କୋଲ୍କାତା: ଇଡେନ୍ରେ ଟେବୁଲ୍ ଟପ୍ପରଙ୍କ ମୁକାବିଲା ପୂର୍ବରୁ ସାରା ସହର ଫଳାଫଳକୁ ନେଇ ଯେତିକି ଚର୍ଚ୍ଚା କରୁ ନଥିଲେ ବିରାଟ କୋହଲିଙ୍କ ଜନ୍ମଦିନ ଶୁଭେଚ୍ଛା ଏବଂ ରେକର୍ଡ ସମକକ୍ଷ ୪୯ତମ ଦିନିକିଆ ଶତକ ଆଶାର ଆଲୋଚନା ଅଧିକ କରୁଥିଲା। ଇଡେନ୍ ଗାର୍ଡେନ୍ସ ଭିତରେ ହେଉ କି ବାହାରେ କିଙ୍ଗ୍ କୋହଲିଙ୍କ ପାଇଁ ପ୍ରାୟ ପ୍ରଶଂସକ ପ୍ରସ୍ତୁତ ହୋଇ ଆସିଥିଲେ ବିଭିନ୍ନ ରୂପରେ ଏବଂ ଯୋଜନାରେ। ବିରାଟ କେକ୍ ହେଉ କି ବିରାଟ ବ୍ୟାନର୍। କୋହଲି ମୁଖାରେ ବି ଭର୍ତ୍ତି ଥିଲା ଇଡେନ୍ ମଇଦାନ। କୋହଲି ମୟ ପାଲଟି ଯାଇଥିଲା କୋଲ୍କାତା। ଉତ୍ସବର ସହର, ଉନ୍ମାଦନାର ସହର, ମିଠାର ସହର ହେଉ କି ଦାଦାଙ୍କ ସହର କୋଲ୍କାତା ରବିବାର କେବଳ କୋହଲିଙ୍କ ପାଇଁ ଉତ୍ସବ ମୁଖର ନଥିଲା ଏକ ପ୍ରକାର ମାତି ଉଠିଥିଲା। କୋଲ୍କାତା ବାହାରେ ବି ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଥିଲା ସାମାଜିକ ଗଣମାଧ୍ୟମରେ। କୁଲ୍ କୋହଲି କିନ୍ତୁ ରହିଥିଲେ ଫୋକସ୍ରେ। ୩୫ ବର୍ଷ ବୟସର ଅଭିଜ୍ଞତା ବି ତାଙ୍କ ପ୍ରଥମ ଥର ଜନ୍ମଦିନରେ ଦେଇଥିଲା ଏକ ଦିନିକିଆ ମ୍ୟାଚ୍ର ପଡ଼ିଆ ଭିତର ଅନୁଭବ। ଚତୁର୍ଥ ବଲ୍ ଚୌକାରୁ ବି କୋହଲି ତାଙ୍କ ସ୍ବାଭାବିକ ଖେଳ ଆରମ୍ଭ କରି ଇଡେନ୍ ଦର୍ଶକଙ୍କୁ ନିରାଶ କରି ନଥିଲେ। କୋହଲିଙ୍କ ପାଇଁ ମଧ୍ୟ ସିଏବି (କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍) ଏକ ସ୍ବର୍ଣ୍ଣିମ ବ୍ୟାଟ୍ ପ୍ରସ୍ତୁତ କରିସାରିଛି। ୨୬ ଲକ୍ଷ ଟଙ୍କା ବ୍ୟୟରେ ଏହି ବ୍ୟାଟ୍ କେବେ ପ୍ରଦାନ କରାଯିବା ଚୂଡ଼ାନ୍ତ ହୋଇନାହିଁ।
ଦ୍ରାବିଡ଼ ବଜାଇଲେ ଇଡେନ୍ ବେଲ୍
