କୋହଲିଙ୍କ ଅନୁପସ୍ଥିତି ବିରାଟ ଶୂନ୍ୟସ୍ଥାନ, ହେଲେ ବ୍ୟକ୍ତି ପାଇଁ ଦଳ କେବେ ଅଟକେ ନାହିଁ: ସଚିନ

ରୋହିତ ଫିଟ୍ ଥିଲେ ଅଷ୍ଟ୍ରେଲିଆ ଯିବା ଉଚିତ ‘ଅଷ୍ଟ୍ରେଲିଆ ପୂର୍ବାପେକ୍ଷା ଶକ୍ତିଶାଳୀ’

ମୁମ୍ବାଇ: ‘‘ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍ ପରେ ଅଧିନାୟକ ବିରାଟ ‌କୋହଲି ସ୍ବଦେଶ ଫେରି ଆ‌ସିବା ଭାରତୀୟ ଦଳରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିବ। ତେବେ ଏହା ମଧ୍ୟ ଯୁବ ତାରକାଙ୍କୁ ନିଜ ନିଜ ଦକ୍ଷତା ପ୍ରତିପାଦନ କରିବାର ବଳିଷ୍ଠ ସୁଯୋଗ ପ୍ରଦାନ କରିବ’’। କ୍ରିକେଟ୍ କିଂବଦନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବୁଧବାର ଏଭଳି ମନ୍ତବ୍ୟ ଦେଇଛନ୍ତି। ନିଜ ପ୍ରଥମ ସନ୍ତାନର ଜନ୍ମ ପାଇଁ ଚଳିତ ମାସ ୧୭ ତାରିଖରୁ ଆଡିଲେଡ୍‌ଠାରେ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଚାରି ଟିକିଆ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ମୁକାବିଲା ପରେ କୋହଲି ଭାରତ ଫେରି ଆସିବେ। ଫଳରେ ପରବର୍ତ୍ତୀ ତିନିଟି ଯାକ ଟେଷ୍ଟ୍ ତାଙ୍କ ବିନା ଖେଳିବ ଭାରତ । କୋହଲିଙ୍କ ଏହି ନିଷ୍ପତ୍ତିକୁ ନେଇ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟର୍‌ମାନେ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା ବେଳେ ସଚିନ ଆଜି ଏହି ବହୁ ବିତର୍କିତ କଥା ନେଇ ମୁହଁ ଖୋଲିଛନ୍ତି। ସେହିଭଳି ଭାରତ ପାଖରେ ସଂରକ୍ଷିତ ଖେଳାଳିଙ୍କର ଅଭାବ ନଥିବାରୁ ଏଥର ମଧ୍ୟ ଦଳ ଅଷ୍ଟ୍ରେଲିଆକୁ ତା’ ମାଟିରେ ହରାଇ ପାରିବ ବୋଲି ଦୃଢ଼ ଆଶାପୋଷଣ କରିଛନ୍ତି ସେ।

‘‘ଯେତେବେଳେ ଆପଣ କୋହଲିଙ୍କ ଭଳି ଜଣେ ଅଭିଜ୍ଞ ଖେଳାଳିଙ୍କୁ ହରାଇ ବସନ୍ତି, ନିଃସନ୍ଦେହରେ ଶୂନ୍ୟସ୍ଥାନ ସୃଷ୍ଟି ହୁଏ। ହେଲେ ଆମକୁ ଏକଥା‌ ବି ବୁଝିବାକୁ ହେବ ଯେ ଏହା କୌଣସି ବ୍ୟକ୍ତିଙ୍କ ବିଷୟରେ ନୁହେଁ। ଏହା ଆମ ସଂପୂର୍ଣ୍ଣ ଦଳର କଥା। ହେଲେ ସାଂପ୍ରତିକ ଭାରତୀୟଦଳ ବିଷୟରେ ସବୁଠାରୁ ଭଲ କଥା ହେଲା ଆମ ପାଖରେ ବହୁ ପ୍ରତିଭାବାନ ଯୁବ ଖେଳାଳି ଅଛନ୍ତି। ଭାରତର ବେଞ୍ଚ୍ ଷ୍ଟ୍ରେନ୍ଥ ଅତୁଳନୀୟ। କୋହଲିଙ୍କୁ ବ୍ୟକ୍ତିଗତ କାରଣ ପାଇଁ ଭାରତ ଫେରିବାକୁ ହେବ। ଏଣୁ ତାଙ୍କ ସ୍ଥାନରେ କିଛି ଯୁବ ଖେଳାଳିଙ୍କୁ ଖେଳିବାର ସୁଯୋଗ ମିଳିବ। ଏହା ଅନ୍ୟଜଣଙ୍କ ପାଇଁ ସ୍ବାଗତଯୋଗ୍ୟ ସୁଯୋଗ ହେବ’’ ବୋଲି ସଚିନ ଏକ ସାକ୍ଷାତକାର ଅବସରରେ କହିଥିଲେ।

