ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କୁ ବିଶ୍ବ କ୍ରିକେଟ୍ର ଦୁଇ ମହାନ ବ୍ୟାଟର୍ ଭାବେ ଅନେକ ତୁଳନା କରିଥା’ନ୍ତି। ଅନେକ ତୁଳନା ନ କରିବାକୁ ଯୁକ୍ତି ବାଢ଼ିଥାନ୍ତି, ଆଉ କିଛି ଉଭୟଙ୍କୁ ମହାନ ଭାବେ ସ୍ବୀକାର କରିସାରିଛନ୍ତି। ସଚିନଙ୍କୁ ପ୍ରତ୍ୟେକ ଭାରତୀୟ କ୍ରିକେଟପ୍ରେମୀ ଈଶ୍ବର ଭାବେ ମଧ୍ୟ ମାନିଥା’ନ୍ତି, ବିରାଟ କୋହଲି ମଧ୍ୟ କିଛି ଭିନ୍ନ ନୁହଁନ୍ତି। ନିକଟରେ ୟୁଟ୍ୟୁବ୍ର ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ଉଭୟ ସଚିନ ଓ କୋହଲି ଏକ ପୁରୁଣା ଘଟଣା ଉପରୁ ପରଦା ହଟାଇବା ପରେ ପ୍ରଶଂସକମାନେ ଭାବପ୍ରବଣ ହୋଇପଡ଼ିଛନ୍ତି। ଗ୍ରାହାମ ବେନସିଙ୍ଗରଙ୍କ ସହ ଏକ ସାକ୍ଷାତକାର ବେଳେ ସଚିନ କହିଥିଲେ, ‘ଭାରତ ପାଇଁ ମୁଁ ମୋ ଶେଷ ମ୍ୟାଚ୍ ଖେଳୁଥିବା ବେଳେ ଏକଦା ଡ୍ରେସିଂ ରୁମ୍ର ଏକ କୋଣରେ ମୁଣ୍ଡରେ ଟାୱେଲ ରଖି ବସିଥିଲି। ବାସ୍ତବରେ ମୁଁ ଭାବବିହ୍ବଳ ହୋଇପଡ଼ିଥିଲି। ବିରାଟ କୋହଲି ମୋ ପାଖକୁ ଆସି ଏକ ପବିତ୍ର ସୂତା (ଢାଗା) ପ୍ରଦାନ କରିଥିଲେ। କହିଥିଲେ, ଏହି ଅମୂଲ୍ୟ ସୂତାକୁ ସେ ତାଙ୍କ ପିତାଙ୍କଠାରୁ ପାଇଥିଲେ’।
ଏହା ପରେ ଗ୍ରାହାମ ମଧ୍ୟ ବିରାଟ କୋହଲିଙ୍କ ସହ ସାକ୍ଷାତକାର ନେଇ ଏହାର ରହସ୍ୟ କ’ଣ ବୋଲି ପ୍ରଶ୍ନ କରିଥିଲେ। କୋହଲି କହିଥିଲେ, ‘ବାସ୍ତବରେ ସୂତା ଆମେ ହାତର କଚଟିରେ ପରିଧାନ କରିଥାଉ। ଭାରତରେ ଅନେକ ଲୋକ ଏଭଳି କରିଥା’ନ୍ତି। ତେଣୁ ବାପା ବ୍ୟବହାର କରୁଥିବାରୁ ମୋତେ ବି ଦେଇଥିଲେ। ମୁଁ ଏହାକୁ ସବୁବେଳେ ବ୍ୟାଗ୍ରେ ରଖିଥାଏ, ଏହା ମୋ ପାଇଁ ସବୁଠାରୁ ମୂଲ୍ୟବାନ ଜିନିଷ। ସଚିନଙ୍କୁ ଏହାଠାରୁ ଅଧିକ କିଛି ମୂଲ୍ୟବାନ ଜିନିଷ ଦେବା ଭଳି ମୋ ପାଖରେ ନଥିଲା। ଜାଣିଥିଲି ସେ ଆମକୁ କେତେ ପ୍ରେରିତ କରିଛନ୍ତି, ତେଣୁ ଏହି ଛୋଟ ଉପହାରକୁ ତାଙ୍କୁ ଦେଇଥିଲି’। ତେବେ କୋହଲିଙ୍କ ଏହି ଉପହାର ସଚିନ୍ଙ୍କ ଆଖିରୁ ଲୁହ ଝରାଇ ଦେଇଥିଲା। ଶେଷ ଭିଡିଓରେ ସଚିନ କହିଥିଲେ, ‘ମୁଁ ଏହି ଉପହାରକୁ କିଛି ସମୟ ପାଖରେ ରଖିଥିଲି ଏବଂ ଫେରାଇ ଦେଇ କହିଥିଲି-ଏହା ଅମୂଲ୍ୟ, ତୁମ ପାଖରେ ରଖ ଏବଂ ଅନ୍ୟ କାହା ପାଖରେ ନୁହେଁ। ଏହା ତୁମ ସମ୍ପତ୍ତି ଏହାକୁ ତୁମେ ଶେଷ ନିଶ୍ବାସ ପର୍ଯ୍ୟନ୍ତ ରଖିବା ଉଚିତ୍’।