ମ୍ୟାଚ୍ ଆରମ୍ଭ ପୂର୍ବରୁ ସୂର୍ଯ୍ୟ ଦେବତାଙ୍କ ତେଜ ନଥିଲା। କାରଣ ଇଡେନ୍ ଆଖାପାଖ ଆକାଶ ଅପରାହ୍ଣଠାରୁ ମେଘୁଆ ଥିଲା। ଟସ୍ ପରେ ଦୁଇ ଦଳର ଖେଳାଳି ଜାତୀୟ ସଂଗୀତ ଗାନରେ ସାମିଲ ହୋଇଯାଇଥିଲେ। କିନ୍ତୁ ଲର୍ଡସ ପରେ ଭାରତରେ ବେଲ୍ ବଜାଇ ମ୍ୟାଚ୍ ଆରମ୍ଭର ପରମ୍ପରା ଆରମ୍ଭ କରିଥିବା ଇଡେନ୍ର ବେଲକୁ ଏଥର ବଜାଇଥିଲେ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼। ସାଥୀରେ ଥିଲେ ବିସିସିଆଇ ସଭାପତି ରୋଜର ବିନ୍ନି। ଏହା ପରଠାରୁ ଦର୍ଶକଙ୍କ ଏକାଗ୍ରତା ସ୍ଥାନାନ୍ତରିତ ହୋଇଯାଇଥିଲା ପଡ଼ିଆ ଭିତର ଆକ୍ସନକୁ। କୋହଲି.. କୋହଲି...ସ୍ଲୋଗାନ କିନ୍ତୁ ଇଡେନ୍କୁ ଆଛାଦିତ କରି ରଖିଥିଲା।
୭୧ ବର୍ଷର ସଂଘରେ ୫ ଓଡ଼ିଆ
ଦୀର୍ଘ ୭୧ ବର୍ଷର ସଂଘ ହେଉଛି ମଇଦାନ ଟେଣ୍ଟ୍ରେ ଥିବା କୋଲ୍କାତା କ୍ରୀଡ଼ା ସାମ୍ବାଦିକ ସଂଘ (ସିଏସ୍ଜେସି)। ଦେଶରେ କ୍ରୀଡ଼ା ସାମ୍ବାଦିକାର ଅଗ୍ରଣୀ ସଂଘ ଭାରତୀୟ କ୍ରୀଡ଼ା ସାମ୍ବାଦିକ ମହାସଂଘ (ଏସ୍ଜେଏଫଆଇ)ର ଭିତ୍ତିଭୂମି ପଡ଼ିଥିଲା ଏହି ସହରରୁ। ୨୦୨୬ରେ ମଧ୍ୟ ଏହା ସ୍ବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି। ଏହାର ଅନୁବଂଧିତ ସିଏସ୍ଜେସି ସହିତ ଓଡ଼ିଆଙ୍କ ସମ୍ପର୍କ ଅତି ପୁରୁଣା। ବର୍ଷିୟାନ କ୍ରୀଡ଼ା ସାମ୍ବାଦିକ ସବା ନାୟକନ୍ ସବୁଠାରୁ ଲମ୍ବା ସମୟ (୨୦୦୮-୨୦୧୫) ପାଇଁ ଏହି ସଂଘର ସଭାପତି ହେବା ସହ ଦୁଇ ଥର ଲେଖାଏଁ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ରହି ଆସିଛନ୍ତି। ଏତିକିରେ ଓଡ଼ିଶା ସମ୍ପର୍କ ସରିନାହିଁ। ଏହି ପୁରୁଣା ସଂଘ ସହ ଯୋଡ଼ି ହୋଇ ରହିଛନ୍ତି ୫ ଓଡ଼ିଆ। କର୍ମଚାରୀ ଭାବେ ନରସିଂହ ସ୍ବାଇଁ ନେତୃତ୍ବ ଦାୟିତ୍ବରେ ଥିବା ବେଳେ ତାଙ୍କ ସହ ରମାକାନ୍ତ ରାଉତ, ଶରତ ପାତ୍ର, ପ୍ରଶାନ୍ତ ପଣ୍ଡା, ବିରଞ୍ଚି ନାୟକ ବିଭିନ୍ନ ଭୂମିକାରେ ରହିଛନ୍ତ। ସଂଯୋଗ ହେଉଛି ଏମାନେ ସଭିଏଁ ଯାଜପୁର ଜିଲ୍ଲାର।
