ଭୁବନେଶ୍ବର: ସେପ୍ଟେମ୍ବର ୮ ତାରିଖରେ ବିରାଟ କୋହଲିଙ୍କ ଅନ୍ତର୍ଜାତୀୟ ଶତକ ମରୁଡି ଦୂର ହୋଇଥିଲା। ଆଫ୍ଗାନିସ୍ତାନ ବିପକ୍ଷ ଏସିଆ କପ୍ ଶେଷ ସୁପର୍ ଫୋର୍ ମ୍ୟାଚ୍ରେ କୋହଲି ୬୧ ବଲ୍ରୁ ୧୨୨ ରନ୍ର ପାଳି ଖେଳି ଦୀର୍ଘ ପ୍ରତୀକ୍ଷାରେ ଅନ୍ତ ଘଟାଇଥିଲେ। ସେତେବେଳକୁ କୋହଲି ୧୦୨୧ ଦିନ ପର୍ଯ୍ୟନ୍ତ ତିନି ଅଙ୍କ ନ ଛୁଇଁ ସମାଲୋଚନାର ଶରବ୍ୟ ହୋଇଚାଲିଥିଲେ। କେବଳ ଅଧିନାୟକ ରୋହିତ ଶର୍ମା ଏବଂ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ହିଁ ତାଙ୍କୁ ସମର୍ଥନ କରିଆସୁଥିଲେ। ଯେଉଁ ଲମ୍ବା ପ୍ରତୀକ୍ଷାକୁ ନେଇ କୋହଲିଙ୍କୁ ସମାଲୋଚକ ତଥା ନିନ୍ଦୁକମାନେ କଟୁ କଥା କହୁଥିଲେ ଏହା ସପକ୍ଷରେ କିଛି ବଳିଷ୍ଠ ପରିସଂଖ୍ୟାନ ନଥିବା ଜଣାପଡ଼ିଛି। ଏପରିକି ଅଧିନାୟକ ରୋହିତ ଶର୍ମା ଏହାକୁ ଭଲ ଭାବେ ଜାଣିଥିବାରୁ ଏବଂ ବ୍ୟକ୍ତିଗତ ଭାବେ ଅଙ୍ଗେ ନିଭାଇଥିବାରୁ ସମର୍ଥନ କରିବା ସ୍ବାଭାବିକ ଥିଲା। ଏସିଆ କପ୍ରେ ଶତକ ଜମାଇବା ପରେ ଦ୍ରାବିଡ଼ କହିଥିଲେ, ‘କୋହଲିଙ୍କ ପରିସଂଖ୍ୟାନକୁ ନେଇ ପ୍ରଶଂସକମାନେ ବ୍ୟତିବ୍ୟସ୍ତ ହୋଇପଡୁଥିଲେ, ଆମ ପାଇଁ କିନ୍ତୁ ସେଭଳି କିଛି ନଥିଲା।’ ରୋହିତ କହିଥିଲେ, ‘କୋହଲିଙ୍କ ଫର୍ମ ଆମ ପାଇଁ ଚିନ୍ତାର କାରଣ ନଥିଲା, ସେ ଶତକ ହାସଲ କରିବା ଭିନ୍ନ ପ୍ରସଙ୍ଗ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ୨ ଅର୍ଦ୍ଧଶତକ ଜମାଇଥିଲେ, ଭଲ ବ୍ୟାଟିଂ ବି କରୁଥିଲେ। ତାଙ୍କ ବ୍ୟାଟିଂରେ କିଛି ଭୁଲ ନଥିଲା’।
ରୋହିତଙ୍କ କଥାରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଲମ୍ବା ସମୟ ପାଇଁ ଶତକ ହାସଲ ନକରିପାରିବା କିଛି ବଡ଼ ଚିନ୍ତାଜନକ ପ୍ରସଙ୍ଗ ନୁହେଁ। କୋହଲିଙ୍କ ପୂର୍ବରୁ ସେ ନିଜେ ଏହାକୁ ଅଙ୍ଗେ ନିଭାଇ ସାରିଥିଲେ। ୨୦୧୦ ମସିହାରେ ରୋହିତ ଲଗାତାର ଭାବେ ନିଜ ଖେଳ ଜୀବନର ପ୍ରଥମ ଦୁଇ ଶତକ ଅର୍ଜନ କରିଥିଲେ। କିନ୍ତୁ ପରବର୍ତୀ ଶତକଟିଏ ପାଇଁ ରୋହିତଙ୍କୁ ୧,୨୩୫ ଦିନ ସଂଘର୍ଷ କରିବାକୁ ପଡ଼ିଥିଲା। କୋହଲିଙ୍କ ପ୍ରତୀକ୍ଷାଠାରୁ ରୋହିତ ୨୧୪ ଦିନ ଅଧିକ ନେଇଥିଲେ। ରୋହିତ ଦ୍ବିତୀୟ ଥର ପାଇଁ ମଧ୍ୟ ନିମ୍ନଗାମୀ ହୋଇଥିଲେ। ସମସ୍ତ ଫର୍ମାଟ୍ରେ ରୋହିତ ନିଜ ୧୩ତମ ଶତକଠାରୁ ୧୪ତମ ଶତକ ଜମାଇବା ପାଇଁ ୫୦୦ରୁ ଅଧିକ ଦିନ ନେଇଥିଲେ।
/sambad/media/post_attachments/wp-content/uploads/2022/09/654h6465fs465fhfhfhfh.jpg)
