ସୂର୍ଯ୍ୟକୁମାରଙ୍କ ପ୍ରତି କୋହଲିଙ୍କ ଆଚରଣକୁ ନେଇ ଟ୍ବିଟର୍‌ ଝଡ଼, ସାହସ ଓ ଧୈର୍ଯ୍ୟ ରଖିବାକୁ ସୂର୍ଯ୍ୟଙ୍କୁ ଶାସ୍ତ୍ରୀଙ୍କ ପରାମର୍ଶ

ଆବୁ ଧାବି: ପଡ଼ିଆ ମଧ୍ୟରେ ‌ନିଜର ଆକ୍ରମଣାତ୍ମକ ଆଚରଣ ଲାଗି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଜଣାଶୁଣା। ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ବେଳେ କୋହଲି ଏଭଳି ଆଚରଣ ଦେଖାଇଥିଲେ। ଏହି ମ୍ୟାଚ୍‌ର ହିରୋ ସୂର୍ଯ୍ୟକୁମାର ଯାଦବଙ୍କ ଲୟକୁ ବିଗାଡ଼ିବା ଲାଗି ସେ ଚେଷ୍ଟା କରିଥିଲେ। ଏହି ଘଟଣାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଟ୍ବିଟର୍‌ରେ ଝଡ଼ ଦେଖିବାକୁ ମିଳିଥିଲା। କିଛି ଟ୍ବିଟର୍‌ ବ୍ୟବହାରକାରୀ କୋହଲିଙ୍କୁ ସମାଲୋଚନା‌ କରିଥିଲେ। ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର କଭର୍‌ ଅଞ୍ଚଳକୁ ଏକ ସଟ୍‌ ମାରିଲା ବେଳେ‌ କୋହଲି ଏହାକୁ ଅଟକାଇ ଥିଲେ। ଏହା ପରେ ସୂର୍ଯ୍ୟକୁମାରଙ୍କୁ କୋହଲି ଏକଲୟରେ ଅନାଇ ରହିଥିଲେ। ସୂର୍ଯ୍ୟକୁମାର ଭୟଭୀତ ନହୋଇ ଗୋଟିଏ ଇଞ୍ଚ ବି ପଛକୁ ନଯାଇ କୋହଲିଙ୍କୁ ସେହିପରି ଅନେଇ ରହିଥିଲେ। ୧୫ ସେକେଣ୍ଡ ଧରି ଏଭଳି ଚାଲିଥିଲା। ଏହି ସମୟର ଫଟୋ ଭାଇରାଲ ହେବାରୁ କୋହଲିଙ୍କ ଏଭଳି କାର୍ଯ୍ୟକଳାପକୁ ଅନେକ ଟ୍ବିଟର ବ୍ୟବହାରକାରୀ ନାପସନ୍ଦ କରିବା ସହ ଲଜ୍ଜାଜନକ ବୋଲି ମନ୍ତବ୍ୟ ରଖିଥିଲେ। ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ୪୩ ବଲ୍‌ରେ ଅପରାଜିତ ୭୯ ରନ୍‌ କରି ମୁମ୍ବାଇକୁ ବିଜୟ ଭେଟି ଦେଇଥିଲେ। ଏହି ବିଜୟ ସହ ମୁମ୍ବାଇ ‌ପ୍ରଥମ ଦଳ ଭାବେ ୧୨ ମ୍ୟାଚ୍‌ରୁ ୧୬ ପଏଣ୍ଟ୍‌ କରାୟତ୍ତ କରି ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିଥିଲା।

ଅନ୍ୟପକ୍ଷରେ ପ୍ରତୀକ୍ଷିତ ଅଷ୍ଟ୍ରେଲିଆ ଗସ୍ତ ଲାଗି ଭାରତୀୟ ଦଳ ଚୟନ କଲା ବେଳେ ଚୟନକର୍ତ୍ତା ମୁମ୍ବାଇ ଇଣ୍ଡିଆନ୍ସର ସଫଳ ତାରକା ସୂର୍ଯ୍ୟକୁମାର ଯାଦବଙ୍କୁ ଅଣଦେଖା କରିବା ପରେ ପ୍ରତିବାଦର ସ୍ବର ଉଠିଛି। ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସରକାର ଏବଂ ଟର୍ବାନେଟର ହରଭଜନ ସିଂହ ଏଥିଲାଗି ଚୟନକର୍ତ୍ତାଙ୍କୁ ଖୋଲା ସମାଲୋଚନା କରିଛନ୍ତି। ତେବେ ଧୈର୍ଯ୍ୟ ନହରାଇ ସାହସର ସହ ସୁଯୋଗକୁ ଅପେକ୍ଷା କରିବାକୁ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ବୁଧବାର ବିସ୍ଫୋରକ ଅର୍ଧଶତକ ଅର୍ଜନ କରି ମୁମ୍ବାଇକୁ ଆଇପିଏଲ୍‌ର ପ୍ଲେ ଅଫ୍‌ରେ ପହଞ୍ଚାଇଥିବା ସୂର୍ଯ୍ୟକୁମାରଙ୍କୁ ପରାମର୍ଶ ଦେଇଛନ୍ତି। ୩୦ ବର୍ଷୀୟ ସୂର୍ଯ୍ୟକୁମାର ଗତ ଘରୋଇ ଋତୁରେ ଚମତ୍କାର ପ୍ରଦର୍ଶନ କରିବା ସହ ଚଳିତ ଆଇପିଏଲ୍‌ରେ ମଧ୍ୟ ପ୍ରଭାବୀ ଖେଳ ଦେଖାଇଛନ୍ତି। ବୁଧବାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷରେ ୧୦ ଚୌକା ଏବଂ ୩ ଛକା ସହ ୭୯ ରନ୍‌ର ଅପରାଜିତ ଓ ମହତ୍ବପୂର୍ଣ୍ଣ ପାଳି ଖେଳିଥିଲେ ସେ। ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ପରୋକ୍ଷରେ ସଙ୍କେତ ଦେଇ ଶାସ୍ତ୍ରୀ ଟ୍ବିଟ୍ କରିଥିଲେ ଯେ ‘ସୂର୍ଯ୍ୟ ନମସ୍କାର। ଶକ୍ତିଶାଳୀ ଓ ଧୈର୍ଯ୍ୟବାନ ରୁହ। ସାହସର ସହ ସୁଯୋଗକୁ ଅପେକ୍ଷା କର’। ସୂର୍ଯ୍ୟଙ୍କ ଚମକଭରା‌ ପାଳିକୁ ପୂର୍ବତନ ବିସ୍ଫୋରକ ବ୍ୟାଟର ବୀରେନ୍ଦ୍ର ସେହବାଗ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ ଯେ ସୂର୍ଯ୍ୟକୁମାର ଚଳିତ ଆଇପିଏଲ୍‌ରେ ୧୨ ମ୍ୟାଚ୍ ଖେଳି ୪୦.୨୨ ହାରରେ ୩୬୨ ରନ୍ କରିଛନ୍ତି।

ସମ୍ବନ୍ଧିତ ଖବର