇଁ ୧୧,୬୦୬ ରନ୍ ସହ ମୋଟ ୨୫,୩୫୪ ରନ୍ ସଂଗ୍ରହ କରିଛନ୍ତି ଏବଂ ୫୧୦ କିଲୋମିଟର୍ ଦୌଡ଼ିଛନ୍ତି। ଚେଜ୍ ମାଷ୍ଟର୍ ଭାବେ କୋହଲି ୨୦୧୪ ଏବଂ ୨୦୧୬ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପ୍ରଚଣ୍ଡ ଛାପ ଛାଡ଼ିଛନ୍ତି। ୧୦ଟି ଚେଜ୍ରେ ସେ ୧୭୦.୫ ହାରରେ ବ୍ୟାଟିଂ କରିଥିଲେ। ଦ୍ବିତୀୟ ଶ୍ରେଷ୍ଠରେ ଥିବା ମାର୍କସ ଷ୍ଟୋଇନିସ୍ (୧୪୬)ଠାରୁ ପ୍ରାୟ ଦୁଇ ଗୁଣାରେ ସେ ବ୍ୟାଟିଂ କରିଥିଲେ। ସଫଳ ପଶ୍ଚାତଧାବନରେ ସେ ୫୧୮ ହାରରେ ବ୍ୟାଟିଂ କରିଛନ୍ତି।
କୋହଲି ଏ ପର୍ଯ୍ୟନ୍ତ ମୋଟ ୮୩ ଭେନ୍ୟୁରେ ଖେଳିଛନ୍ତି ଅନ୍ତର୍ଜାତୀୟ କ୍ରିକେଟ୍। ଏହା ମଧ୍ୟରୁ ସେ ୪୬ଟି ପଡ଼ିଆରେ ତାଙ୍କ ମୋଟ ୭୬ ଶତକ ଅର୍ଜନ କରିଛନ୍ତି। ସଚିନ (୫୩ ପଡ଼ିଆରୁ ୧୦୦ ଶତକ)ଙ୍କ ପଛକୁ ସେ ଦ୍ବିତୀୟରେ ରହିଛନ୍ତି। କୋହଲିଙ୍କ ବିଶ୍ବକପ୍ ପଦାର୍ପଣ ମଧ୍ୟ ସ୍ବପ୍ନର ଆଗମନ ଭଳି ହୋଇଥିଲା। ୨୦୧୧ ବିଶ୍ବକପ୍ରେ ସେ ବାଂଲାଦେଶ ବିପକ୍ଷ ଉଦ୍ଘାଟନୀ ମ୍ୟାଚ୍ରେ ଶତକରୁ ଆରମ୍ଭ କରିଥିଲେ। ଖେଳ ଜୀବନର ପ୍ରାରମ୍ଭରେ ମଧ୍ୟ ସେ ବିଶ୍ବକପ୍ ବିଜେତା ଦଳର ଅନ୍ୟତମ ସଦସ୍ୟ ଥିଲେ। ପ୍ରଥମ ଖେଳାଳି ଭାବେ ଦିନିକିଆ ବିଶ୍ବକପ୍ ପଦାର୍ପଣରେ ଶତକ ଏବଂ ଟ୍ବେଣ୍ଟି-୨୦ ବିଶ୍ବକପ୍ ପଦାର୍ପଣରେ ଅର୍ଦ୍ଧଶତକ ଅର୍ଜନର ଦ୍ବିମୁକୁଟ ପାଇଥିଲେ। ୨୦୧୮ରେ ଫେବ୍ରୁଆରିରୁ ଅକ୍ଟୋବର ମାସ ମଧ୍ୟରେ ୧୦ ପାଳିରୁ ୧୦୦୦ରୁ ଊର୍ଧ୍ବ ରନ୍ ସଂଗ୍ରହ କରିବା ଅନ୍ୟତମ ମୁଖ୍ୟାଂଶ ଥିଲା। ଅଧିନାୟକତ୍ବ ସମୟରେ କୋହଲି ୩ ଥର ଭାରତକୁ ୫-୦ ବିଜୟ (ଜିମ୍ବାୱେ-୧, ଶ୍ରୀଲଙ୍କା-୨) ଦେଇଛନ୍ତି। ନେତୃ୍ତ୍ବ ନେବା ସମୟରେ କୋହଲି କିନ୍ତୁ ଗୋଟିଏ ବି ଆଇସିସି ଟ୍ରଫି ଜିତିନପାରିବା ତାଙ୍କ ନିନ୍ଦୁକଙ୍କୁ ସମାଲୋଚନାର ଖୋରାକ ଯୋଗାଏ।