କୋହଲିଙ୍କ ଭଳି ଷ୍ଟ୍ରାଇକ୍ ରୋଟେଟ୍ ଦକ୍ଷତା ରୋହିତ, ଗେଲ୍ ଓ ଡି’ଭିଲିୟର୍ସଙ୍କର ନାହିଁ

କୋହଲିଙ୍କ ଚୟନ କାହାଣି କହିଲେ ଭେଙ୍ଗସରକାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବ ଦକ୍ଷତା ନେଇ ପ୍ରଶ୍ନ ଉଠାଇବାର ଦିନକ ପରେ ତାଙ୍କ ପୂର୍ବତନ ସାଥୀ ତଥା ବିଶ୍ବକପ୍ ବିଜେତା କ୍ରିକେଟର ଗୌତମ ଗମ୍ଭୀର ନିଜ ସ୍ବର ବଦଳାଇଛନ୍ତି। କୋହଲିଙ୍କ ଷ୍ଟ୍ରାଇକ୍ ରୋଟେଟ୍ ବା ସିଙ୍ଗଲ ନେଇ କ୍ରିଜ୍‌ରେ ପଟ ପରିବର୍ତ୍ତନ କରିବାର ଦକ୍ଷତାକୁ ଗମ୍ଭୀର ମଙ୍ଗଳବାର ପ୍ରଶଂସା କରିଛନ୍ତି। ଏପରିକି ଏହି କ୍ଷେତ୍ରରେ କୋହଲି ବିଶ୍ବର ଅନ୍ୟ ତିନି ମହାନ ସୀମିତ ଓଭର କ୍ରିକେଟର ରୋହିତ ଶର୍ମା, କ୍ରିସ୍‌ ଗେଲ୍ ଓ ଏବି ଡି’ଭିଲିୟର୍ସଙ୍କଠାରୁ ଭଲ ବୋଲି ମତ ରଖିଛନ୍ତି। କୋହଲିଙ୍କୁ ସୀମିତ ଓଭର କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ବର୍ଣ୍ଣନା କରି ଗମ୍ଭୀର କହିଛନ୍ତି ଯେ ‌ଷ୍ଟ୍ରାଇକ୍ ରୋଟେଟ୍ କରିବାରେ କୋହଲି ଅନ୍ୟମାନଙ୍କଠାରୁ ଢେର ଆଗରେ। ଆପଣ ରୋହିତ ଶର୍ମାଙ୍କୁ ଦେଖନ୍ତୁ କୋହଲିଙ୍କ ପାଖରେ ଥିବା ଗୁଣ ତାଙ୍କ ପାଖରେ ନାହିଁ। ଏହି ଗୁଣଟି ହେଲା ଷ୍ଟ୍ରାଇକ୍ ରୋଟେଟ୍ କରିବା ବା ବଦଳାଇବା। ରୋହିତଙ୍କ ପାଖରେ ଅବଶ୍ୟ ବଡ଼ ବଡ଼ ସଟ୍‌ ଖେଳିବାରର ବିକଳ୍ପ ରହିଛି। ହେଲେ ସିଙ୍ଗଲ ନେବା ଦକ୍ଷତା ପାଇଁ ହିଁ ରୋହିତଙ୍କ ତୁଳନାରେ କୋହଲି ଅଧିକ ସ୍ଥିର ପ୍ରଦର୍ଶନ ଦେଉଛନ୍ତି। ସେପଟେ କ୍ରିସ୍ ଗେଲ୍‌ଙ୍କ ପାଖରେ ଷ୍ଟ୍ରାଇକ୍ ବଦଳାଇବାର କଳା ପ୍ରାୟ ନାହିଁ। ସେହିଭଳି ସ୍ପିନ୍ ବୋଲିଂ ପ୍ରତ୍ୟେକ ବଲ୍‌ରୁ ରନ୍ ନେବାର କ୍ଷମତା ଓ କଳା ଡି’ଭିଲିୟର୍ସଙ୍କର ନାହିଁ। କୋହଲିଙ୍କର ଏଭଳି ଦକ୍ଷତା ଅଛି। ସେଥିପାଇଁ ସେ ୫୦ରୁ ଅଧିକ ହାରରେ ରନ୍ ସଂଗ୍ରହ କରନ୍ତି। କୋହଲିଙ୍କ ଛଡ଼ା ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ପାକିସ୍ତାନର