ବେଙ୍ଗାଲୁରୁ: କିଂବଦନ୍ତି କ୍ରିକେଟର୍ ବିରାଟ କୋହଲି ୨୦୨୭ ପର୍ଯ୍ୟନ୍ତ ପେସାଦାର କ୍ରିକେଟ୍ ଖେଳିବା ଜାରି ରଖିବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ହେଲେ ବେଙ୍ଗାଲୁରୁ ରୟାଲ୍ ଚ୍ୟାଲେଞ୍ଜର୍ସ (ଆର୍‌ସିବି) ପକ୍ଷରୁ ୨୦ବର୍ଷ ଧରି ଖେଳିବାର ନିଆରା କୀର୍ତ୍ତିମାନ କରିବେ ସେ। ୩୬ବର୍ଷୀୟ କୋହଲି ୨୦୦୮ ମସିହାରୁ ଆର୍‌ସିବିର ପ୍ରତିନିଧିତ୍ବ କରି ଆସୁଥିଲା ବେଳେ ୨୦୧୩ରୁ ୨୦୨୧ ପର୍ଯନ୍ତ ଏହି ଦଳର ଅଧିନାୟକ ଥିଲେ। ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ କିନ୍ତୁ ଆର୍‌ସିବି ଅଧିନାୟକ ପଦରେ ଦକ୍ଷିଣ ଆଫ୍ରିକୀୟ ଫାଫ୍ ଡୁ’ ପ୍ଲେସିସ୍ ଅବସ୍ଥାପିତ ହୋଇଥିଲେ। ତେବେ ଚଳିତ ଋତୁରେ ‌କୋହଲିଙ୍କୁ ନିଲାମକୁ ନଛାଡ଼ି ଆର୍‌ସିବି ୨୧ କୋଟି ଟଙ୍କାରେ ରିଟେନ୍ କରିବା ପରେ ସେ ପୁଣି ଥରେ ଦଳର ଅଧିନାୟକ ପଦକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଛି।

Advertisment

ଏଥିନେଇ କୋହଲି କହିଛନ୍ତି ଯେ ଚଳିତବର୍ଷ ହେବାକୁ ଥିବା ତିନି ବର୍ଷୀୟା ନିଲାମ ଚକ୍ର ୨୦୨୭ରେ ଶେଷ ହେଲା ବେଳକୁ ଆର୍‌ସିବିରେ ମୁଁ ଦୁଇ ଦଶନ୍ଧି ପୂରଣ କରିବି। ଏହା ମୋ ପାଇଁ ନିଶ୍ଚିତ ଭାବେ ସ୍ବତନ୍ତ୍ର ଓ ସ୍ମରଣୀୟ ଅନୁଭୂତି ହେବ। ସଂପ୍ରତି ମୁଁ ନିଜକୁ ଆର୍‌ସିବି ଛଡ଼ା ଅନ୍ୟ କୌଣସି ଦଳରୁ ଖେଳୁଥିବାର ଦେଖୁନି। ମୁଁ ସ୍ଥିର ନିଶ୍ଚିତ ଯେ ଆମ ସହ ଜଡ଼ିତ ଥିବା ସମର୍ଥକ ଓ ଅଧିକାରୀଙ୍କ ମନରେ ବି ଏହି ଭାବନା ଥିବ। ଏହା ସତ ଯେ ମୁଁ ପ୍ରଥମ ଆଇପିଏଲ୍ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି। ଆଇପିଏଲ୍ ଛାଡ଼ିବା ପୂର୍ବରୁ ଏହି ସ୍ବପ୍ନ ପୂରଣ ହୋଇପାରିଲେ ବହୁତ ଖୁସି ଲଗିବ।