ଦୁବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ରେ ଭାରତୀୟ କ୍ରିକେଟ୍ର କିଂବଦନ୍ତି ପୁରୁଷ ବିରାଟ କୋହଲି ଆଉ ଏକ ମାଇଲ୍ଖୁଣ୍ଟ ଛୁଇଁଛନ୍ତି। କୋହଲି ରବିବାର ସପ୍ତମ ଭାରତୀୟ ଖେଳାଳିଭାବେ ୩୦୦ ଏକଦିବସୀୟ ମ୍ୟାଚ୍ ଖେଳିବାର ଗୌରବ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କେବଳ ୬ ଜଣ ଭାରତୀୟ ତାରକା ଯଥା ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର, କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନି, ଦି ୱାଲ୍ ରାହୁଲ ଦ୍ରାବିଡ଼, ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ, ସୌରଭ ଗାଙ୍ଗୁଲି ଏବଂ ପୂର୍ବତନ ଅଲରାଉଣ୍ଡର୍ ଯୁବରାଜ ସିଂହ ଏହି ନିଆରା କ୍ଲବ୍ର ସଦସ୍ୟ ଥିଲେ। କୋହଲି ଏବେ ୩୦୦ ଦିନିକିଆ ମ୍ୟାଚ୍ ଖେଳି ୧୪,୦୯୬ ରନ୍ କରିଛନ୍ତି। ଯାହା ହେଉଛି ସଚିନ (୧୮୪୨୬) ଓ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା (୧୪୨୩୪)ଙ୍କ ପରେ ତୃତୀୟ ସର୍ବାଧିକ। କୋହଲି ନିଜ ୨୦୦ତମ ଦିନିକିଆ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ସେଥର ଶତକ ହାସଲ କରିଥିବାବେଳେ ରବିବାର ମାତ୍ର ୧୧ ରନ୍ କରି ଆଉଟ୍ ହୋଇଯାଇଛନ୍ତି।
ଦର୍ଶକ ଗ୍ୟାଲେରିରେ ଅନୁଷ୍କା, ବିକାଶ
କୋହଲିଙ୍କ ୩୦୦ତମ ମ୍ୟାଚ୍ କୀର୍ତ୍ତିମାନର ଜୀବନ୍ତ ସାକ୍ଷୀ ପାଲଟିଥିଲେ ପତ୍ନୀ ଅନୁଷ୍କା ଶର୍ମା ଏବଂ ବଡ଼ ଭାଇ ବିକାଶ କୋହଲି। ଉଭୟ ମ୍ୟାଚ୍ ଆରମ୍ଭରୁ ନିଜନିଜ ଆସନ ଗ୍ରହଣ କରି ନେଇଥିଲେ। ତୃତୀୟ ଓଭରରେ ଯୁବ ଓପନର୍ ଶୁବମନ୍ ଗିଲ୍ ଆଉଟ୍ ହେବା ପରେ କ୍ରିଜ୍କୁ ଆସିଥିବା କୋହଲିଙ୍କୁ ଉଭୟ ବରାବର ଉତ୍ସାହିତ କରିଥିଲେ। ତେବେ କୋହଲିଙ୍କ ପାଳି ମାତ୍ର ୧୧ ରନ୍ରେ ଅଟକି ଯାଇଥିଲା। ମ୍ୟାଟ୍ ହେନରିଙ୍କ ଅଫ୍ ଷ୍ଟମ୍ପ ବାହାରେ ଥିବା ବଲ୍କୁ କୋହଲି ବ୍ୟାକୱାର୍ଡ ପଏଣ୍ଟ୍କୁ ଖେଳିବା ପରେ ସେଠାରେ ଫିଲ୍ଡିଂ କରୁଥିବା ଗ୍ଲେନ୍ ଫିଲିପ୍ସ ନିଜ ବାମପଟକୁ ଫୁଲ୍ ଲେନ୍ଥରେ ଡାଇଭ୍ କରି ଗୋଟିଏ ହାତରେ ଅବିଶ୍ବସନୀୟ କ୍ୟାଚ୍ ନେବା ସହ କୋହଲିଙ୍କ ପାଳିରେ ପୂର୍ଣ୍ଣଛେଦ ଟାଣି ଦେଇଥିଲେ। ଅନୁଷ୍କା ଏହାକୁ ବିଶ୍ବାସ କରିପାରି ନଥିଲେ। ଏପରିକି ଫିଲିପ୍ସ କ୍ୟାଚ୍ ପୂରଣ କରିବା ପରେ ନିଜ ମୁଣ୍ଡରେ ହାତ ଦେଇ ନିରାଶା ଜାହିର କରିଥିଲେ ଅନୁଷ୍କା। ବିକାଶ ମଧ୍ୟ ବେଶ୍ ଦୁଃଖିତ ହୋଇଯାଇଥିଲେ। କୋହଲି ନିଜ ୧୪ ବଲ୍ ପାଳି ଭିତରେ ଦୁଇଟି ଦର୍ଶନୀୟ ଚୌକା ମାରିଥିଲେ। ତେବେ ପଡ଼ିଆ ଭିତରେ ମାତ୍ର ୧୮ ମିନିଟ୍ ରହି ପ୍ୟାଭିଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ।
୩୦୦ ଦିନିକିଆ, ୧୦୦ରୁ ଅଧିକ ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଖେଳିବାରେ ପ୍ରଥମ
ରବିବାର କୋହଲି ମଧ୍ୟ ଏକ ବିରଳ ବିଶ୍ବରେକର୍ଡର ଅଧିକାରୀ ହୋଇଛନ୍ତି। ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ରେ ୧୦୦ରୁ ଅଧିକ ମ୍ୟାଚ୍ ଖେଳିବା ସହ ୩୦୦ ଏକଦିବସୀୟ ମ୍ୟାଚ୍ ଖେଳିବାରେ ବିଶ୍ବର ପ୍ରଥମ କ୍ରିକେଟର୍ ହୋଇଛନ୍ତି ସେ। ଏହା ପୂର୍ବରୁ ବିଶ୍ବ କ୍ରିକେଟ୍ର ୧୮ଜଣ ଖେଳାଳି ୩୦୦ ଦିନିକିଆ ଖେଳିବରେ ରେକର୍ଡ କରିଛନ୍ତି। ହେଲେ ଅନ୍ୟ କୌଣସି ଖେଳାଳି ୩୦୦ ଦିନିକିଆ ସହ ୧୦୦ ଲେଖାଏଁ ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବାର ସୌଭାଗ୍ୟ ପାଇନାହାନ୍ତି। ୩୦୦ କିମ୍ବା ତା’ଠାରୁ ଅଧିକ ଦିନିକିଆ ମ୍ୟାଚ୍ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ସାହିଦ ଆଫ୍ରିଦି (୩୯୮), ଇଞ୍ଜମାମ-ଉଲ୍-ହକ୍ (୩୭୮), ୱାସିମ ଆକ୍ରମ (୩୫୬), ମୁଥୟା ମୁରଲୀଧରନ୍ (୩୫୦), ତିଲକରତ୍ନେ ଦିଲସାନ୍ (୩୩୦), ଚାମିଣ୍ଡା ଭାସ୍ (୩୨୨), ଅରବିନ୍ଦ ଡି’ସିଲ୍ଭା (୩୦୮), ରିକି ପଣ୍ଟିଂ (୩୭୫), ଷ୍ଟିଭ୍ ୱ (୩୨୫), ମହେନ୍ଦ୍ର ସିଂହ ଧୋନି (୩୫୦), ରାହୁଲ ଦ୍ରାବିଡ଼ (୩୪୪), ମହମ୍ମଦ ଆଝାରୁଦ୍ଦିନ (୩୩୪), ସୌରଭ ଗାଙ୍ଗୁଲି (୩୧୧), ଯୁବରାଜ ସିଂହ (୩୦୪), ବିରାଟ କୋହଲି (୩୦୦*), ଜ୍ୟାକ୍ କାଲିସ୍ (୩୨୮), ସନ୍ ପୋଲକ (୩୦୩) ଏବଂ କ୍ରିସ୍ ଗେଲ୍ (୩୦୧)।