ବାବରଙ୍କୁ କୋହଲିଙ୍କ କୃତଜ୍ଞତା: ପୁଣି ବାଣ ଛାଡ଼ିଲେ କପିଳ

ନୂଆଦିଲ୍ଲୀ: ଖରାପ ସମୟରେ ମନୋବଳ ବୃଦ୍ଧିକାରୀ ବାର୍ତ୍ତା ପଠାଇଥିବା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି କୃତଜ୍ଞତା ଜଣାଇଛନ୍ତି। ଶନିବାର ବାବରଙ୍କ ଟ୍ବିଟ୍‌’ର ଜବାବ ରଖି କୋହଲି ଲେଖିଛନ୍ତି ଯେ ଧନ୍ୟବାଦ, ଏମତି ଚମକୁ ଥାଏ ଏବଂ ଉପରକୁ ଉଠି ଚାଲିଥାଅ। ମୋ ତରଫରୁ ଶୁଭେଚ୍ଛା ଓ ଶୁଭକାମନା। ନିଜ ଖେଳ ଜୀବନର ସବୁଠାରୁ ଦୁସ୍ଥ ସମୟ ଦେଇ ଗତି କରୁଥିବା କୋହଲିଙ୍କୁ ବାବର ଟ୍ବିଟ୍ କରି କହିଥିଲେ ଯେ ଏହା ମଧ୍ୟ (ଖରାପ ସମୟ) ଅତିକ୍ରମ କରିଯିବ। ଦୃଢ଼ ଓ ଶକ୍ତିଶାଳୀ ରୁହ। ଯାହାକୁ ନେଇ କିଛି ପୂର୍ବତନ କ୍ରିକେଟର ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। କେତେକ ବାବରଙ୍କ ଖେଳୁଆଡ଼ ମନୋଭାବକୁ ପ୍ରଶଂସା କରିଥିଲେ। ଅନ୍ୟ କେତେକ କୋହଲି ଏହାର ଉତ୍ତର ଦେବା ଉଚିତ ଥିଲା ବୋଲି ଲେଖିଥିଲେ। ଆଜି ବାବରଙ୍କୁ ସାଧୁବାଦ ଜଣାଇ କୋହଲି ଏହି ଚର୍ଚ୍ଚାରେ ବିରାମ ଲଗାଇଛନ୍ତି। ସେପଟେ ୨୦୧୯ ମସିହା ପରଠାରୁ ଗୋଟିଏ ହେଲେ ବି ଶତକ ହାସଲ କରିନଥିବା ତଥା ଇଂଲଣ୍ଡ ଗସ୍ତରେ ସଂପୂର୍ଣ୍ଣ ବିଫଳ ହୋଇଥିବା କୋହଲିଙ୍କୁ ଉଭୟ ସମର୍ଥନ ଓ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ମହାନ କ୍ରି‌କେଟର୍ କପିଳ ଦେବ ଏବଂ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ଭାରତୀୟ ଟ୍ବେଣ୍ଟି-୨୦ ଦଳରେ କୋହଲିଙ୍କ ସ୍ଥାନକୁ ନେଇ ପ୍ରଶ୍ନ ଉଠାଇଥିଲେ। ଶୁକ୍ରବାର କୋହଲିଙ୍କ ଫର୍ମ ଏବଂ ଭାରତୀୟ ଦଳରେ ତାଙ୍କ ସ୍ଥାନକୁ ନେଇ ଅଧିନାୟକ ‌ରୋହିତ ଶର୍ମାଙ୍କୁ ପ୍ରଶ୍ନ ହେବା ପରେ ସେ ବିଗିଡ଼ି ଯାଇଥିଲେ। କୋହଲିଙ୍କୁ ଦୃଢ଼ ସମର୍ଥନ କରିବା ସହ ତାଙ୍କ ପୂର୍ବ ପ୍ରଦର୍ଶନ ଏବଂ ଦଳ ପାଇଁ ସେ କରିଥିବା ଅବଦାନକୁ ମନେ ପକାଇବାକୁ ସଂପୃକ୍ତ ସାମ୍ବାଦିକଙ୍କୁ ପରାମର୍ଶ ଦେଇଥିଲେ ସେ।