ଜନ୍ମଦିନରେ ଶତକ : ସପ୍ତମରେ କୋହଲି
ଜନ୍ମଦିନରେ ଏକଦିବସୀୟ ଶତକ ଅର୍ଜନ କରିବାରେ କୋହଲି ରବିବାର ସପ୍ତମ ଖେଳାଳି ହୋଇଥିଲେ। ଏହିକ୍ରମରେ ପୂର୍ବତନ ଭାରତୀୟ କ୍ରିକେଟର୍ ବିନୋଦ କାମ୍ବଲି ପ୍ରଥମ ସ୍ଥାନରେ ରହିଛନ୍ତି। କାମ୍ବଲି ୧୯୯୩ ମସିହା ଜାନୁଆରି ୧୮ ତାରିଖରେ ନିଜ ୨୧ତମ ଜନ୍ମଦିନରେ ଇଂଲଣ୍ଡ ବିପକ୍ଷରେ ଏହି କୀର୍ତ୍ତିମାନ କରିଥିଲେ। ଜୟପୁରଠାରେ ସେ ଏହି ଅନନ୍ୟ ସଫଳତା ଲାଭ କରିଥିଲେ। ଏହାପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି କ୍ଲବ୍ରେ ସାମିଲ ହୋଇଥିଲେ। ୧୯୯୮ ମସିହାରେ ନିଜ ୨୫ତମ ଜନ୍ମଦିନରେ ଅଷ୍ଟ୍ରେଲିଆ ବିପକ୍ଷରେ ସଚିନ ଶତକୀୟ ପାଳି ଖେଳିଥିଲେ। ସେହିଭଳି ଶ୍ରୀଲଙ୍କାର ସନଥ ଜୟସୂରିୟା (୨୦୦୮, ୩୯ତମ ଜନ୍ମଦିନ ବନାମ ଇଂଲଣ୍ଡ), ନ୍ୟୁଜିଲାଣ୍ଡର ରସ୍ ଟେଲର (୨୦୧୧, ୨୭ତମ ଜନ୍ମଦିନ ବନାମ ପାକିସ୍ତାନ), ଟମ୍ ଲଥାମ (୨୦୨୨, ୩୦ତମ ଜନ୍ମଦିନ, ବନାମ ନେଦରଲାଣ୍ଡ୍ସ ) ମଧ୍ୟ ନିଜ ନିଜ ଜନ୍ମଦିନରେ ଶତକ ହାସଲ କରିବାର ଗୌରବ ଅର୍ଜନ କରିସାରିଛନ୍ତି। ଚଳିତ ବିଶ୍ବକପ୍ରେ ଅଷ୍ଟ୍ରେଲିଆର ମିଚେଲ ମାର୍ସ ଜନ୍ମଦିନରେ ଶତକ ଅର୍ଜନ କରିବାରେ ପ୍ରଥମ ଖେଳାଳି ହୋଇଥିଲେ। ବେଙ୍ଗାଲୁରୁଠାରେ ପାକିସ୍ତାନ ବିପକ୍ଷରେ ସେ ୧୨୧ ରନ୍ର ପାଳି ଖେଳିଥିଲେ।
‘ଭାରତ ପାଇଁ ଖେଳିବାର ପ୍ରତିଟି ସୁଯୋଗ ମୋ ପାଇଁ ମାଇଲଖୁଣ୍ଟ’