‘ଅଷ୍ଟ୍ରେଲିଆ ପୂର୍ବାପେକ୍ଷା ଶକ୍ତିଶାଳୀ’
ଚଳିତ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ୧-୨ରେ ଏକଦିବସୀୟ ଶୃଙ୍ଖଳା ହାରିବା ପରେ ୨-୧ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତି ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଅନ୍ୟପକ୍ଷରେ ୨୦୧୮-୧୯ର ଗତ ଗସ୍ତରେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ୍ ଶୃଙ୍ଖଳା ଜିତିଥିଲା। ଏଥର ସେହି ସଫଳତା ‌ଦୋହରାଇବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ। ତେବେ ସେଥରର ଅଷ୍ଟ୍ରେଲିଆ ଦଳ ଅପେକ୍ଷା ଏଥରର କଙ୍ଗାରୁ ସେନା ଢେର ଶକ୍ତିଶାଳୀ ବୋଲି ସଚିନ ଆକଳନ କରିଛନ୍ତି। ବିଶେଷ କରି ଡେଭିଡ୍ ୱାର୍ନର ଓ ଷ୍ଟିଭେନ୍ ସ୍ମିଥ୍‌ଙ୍କ ଉପସ୍ଥିତି ପାଇଁ ଅଷ୍ଟ୍ରେଲିଆ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇ ପାରିଛି ବୋଲି ସଚିନ କହିଛନ୍ତି। ଏହି ବିଷୟରେ ନିଜ ବିଶେଷଜ୍ଞ ମତ ଦେଇ ସଚିନ କହିଛନ୍ତି ଯେ ଦୁଇ ବର୍ଷ ତଳର ଅଷ୍ଟ୍ରେଲିଆ ଦଳ ଅପେକ୍ଷା ଏବେକାର ଅଷ୍ଟ୍ରେଲିଆ ଢେର ଶକ୍ତିଶାଳୀ। ଡେଭିଡ୍ ୱାର୍ନର, ଷ୍ଟିଭେନ୍ ସ୍ମିଥ୍ ଓ ମାର୍ନସ ଲବୁସାନେଙ୍କ ରୂପରେ ସେମାନେ ତିନି ଜଣ ଦକ୍ଷ ଖେଳାଳି ପାଇଛନ୍ତି। ଯେତେବେଳେ ଅପଣଙ୍କ ଦଳର ଦୁଇ ତିନି ଜଣ ପ୍ରମୁଖ ଖେଳାଳି ନଥା’ନ୍ତି, ସେତେବେଳେ ଶୂନ୍ୟସ୍ଥାନ ସୃଷ୍ଟି ହେବା ସ୍ବାଭାବିକ। ହଠାତ୍ ଆପଣ ସେମାନଙ୍କ ଅନୁପସ୍ଥିତି ଅନୁଭବ କରନ୍ତି ଏବଂ ଅଷ୍ଟ୍ରେଲିଆ ସହ ଠିକ୍ ଏହା ହିଁ ଘଟିଥିଲା। ଅବଶ୍ୟ ଯଶପ୍ରୀତ ବୁମ୍‌ରା ଏବଂ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କୁ ନେଇ ଗଠିତ ଭାରତୀୟ ବୋଲିଂ ବାହିନୀ ମଧ୍ୟ ତୁଳନାତ୍ମକ ଭାବେ ଶକ୍ତିଶାଳୀ। ସେମାନେ ଅଷ୍ଟ୍ରେଲିଆକୁ କଡ଼ା ଟକ୍କର ଦେଇ ପାରିବେ।

ରୋହିତ ଫିଟ୍ ଥିଲେ ଅଷ୍ଟ୍ରେଲିଆ ଯିବା ଉଚିତ
ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଫିଟନେସ୍ ଏବଂ ଅଷ୍ଟ୍ରେଲିଆ ଗସ୍ତ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଓ ସଂଶୟ ଉପରେ ମଧ୍ୟ ସଚିନ ତାଙ୍କ ମତ ରଖିଛନ୍ତି। ‘‘ରୋହିତଙ୍କ ଫିଟନେସ୍ ନେଇ ମୋ ପାଖରେ କୌଣସି ଖବର ନାହିଁ। ଏକଥା ବିସିସିଆଇ ଓ ରୋହିତଙ୍କୁ ଜଣା। ସେମାନେ ପରସ୍ପରର ସଂପର୍କରେ ଅଛନ୍ତି ଏବଂ ଫିଜିଓ ଓ ଦଳୀୟ ପରିଚାଳନା ମଣ୍ଡଳି ମଧ୍ୟ ଏହି ବିଷୟରେ ଅବଗତ ଅଛି। ସେମାନେ ଏହି ବିଷୟରେ ସବିଶେଷ ତଥ୍ୟ ଦେଇ ପାରିବେ। ଯଦି ରୋହିତ ସମସ୍ତ ଫିଟନେସ୍ ଟେଷ୍ଟ୍‌କୁ ସଫଳତାର ସହ ଅତିକ୍ରମ କରନ୍ତି, ତାହାଲେ ତାଙ୍କ ଭଳି ଜଣେ ଖେଳାଳି ଅଷ୍ଟ୍ରେଲିଆ ଯିବା ଉଚିତ। ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ ସେ ଅଷ୍ଟ୍ରେଲିଆରେ ଖେଳିବା ଦରକାର’’ ବୋଲି ସଚିନ କହିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିବା ଟି ନଟରାଜନ୍‌ଙ୍କୁ ଭାରତୀୟ ଟେଷ୍ଟ୍ ଦଳରେ ସାମିଲ କରିବା ପ୍ରସ୍ତାବ ଉପରେ ସଚିନ କିଛି କହିବାକୁ ମନା କରି ଦେଇଥିଲେ। ଏହି ବିଷୟରେ ନିଷ୍ପତ୍ତି ଚୟନକର୍ତ୍ତା ନେବା ଠିକ୍ ହେବ। ମୁଁ ସେମାନଙ୍କ ନିକଟରେ ମୋ ମତ ଲଦିଦେବାକୁ ଚାହେନାହିଁ ବୋଲି ସଚିନ ମତ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର