ନୂଆଦିଲ୍ଲୀ: ଏସିଆ କପ୍‌ ପୂର୍ବରୁ ଭାରତୀୟ ଦଳ ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ରେ ଆୟୋଜିତ ପ୍ରଶିକ୍ଷଣ ଶିବର ଲାଗି ଏକାଠି ହୋଇଛନ୍ତି। ଏସିଆ କପ୍‌ରେ ଭାରତ ସେପ୍ଟେମ୍ବର ୨ ତାରିଖରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହ ଖେଳି ଅଭିଯାନ ଆରମ୍ଭ କରିବ। ଶ୍ରୀଲଙ୍କାର ପାଲେକେଲ୍‌ରେ ଏହା ଖେଳାଯିବ। ଏହି ବହୁ ପ୍ରତୀକ୍ଷିତ ମୁକାବିଲା ପୂର୍ବରୁ ଭାରତୀୟ ବ୍ୟାଟର୍ ବିରାଟ କୋହଲି ଗୁରୁବାର ଦେଇଥିବା ଫିଟ୍‌ନେସ୍ ଟେଷ୍ଟରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ଖବରକୁ ସାମଜିକ ଗଣମାଧ୍ୟମରେ ଛାଡ଼ି କୋହଲି ତାଙ୍କ ଖୁସି ଜାହିର କରିଛନ୍ତି। ‌‘ୟୋ ‌‌ୟୋ ଟେଷ୍ଟ୍‌ର ଖୁସି ମିଳିଲା, ୧୭.୨ ମିଳିଲା’ ବୋଲି କୋହଲି ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ଲେଖିଛନ୍ତି। ବିଶ୍ବ କ୍ରିକେଟ୍‌ରେ କୋହଲିଙ୍କ ଫିଟନେସ୍‌ ଢ଼େର ଚର୍ଚ୍ଚା ସୃଷ୍ଟି କରି ଆସିଛନ୍ତି। ବାରମ୍ବାର ସେ ଏହାକୁ ପ୍ରମାଣିତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ବ‌ିଶେଷ କରି ଟେଷ୍ଟ୍ କ୍ରିକେଟ୍‌ରେ ତାଙ୍କ ପ୍ରଦର୍ଶନ ଏହା ଦ୍ବାରା ପ୍ରଭାବିତ ହେବାକୁ ଦେଇନାହାନ୍ତି।

Advertisment

କେବଳ ଏସିଆ କପ୍‌ ନୁହେଁ, ବିଶ୍ବକପ୍ ଦୌଡ଼ରେ ଥିବା ୧୮ ଭାରତୀୟ ଖେଳାଳିଙ୍କର ମଧ୍ୟ ଏନ୍‌ସିଏରେ ବ୍ୟାପକ ଫିଟ୍‌ନେସ୍‌ ଓ ମେଡିକାଲ୍ ଟେଷ୍ଟ୍‌ କରାଯିବ। ବେଙ୍ଗାଲୁରୁ ଉପକଣ୍ଠ ଆଲୁରରେ ଏହି ଟେଷ୍ଟ କରାଯିବ। ଅବଶ୍ୟ ଏନ୍‌ସିଏରେ ବିସିସିଆଇ ପକ୍ଷରୁ ଏଭଳି ଫିଟ୍‌ନେସ୍‌ ଟେଷ୍ଟ ନିୟମିତ ପ୍ରକ୍ରିୟା ଓ ସାଧାରଣ କଥା। କିନ୍ତୁ ଏଥର ଆୟର୍ଲାଣ୍ଡ୍ ଶୃଙ୍ଖଳାରେ କେବଳ ଖେଳିଥିବା ଯଶପ୍ରୀତ୍ ବୁମରା, ପ୍ରସିଦ୍ଧ କୃଷ୍ଣ, ସଂଜୁ ସାମସନ୍‌ଙ୍କ ରକ୍ତ ପରୀକ୍ଷା ମଧ୍ୟ କରାଯିବ। ଏହା ଦ୍ବାରା ଲିପିଡ‌ ପ୍ରୋଫାଇଲ୍‌, ବ୍ଲଡ୍ ସୁଗାର, ୟୁରିକ୍ ଏସିଡ୍‌, କାଲସିୟମ୍‌, ଭିଟାମିନ୍‌ ବି୧୨ ଓ ଡି, କ୍ରିଏଟିନାଇନ୍‌ ଓ ଟେଷ୍ଟୋଷ୍ଟେରୋନ୍‌ ସ୍ତରକୁ ମପାଯିବ ବୋଲି ଜଣେ ବିସିସିଆଇ ଅଧିକାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଖେଳାଳିଙ୍କ ଅସ୍ଥିର ଘନତା ପରୀକ୍ଷା ପାଇଁ ମଧ୍ୟ ଆଗରୁ ‌ଡେକ୍ସା ଟେଷ୍ଟ୍ କରାଯାଉଥିଲା। ଆହତ ସମସ୍ୟାରୁ ସୁଧୁରିବା ପାଇଁ ଅନ୍ୟୁନ ୮/୯ ଘଣ୍ଟା ଗଭୀର ନିଦ୍ରାର ଆବଶ୍ୟକତା ରହିଥାଏ ବୋଲି ମଧ୍ୟ ସମ୍ପୃକ୍ତ ଅଧିକାରୀ ପ୍ରକାଶ କରିଥିଲେ।