ବାବର ଆଜମ କ୍ରିକେଟ୍‌ର ତିନିଟି ଫର୍ମାଟ ଯଥା ଟେଷ୍ଟ୍, ଦିନିକିଆ ଓ ଟ୍ବେଣ୍ଟି-୨୦ରେ ୫୦ରୁ ଅଧିକ ହାରରେ ରନ୍ ସଂଗ୍ରହ କରିଛନ୍ତି। ଲୋକମାନେ ଡଟ୍ ବଲ୍ (କୌଣସି ରନ୍ ସଂଗ୍ରହ ହୋଇ ନଥିବା ବଲ୍)କୁ ଅଧିକ ମହତ୍ବ ଦିଅନ୍ତି ନାହିଁ। ହେଲେ ଯଦି ଅପଣ ସ୍ବଳ୍ପ ସଂଖ୍ୟକ ଡଟ୍ ବଲ୍ ଖେଳିବେ, ତାହାଲେ ନିଜ ଉପରୁ ଅନେକ ଚାପ ହଟାଇ ପାରିବେ। କ୍ରିକେଟ୍‌ରେ ଛକା, ଚୌକା ମାରିବା ସବୁଠାରୁ ସହଜ। କାରଣ ଏହା କରି ଆପଣ ଏକ ବିପଜ୍ଜନକ ସଟ୍ ଖେଳୁଛନ୍ତି। ଏଥିରେ ସଫଳ ହେଲେ ସମସ୍ତେ ଆପଣଙ୍କୁ ଭଲ ପାଆନ୍ତି। ଯଦି ବିଫଳ ହୁଅନ୍ତି, ଆପଣ ସମ୍ଭବତଃ ପ୍ୟାଭିଲିୟନ ଫେରିବା ସାର ହୁଏ। ବିଶ୍ବ କ୍ରିକେଟ୍‌ରେ ଏମିତି ଖୁବ୍ କମ୍‌ ବ୍ୟାଟ୍ସମ୍ୟାନ୍ ଅଛନ୍ତି, ଯିଏ ପ୍ରତ୍ୟେକ ବଲ୍‌ରେ ଷ୍ଟ୍ରାଇକ୍ ରୋଟେଟ୍ କରିପାରନ୍ତି। ଆଉ କୋହଲି ଏହାହିଁ ସମସ୍ତଙ୍କଠାରୁ ଭଲ ଭାବରେ କରିପାରନ୍ତି ବୋଲି ଗମ୍ଭୀର କହିଛନ୍ତି। ଶେଷରେ କୋହଲି ଜଣେ ସ୍ମାର୍ଟ କ୍ରିକେଟର୍‌ ଏବଂ ଫିଟ୍‌ନେସ୍‌ ହିଁ ତାଙ୍କର ପ୍ରମୋଘ ଶକ୍ତି ବୋଲି କହିଛନ୍ତି ଗମ୍ଭୀର। ଫିଟ୍‌ନେସ୍‌ ହିଁ ତାଙ୍କୁ ଷ୍ଟ୍ରାଇକ୍‌ ରୋଟେଟ୍‌ କରିବାର ସାମର୍ଥ୍ୟ ଆଣିଦେଇଥାଏ ବୋଲି ଗମ୍ଭୀର କହିଛନ୍ତି।

କୋହଲିଙ୍କ ଚୟନ କାହାଣି କହିଲେ ଭେଙ୍ଗସରକାର
ନୂଆଦିଲ୍ଲୀ: ଜଣେ ପୂର୍ବତନ ଖେଳାଳି ଯେ କି ଯୁବ ଖେଳାଳିର ପ୍ରତିଭାକୁ ଭଲ ଭାବେ ଚିହ୍ନିପାରିଥାଏ ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ଦିଲୀପ ଭେଙ୍ଗସରକାର। ୧୨ ବର୍ଷ ତଳେ କୋହଲିଙ୍କୁ ହିଁ ଭାରତୀୟ ବରିଷ୍ଠ ଦଳକୁ ଆଣିଥିଲେ ତତ୍‌କାଳୀନ ମୁଖ୍ୟ ଚୟନକର୍ତା ଭେଙ୍ଗସରକାର। ଏଥିପାଇଁ ସେ ନିଜକୁ ଗର୍ବିତ ମନେ କରିଥାନ୍ତି ଏବଂ ଆତ୍ମପ୍ରସନ୍ନ ବି ହୁଅନ୍ତି। ବିରାଟ କୋହଲି ଏବେ ବିଶ୍ବ କ୍ରିକେଟ୍‌ର ଏକ ବଡ଼ ନାଁ’ଟିଏ। ବର୍ତମାନର ‌ବ୍ୟାଟସମ୍ୟାନ୍‌ଙ୍କ ମଧ୍ୟରେ ଶ୍ରେଷ୍ଠ ବିବେଚିତ ହେଉଛନ୍ତି। ସ୍ବାଭାବିକ ଭାବେ ଭେଙ୍ଗସରକାର ଗର୍ବିତ ହେବା କଥା। ୧୨ ବର୍ଷ ତଳେ କୋହଲି କିଭଳି ତାଙ୍କୁ ପ୍ରଭାବିତ କରିଥିଲେ ସେ କାହାଣିକୁ ରବିବାର ଭେଙ୍ଗସରକାର ପ୍ରକାଶ କରିଛନ୍ତି। ୨୦୦୮ ମସିହାରେ କୋହଲିଙ୍କ ନେତୃତ୍ବରେ ଭାରତ ୧୯ ବ‌ର୍ଷରୁ କମ୍ ବିଶ୍ବକପ୍‌ ଜିତିଥିଲା। ବ୍ୟକ୍ତିଗତ ଭାବେ ସେ ବି ଭଲ କରିଥିଲେ। କୋହ‌ଲିଙ୍କୁ କିନ୍ତୁ ବହୁ ପୂର୍ବରୁ ଭେଙ୍ଗସରକାର ଦେଖିଥିଲେ। କୋଲକାତାରେ ଏକ ୧୬ ବର୍ଷରୁ କମ୍‌ ମ୍ୟାଚ୍‌ରେ ବ‌ମ୍ବେ ବିପକ୍ଷରେ ‌ଖେଳିବା ବେଳେ ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା। ତେଜସ୍ବୀ ଯାଦବ ଥିଲେ ଅଧିନାୟକ। ଭାରି ବଢ଼ିଆ ଦେଖାଯାଉଥିଲେ। କିନ୍ତୁ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ରେ ସେ ଚମତ୍କାର ଖେଳିଥିଲେ ଓ ଭଲ ନେତୃତ୍ବ ବି ନେଇଥିଲେ। ଏହା ପରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଇମର୍ଜିଂ ପ୍ଲେୟାର୍ସ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତ ଖେଳିଥିଲା। ସେହି ସମୟରେ ମୁଁ ‌ଅଷ୍ଟ୍ରେଲିଆ ଗସ୍ତ କରିଥିଲି। ନ୍ୟୁଜିଲାଣ୍ଡ୍ ବିପକ୍ଷ ମ୍ୟାଚ୍‌ରେ ସେ ପାଳି ଆରମ୍ଭ କରି ୧୨୦* ରନ୍‌ କରିଥିଲେ। ୨୪୯ ରନ୍‌ର ବିଜୟ ଲକ୍ଷ୍ୟକୁ ବି ଭାରତ ପଶ୍ଚାତଧାବନ କରି ଦଳ ଜିତିଥିଲା। ମୁଁ ପ୍ରତିଟି ବଲ୍‌ ଦେଖିଥିଲି। ଶତକ ହାସଲ କରିବା ପରେ ‌ବି ସେ ୱିକେଟ୍ ଫିଙ୍ଗି ନ ଦେଇ ଦଳକୁ ବିଜୟୀ କରାଇ ଫେରିଥିଲେ। ଏହା ହିଁ ମୋତେ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରିଥିଲା। ସେଦିନ ମୁଁ ଭାବିଥିଲି ଏ ପିଲାଟି ନିଶ୍ଚିତ ଭାରତୀୟ ଦଳର ଭବିଷ୍ୟତ। ଭାରତୀୟ ଦଳ ପାଇଁ ତାଙ୍କୁ ଖେଳାଯିବା ଆବଶ୍ୟକ, ସେ ମାନସିକ ଭାବେ ମଧ୍ୟ ପରିପକ୍ବ ଥିଲେ। ଆମେ ତାଙ୍କୁ ବାଛିଥିଲୁ, ଆଉ ସବୁ ଇତିହାସ ପାଲଟିଯାଇଛି।

ସମ୍ବନ୍ଧିତ ଖବର