ନୂଆଦିଲ୍ଲୀ : ବିରାଟ କୋହଲି ଓ ମହିପାଲ୍ ଲୋମରର୍ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଶନିବାର ଆଇପିଏଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ୧୮୧/୪ ସ୍କୋର କରିଥିଲା। ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଟସ୍ ଜିତି ବ୍ୟାଟିଂ ନେଇଥିବା ଆର୍ସିବି ପାଇଁ ବିରାଟ କୋହଲି ଓ ଫାଫ୍ ଡୁପ୍ଲେସିସ୍ ଚମତ୍କାର ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ୱିକେଟ୍ରେ ୮୨ ରନ୍ ଯୋଡ଼ିଥିଲେ। କିନ୍ତୁ ଅର୍ଦ୍ଧଶତକ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ଡୁପ୍ଲେସିସ୍ (୪୫) ଙ୍କୁ ମିଚେଲ୍ ମାର୍ଶ ଆଉଟ୍ କରି ପ୍ରଥମ ସଫଳତା ପାଇଥିଲା ବେଳେ ପରବର୍ତ୍ତୀ ବଲ୍ରେ ଗ୍ଲେନ୍ ମ୍ୟାକ୍ସୱେଲ୍ (୦)ଙ୍କୁ ଆଉଟ୍ କରି ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ ମହିପାଲ୍ ଏହି ସୁଯୋଗକୁ ନାକାମ କରିବାରେ ସଫଳ ହୋଇଥିଲେ।
କୋହଲିଙ୍କ ସହ ମିଶି ଲୋମରର୍ ତୃତୀୟ ୱିକେଟ୍ରେ ୫୫ ରନ୍ ଯୋଡ଼ିଥିଲେ। ଚଳିତ ଆଇପିଏଲ୍ରେ ପଞ୍ଚମ ଅର୍ଦ୍ଧଶତକ ଅର୍ଜନ କରିବା ପରେ କୋହଲି (୫୫)ଙ୍କୁ ମୁକେଶ କୁମାର ଆଉଟ୍ କରିଥିଲେ ବି ମହିପାଲ୍ ଅନ୍ୟପଟରୁ ଦ୍ରୁତ ରନ୍ ବାହାର କରୁଥିଲେ। ଶେଷ ପର୍ଯ୍ୟନ୍ତ ସେ ଅପରାଜିତ ରହିବା ସହିତ ଚଳିତ ଆଇପିଏଲ୍ରେ ପ୍ରଥମ ଅର୍ଦ୍ଧଶତକ (୫୪*) ଅର୍ଜନ କରିଥିଲେ। ବିରାଟ କୋହଲି ତାଙ୍କ ପାଳିରେ ୧୨ ରନ୍ କରିଥିଲା ବେଳେ ଆଇପିଏଲ୍ରେ ୭୦୦୦ ରନ୍ ମାଇଲ୍ଖୁଣ୍ଟ ଛୁଇଁଥିଲେ। କୋହଲି ମୋଟ ୨୩୩ ମ୍ୟାଚ୍ରୁ ୭୦୪୩ ରନ୍ କରି ଏହି ତାଲିକାର ଆଗରେ ରହିଛନ୍ତି। ସେ ଏକମାତ୍ର ବ୍ୟାଟର୍ ଭାବେ ୭୦୦୦ ଆଇପିଏଲ୍ ରନ୍ କରିବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କ ପଛକୁ ଶିଖର ଧାୱନ (୬୫୩୬) ଦ୍ବିତୀୟ ସ୍ଥାନରେ ଅଛନ୍ତି।