କୋହଲିଙ୍କ ପ୍ରଥମ ଶତକକୁ ପୁରିଲା ୧୦ ବର୍ଷ

ନୂଆଦିଲ୍ଲୀ: ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ସର୍ବାଧିକ ଅନ୍ତର୍ଜାତୀୟ ଶତକ ହାସଲ କରିବାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସଚିନ ୧୦୦ ଶତକ ହାସଲ କରିଥିବା ବେଳେ କୋହଲି ବର୍ତମାନ ସୁଦ୍ଧା ୭୦ ଶତକ ହାସଲ କରିସାରିଲେଣି। ନୂଆ ରନ୍ ମେସିନ୍ ଭାବେ ପରିଗଣିତ କୋହଲି ୧୦ ବର୍ଷ ତଳେ ଠିକ୍‌ ଆଜିର ଦିନରେ (ଡିସେମ୍ବର ୨୪, ୨୦୦୯) ଦିନିକିଆରେ ପ୍ରଥମ ଶତକ ହାସଲ କରିଥିଲେ। କୋଲ୍‌କାତାର ଇଡେନ୍ ଗାର୍ଡେନ୍ସରେ ଶ୍ରୀଲଙ୍କା ବିପକ୍ଷରେ ସେ ଏହି ଶତକୀୟ ପାଳି ଖେଳିଥିଲେ। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୩୧୫ ରନ୍‌ କରିଥିଲା। ଏହାକୁ ପିଛା କରି ଭାରତ ୨୩ ରନ୍ ମଧ୍ୟରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ ଓ ସଚିନ ତେନ୍ଦୁଲକରଙ୍କ ଵିକେଟ୍ ହରାଇଥିଲା। ହେଲେ ମଧ୍ୟକ୍ରମରେ ଗୌତମ ଗମ୍ଭୀର ଓ ବିରାଟ କୋହଲି ୨୨୪ ରନର ଭାଗୀଦାରି କରି ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। କୋହଲି ୧୦୭ ରନ୍‌ର ପାଳି ଖେଳି ଆଉଟ୍ ହୋଇଥିଲେ। ଗମ୍ଭୀର ୧୫୦ ରନ୍‌ର ଅପରାଜିତ ପାଳି ଖେଳିଥିଲେ। ଭାରତ ଏହି ମ୍ୟାଚ୍‌କୁ ୭ ଵିକେଟ୍‌ରେ ଜିତିଥିଲା। ଗମ୍ଭୀର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିବା ବେଳେ ନିଜର ପୁରସ୍କାରକୁ ସେ ପ୍ରଥମ ଶତକ ହାସଲ କରିଥିବା ବିରାଟଙ୍କୁ ସମର୍ପଣ କରିଥିଲେ। ୧୦ ବର୍ଷ ତଳେ ପ୍ରଥମ ଦିନିକିଆ ଶତକ ହାସଲ କରିଥିବା ବିରାଟ ବର୍ତମାନ ସୁଦ୍ଧା ୪୩ ଦିନିକିଆ ଓ ୨୭ ଟେଷ୍ଟ୍ ଶତକ ହାସଲ କରିସାରିଲେଣି।

ସମ୍ବନ୍ଧିତ ଖବର