ମାଇଲଖୁଣ୍ଟ ଶତକ ହାସଲ କରିବା ପରେ କୋହଲି ଅବେଗବରା କଣ୍ଠରେ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସୋରିଷ ପକାଇବାକୁ ଜାଗା ନଥିବା ଉତ୍ସାହୀ ଇଡେନ୍ ଦର୍ଶକଙ୍କ କରତାଳି ଏବଂ ପାଖାପାଖି ୭୦,୦୦୦ ହଜାର ମୋବାଇଲ୍ ଲାଇଟ୍ର ଝଲମଲ ଆଲୋକ ଭିତରେ ପ୍ୟାଭିଲିୟନ ଫେରିବା ପରେ ଅପରାଜିତ କୋହଲି କହିଥିଲେ ଯେ ଭାରତ ଲାଗି ଖେଳିବାର ପ୍ରତିଟି ସୁଯୋଗ ମୋ ପାଇଁ ମାଇଲଖୁଣ୍ଟ। ଇଡେନ୍ ଗାର୍ଡେନ୍ସର ମହାନ ଦର୍ଶକ ଏବଂ ମୋ ଜନ୍ମଦିନରେ ଏଭଳି କରିପାରିଥିବାରୁ ପିଲାଦିନର ସ୍ବପ୍ନ ସାକାର ହେଲା ଭଳି ଲାଗୁଛି। ଏଭଳି ସ୍ମରଣୀୟ ମୁହୂର୍ତ୍ତର ଆଶୀର୍ବାଦ ମୋତେ ମିଳିଥିବାରୁ ଭଗବାନଙ୍କ ନିକଟରେ କୃତଜ୍ଞ। ପ୍ରଶଂସକଙ୍କଠାରୁ ମିଳୁଥିବା ଭଲ ପାଇବା ଅବର୍ଣ୍ଣନୀୟ। ଆଗାମୀ ସମୟରେ ମଧ୍ୟ ଦଳର ସଫଳତା ଲାଗି ମୁଁ ଏହିଭଳି ଭାବେ ଅବଦାନ ଦେବା ଜାରି ରଖିବି। ଆମ ପାଇଁ ଆଜିର ମ୍ୟାଚ୍ ଏକ ବଡ଼ ଆହ୍ବାନ ଥିଲା। ପ୍ରତିଯୋଗିତାର ସବୁଠାରୁ ଦକ୍ଷ ଓ ଦୃଢ଼ ଦଳ ବିପକ୍ଷରେ ଆମେ ଖେଳୁଥିଲୁ। ଭଲ କରିବା ପାଇଁ ପ୍ରେରଣାର ଅଭାବ ନଥିଲା। ପ୍ରଶଂସକମାନେ ବି ଆଜିର ଦିନକୁ ସ୍ବତନ୍ତ୍ର କରିଦେଲେ। ସଚିନଙ୍କ ବାର୍ତ୍ତା ମୋ ପାଇଁ ବିଶେଷ ମହତ୍ବ ରଖେ। ସେ ମୋ ଆଦର୍ଶ। ତାଙ୍କ କୀର୍ତ୍ତିମାନର ସମକକ୍ଷ ହେବା ମୋ ପାଇଁ ସମ୍ମାନର ବିଷୟ। ମୋ ପାଇଁ ଏହା ଏକ ଭାବପ୍ରବଣ ଭରା ମୁହୂର୍ତ୍ତ ଥିଲା। ସଚିନ ପ୍ରଶଂସା କରିବା ମୋ ପାଇଁ ସତରେ ବହୁତ ବଡ଼ କଥା।
କୀର୍ତ୍ତିମାନର ଦିନ
ଆନ୍ତର୍ଜାତିକ ଦିନିକିଆ ଶତକରେ କିଂବଦନ୍ତି କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି ବିରାଟ କୋହଲି। ଏବେ ତାଙ୍କ ଶତକ ସଂଖ୍ୟା ୪୯ରେ ପହଞ୍ଚିଛି। ଇଡେନ ଗାର୍ଡେନ୍ସରେ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ କୋହଲି ଏହି ମାଇଲ୍ଖୁଣ୍ଟରେ ପହଞ୍ଚିବା ସହ ତାଙ୍କ ଜନ୍ମଦିନରେ ଏହା ସବୁଠୁ ବଡ଼ ଉପହାର ହୋଇଛି। ଏଥିସହିତ ଦିନିକିଆ କ୍ରିକେଟ୍ରେ ୫୦ କିମ୍ବା ଏହାଠୁ ଊର୍ଦ୍ଧ୍ବ ରନ୍ କରିବାରେ କୋହଲି (୧୧୯) ଶ୍ରୀଲଙ୍କାର କୁମାର ସାଙ୍ଗାକାରା (୧୧୮)ଙ୍କୁ ପଛରେ ପକାଇଛନ୍ତି। ଏହି ତାଲିକାରେ ସଚିନ (୧୪୫) ଶୀର୍ଷ ସ୍ଥାନ ସୁରକ୍ଷିତ ରଖିଛନ୍ତି। ପୁରୁଷ ଦିନିକିଆ ବିଶ୍ବକପ୍ ଇତିହାସରେ କୋହଲି ତୃତୀୟ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି। କୋହଲି ୩୪ଟି ବିଶ୍ବକପ୍ ମ୍ୟାଚ୍ରୁ ୧୫୭୩ ରନ୍ ସଂଗ୍ରହ କରିଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର (୨୨୭୮) ଓ ରିକି ପଣ୍ଟିଂ (୧୭୪୩) ତାଙ୍କ ଉପରେ ଅଛନ୍ତି। ଏଥିସହିତ ସେ ଚତୁର୍ଥ ବ୍ୟାଟର୍ ଭାବେ ଦିନିକିଆ ବିଶ୍ବକପ୍ରେ ୧୫୦୦ରୁ ଊର୍ଦ୍ଧ୍ବ ସ୍କୋର କରିଛନ୍ତି। କୁମାର ସାଙ୍ଗାକାରା (୧୫୩୨) ଅନ୍ୟତମ ବ୍ୟାଟର୍ ଭାବେ ଏହି ମାଇଲ୍ଖୁଣ୍ଟ ପାର୍ କରିଛନ୍ତି।
ଅପରପକ୍ଷେ କୌଣସି ଦିନିକିଆ ବିଶ୍ବକପ୍ ସଂସ୍କରଣରେ ୫୦୦ରୁ ଅଧିକ ରନ୍ କରିବାରେ କୋହଲି ୧୭ତମ ବ୍ୟାଟର୍ ହୋଇଛନ୍ତି। ଚଳିତ ବିଶ୍ବକପ୍ରେ ସେ ତୃତୀୟ ବ୍ୟାଟର୍ ଭାବେ ୫୦୦+ ରନ୍ କରିଛନ୍ତି। ଦକ୍ଷିଣ ଆଫ୍ରିକାର କ୍ବିଣ୍ଟନ ଡି’କକ୍ ଓ ନ୍ୟୁଜିଲାଣ୍ଡର ରାଚିନ ରବୀନ୍ଦ୍ର ଏହି ତାଲିକାର ଆଗରେ ଅଛନ୍ତି। ୨୦୧୧ରେ ବିଶ୍ବକପ୍ ପଦାର୍ପଣ କରିଥିବା କୋହଲି ଭାରତକୁ ବିଜେତା କରାଇବାରେ ଅନ୍ୟତମ ଭୂମିକା ନେଇଥିଲେ। ଚଳିତ ବିଶ୍ବକପ୍ ପୂର୍ବରୁ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୯ ସଂସ୍କରଣରେ ଆସିଥିଲା। ସେହି ସଂସ୍କରଣରେ କୋହଲି ୫୫.୩୭ ହାରରେ ୪୪୩ ରନ୍ ସଂଗ୍ରହ କରିଥିଲେ। ସେହିପରି ଭାରତରେ ଦିନିକିଆ କ୍ରିକେଟ୍ରେ କୋହଲି ୬ ହଜାର ଆନ୍ତର୍ଜାତିକ ରନ୍ ପୂରଣ କରିଛନ୍ତି। ଘରୋଇ ପରିବେଶରେ ୬ ହଜାର ରନ୍ ପୂରଣ କରିବାରେ ସଚିନ ତେନ୍ଦୁଲକର ସର୍ବାଗ୍ରେ ଅଛନ୍ତି। ସଚିନ ୧୬୦ ପାଳିରୁ ୪୮.୧୧ ହାରରେ ୬୯୭୪ ରନ୍ ସଂଗ୍ରହ କରିଥିଲେ। କୋହଲି ୧୧୯ ପାଳିରୁ ଏହି ମାଇଖୁଣ୍ଟ ଛୁଇଁଛନ୍ତି।
ଯୋଉଠି ଆରମ୍ଭ ସେଇଠି ମାଇଲଖୁଣ୍ଟ
କୋହଲିଙ୍କ ଶତକୀୟ ଅଭିଯାନ ସଂଯୋଗବଶତଃ କୋଲ୍କାତାରେ ହିଁ ଆରମ୍ଭ ହୋଇଥିଲା। ଆଜକୁ ପାଖାପାଖି ୧୪ବର୍ଷ ତଳେ ଅର୍ଥାତ୍ ୨୦୦୯ ମସିହା ଡିସେମ୍ବର ୨୪ ତାରିଖରେ ନିଜ ପ୍ରଥମ ଶତକ ଶ୍ରୀଲଙ୍କା ବିପକ୍ଷରେ ହାସଲ କରିଥିଲେ। ଇଡେନ୍ ଗାର୍ଡେନ୍ସରେ ୧୦୯ ରନ୍ର ପାଳି ଖେଳି ଭାରତୀୟ କ୍ରିକେଟ୍ର ନୂଆ ନାୟକ ଭାବେ ଉଭା ହୋଇଥିଲେ। ଗତ ଦେଢ଼ ଦଶନ୍ଧି ଭିତରେ ଅନେକ ସ୍ମରଣୀୟ ପାଳି ଖେଳି କୋଟି କୋଟି କ୍ରିକେଟ୍ପ୍ରେମୀଙ୍କ ହୃଦୟର ଦେବତା ପାଲଟି ଯାଇଥିବା କୋହଲି ଅନ୍ତର୍ଜାତୀୟ ପଦାର୍ପଣ ବର୍ଷ (୨୦୦୮)ରେ କିନ୍ତୁ କୌଣସି ଶତକ ହାସଲ କରି ନଥିଲେ। ଏହା ପରେ ଟେଷ୍ଟ୍ ଖେଳୁଥିବା ଅଧିକାଂଶ ଦେଶ ବିପକ୍ଷରେ ଏକଦିବସୀୟ କ୍ରିକେଟ୍ ଶତକ ହାସଲ କରିବାର ଗୌରବ ଅର୍ଜନ କରିଥିଲେ। ଇତିମଧ୍ୟରେ ସେ ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ୧୦ ଶତକ ହାସଲ କରିଥିଲା ବେଳେ ଜିମ୍ବାୱେ ବିପକ୍ଷରେ ସର୍ବନିମ୍ନ ଗୋଟିଏ ଶତକ ହାସଲ କରିଛନ୍ତି। ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷରେ ୮, ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୯, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ଏବଂ ପାକିସ୍ତାନ ବିପକ୍ଷରେ ୩ଟି ଶତକ କରିବାର ଗୌରବ ଅର୍ଜନ କରିଛନ୍ତି।