ତଥ୍ୟକୁ ଅନୁସରଣ କଲେ ଜଣାପଡ଼େ କ୍ରିକେଟ୍ର ମହାନ ଖେଳାଳିମାନେ ନିଜ ନିଜ ଖେଳ ଜୀବନରେ ଏଭଳି ସଂଘର୍ଷ କରିବା କିଛି ବଡ଼ ବ୍ୟତିକ୍ରମ ନୁହେଁ। ସେହି ଦୃଷ୍ଟିରୁ କୋହଲିଙ୍କୁ ନେଇ ଯେଉଁମାନେ ତୁମ୍ଭିତୋଫାନ କରୁଥିଲେ ଏହା ଯୁକ୍ତିସଂଗତ ନଥିଲା। ଉଦାହରଣ ଭାବେ ଦେଖିଲେ ଶ୍ରୀଲଙ୍କାର ଅର୍ଜୁନ ରଣତୁଙ୍ଗା ତାଙ୍କ ଦ୍ବିତୀୟଠାରୁ ତୃତୀୟ ଶତକ ପର୍ଯ୍ୟନ୍ତ ୨୩୪୦ ଦିନ ଶତକ ମରୁଡ଼ିରେ ଥିଲେ। ବିଶ୍ବକପ୍ ବିଜେତା ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ୱ ୧,୧୧୩ ଦିନ ବ୍ୟବଧାନ ପରେ ଶତକ ମାରିଥିଲେ। ସବୁଠୁ ଅଧିକ ବ୍ୟବଧାନ କିନ୍ତୁ ନେଇଥିଲେ ଇଂଲଣ୍ଡର ମାଇକ୍ ଗ୍ୟାଟିଂ (୨,୭୩୦ ଦିନ)। କିଛି ପ୍ରମୁଖ ବ୍ୟାଟର୍ଙ୍କୁ ମନୋନୀତ କରି ଏହି ପରିସଂଖ୍ୟାନ ସମସ୍ତ ଫର୍ମାଟ୍କୁ ନେଇ ପ୍ରସ୍ତୁତ ହୋଇଛି। ବିଶ୍ବ ବ୍ୟାଟର୍ଙ୍କ ତାଲିକାରେ କୋହଲିଙ୍କ ଉପରେ ୨୩ ଜଣ ଏବଂ ତଳେ ଅନ୍ୟୁନ ଆଉ ୨୩ ଜଣ ରହିଛନ୍ତି।
ସେହିଭଳି ପ୍ରମୁଖ ମନୋନୀତ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଦୁଇଟି ଶତକ ହାସଲ ଭିତରେ ସର୍ବାଧିକ ବ୍ୟବଧାନ ମନୋଜ ପ୍ରଭାକରଙ୍କ ନାମରେ ରହିଛି। ସେ ୨,୭୭୫ ଦିନ ନେଇଥିଲେ। ଯୁବରାଜ ସିଂହ ଦ୍ବିତୀୟ ସର୍ବାଧିକ ୨,୧୩୨ ଦିନ ନେଇଥିଲେ। କୋହଲିଙ୍କ ତୁଳନାରେ ଅଧିକ ଦିନ ନେଇଛନ୍ତି ୪ ପୂର୍ବତନ ଭାରତୀୟ ଅଧିନାୟକ କପିଳ ଦେବ (୧,୧୮୮), ମହେନ୍ଦ୍ର ସିଂହ ଧୋନି (୧,୧୮୮), ସୁନିଲ ଗାଭାସ୍କର (୧,୧୫୦), ମହମ୍ମଦ ଆଝାରୁଦ୍ଦିନ୍ (୧,୦୨୩)। ସବୁଠାରୁ ମଜାଦାର ତଥ୍ୟ ହେଉଛି ଫାବ୍-୪ ଭାବେ ପରିଚିତ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ଼ ଏବଂ ଭିଭିଏସ୍ ଲକ୍ଷ୍ମଣ ଏତେ ଲମ୍ବା ସମୟ ଧରି ଶତକ ମରୁଡିର ସମ୍ମୁଖୀନ ହୋଇନଥିଲେ। ଆଉ ଏକ ମଜାଦାର ତଥ୍ୟ ମଧ୍ୟ କୋହଲିଙ୍କ ପାଇଁ ଆଶ୍ବସ୍ତି ଆଣିଛି। ଖେଳ ଜୀବନର କେଉଁ ଭାଗରେ କିଏ ଶତକ ମରୁଡ଼ିର ବ୍ୟବଧାନ ଅଧିକ ରଖିଛନ୍ତି ସେଥିରେ କୋହଲି କିଛି ପ୍ରମୁଖଙ୍କ ମଧ୍ୟରେ ରହିଛନ୍ତି। ମାଥ୍ୟୁ ହେଡେନ୍, ଶିବ ନାରାୟଣ ଚନ୍ଦରପଲ୍ ସେମାନଙ୍କ ଖେଳ ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟରେ ଏଭଳି ବ୍ୟବଧାନ ପାଇଥିଲେ। ଭିଭିଆନ୍ ରିଚାର୍ଡସ, କ୍ଲାଇବ୍ ଲୟଡ୍, ଜିଓଫ୍ରେ ବୟକଟ୍ ସେମାନଙ୍କ ଖେଳ ଜୀବନର ମଧ୍ୟଭାଗରେ ସଂଘର୍ଷ କରି ଏହା ଦୂର କରିଥିଲେ। କୋହଲି ଏମାନଙ୍କ ସାଥିର ବୋଲି ଅନୁଭବ କରି ଆଶ୍ବସ୍ତ ହୋଇପାରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/virat-kohli.jpg)