ପୁଣି ବାଣ ଛାଡ଼ିଲେ କପିଳ
ଭାରତୀୟ ଟ୍ବେଣ୍ଟି-୨୦ ଦଳରେ କୋହଲିଙ୍କ ସ୍ଥାନକୁ ନେଇ ପ୍ରଶ୍ନ ଉଠାଇଥିବା ମହାନ କ୍ରିକେଟର୍ କପିଳ ଦେବ ତାଙ୍କ ସ୍ବର ସାମାନ୍ୟ ବଦଳାଇଛନ୍ତି। ତଥାପି କୋହଲିଙ୍କୁ ନେଇ ରୋକ୍ଠୋକ୍ ମନ୍ତବ୍ୟ ଦେଇଛନ୍ତି। ଏକ ସାକ୍ଷାତକାର ଅବସରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ କୋହଲିଙ୍କ ଅନୁପସ୍ଥିତିକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ‘‘ ଏମିତି ନୁହେଁ ଯେ ଗତ ୫-୬ ବର୍ଷ ଧରି କୋହଲିଙ୍କ ବିନା ଭାରତ ଖେଳିନି। ହେଲେ ମୁଁ ଚାହେଁ ତାଙ୍କ ଭଳି ଜଣେ ଖେଳାଳି ଯଥାଶୀଘ୍ର ଫର୍ମକୁ ଫେରନ୍ତୁ। କୋହଲି ବିଶ୍ରାମ ନେଇଥାଇପାରନ୍ତି କିମ୍ବା ବାଦ୍ ପଡ଼ିଥାଇପାରନ୍ତି, ହେଲେ ଏହା ସୁନିଶ୍ଚିତ ଯେ ତାଙ୍କ ପାଖରେ ଆହୁରି ପ୍ରଚୁର କ୍ରିକେଟ୍ ବାକି ରହିଛି। ରଣଜୀ ଟ୍ରଫି କିମ୍ବା ଅନ୍ୟ କେଉଁଠାରେ ହେଉ କୋହଲିଙ୍କ ଆତ୍ମବିଶ୍ବାସ ଫେରିଆସିବା ନିହାତି ଦରକାର। କାରଣ ଏହା ହିଁ ଜଣେ ମହାନ ଏବଂ ଭଲ ଖେଳାଳିଙ୍କ ମଧ୍ୟରେ ପ୍ରମୁଖ ପାର୍ଥକ୍ୟ। କୋହଲିଙ୍କ ଭଳି ଜଣେ ମହାନ ଖେଳାଳି ଫର୍ମ ଫେରି ପାଇବାକୁ ଏତେ ସମୟ ନେବା ଉଚିତ ନୁହେଁ। ତାଙ୍କୁ ନିଜ ସହ ଲଢ଼େଇ କରି ସବୁକିଛି ନିଜେ ହିଁ ଠିକ୍ କରିବାକୁ ହେବ। ମୁଁ ବ୍ୟକ୍ତିଗତ ଭାବେ ବିଶ୍ବାସ କରେ ଯେ ସଂପ୍ରତି କୋହଲିଙ୍କଠାରୁ ଆଉ କେହି ବଡ଼ ଟ୍ବେଣ୍ଟି-୨୦ ଖେଳାଳି ନାହାନ୍ତି। ତଥାପି ଯଦି ଆପଣ ଭଲ କରୁନାହାନ୍ତି, ଚୟନକର୍ତ୍ତା ଆପଣଙ୍କୁ ନେଇ ଏଭଳି ନିଷ୍ପତ୍ତି ନେଇପାରନ୍ତି। ଯଦି ଜଣେ ଖେଳାଳି ଭଲ କରୁନି, ତାଙ୍କୁ ବିଶ୍ରାମ କିମ୍ବା ବାଦ୍ ଦିଆଯିବାରେ ଅସୁବିଧା ନାହିଁ।

କୋହଲିଙ୍କ ଗୋଡ଼ ଟାଣନି, ୭୦ ଶତକ ବାଡ଼ି ପଛପଟେ ମାରିନାହାନ୍ତି ସେ: ଅଖତର
ପାକିସ୍ତାନର ଅନ୍ୟତମ ଚର୍ଚ୍ଚିତ କ୍ରିକେଟ୍ ତାରକା ସୋଏବ ଅଖତର ମଧ୍ୟ କୋହଲିଙ୍କୁ ସମର୍ଥନ କରିଛନ୍ତି। ବେଳା ଖରାପ ପଡ଼ିଥିଲା ବେଳେ କୋହଲିଙ୍କ ଗୋଡ଼ ନଟାଣିବାକୁ ପୂର୍ବତନ କ୍ରିକେଟର୍‌ଙ୍କୁ ଆହ୍ବାନ କରିଛନ୍ତି ଅଖତର। ବିଶେଷ କରି କପିଳଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ କପିଳ ଦେବ ମୋ ବରିଷ୍ଠ। ତାଙ୍କର ନିଜସ୍ବ ଭାବନା ରହିଛି, ରହିବାରେ କିଛି ଅସୁବିଧା ମଧ୍ୟ ନାହିଁ। କପିଳ ଜଣେ କିଂବଦନ୍ତି ହୋଇଥିବାରୁ ପ୍ରତିକ୍ରିୟା ପ୍ରକାଶ କରିବାର ଅଧିକାର ତାଙ୍କର ଅଛି। ତେବେ ଜଣେ ପାକିସ୍ତାନୀ ହୋଇ ମଧ୍ୟ ମୁଁ କୋହଲିଙ୍କୁ ସମର୍ଥନ କରୁଛି। କାରଣ ସେହି ୭୦ ଶତକ ସେ ନିଜ ଖୁଡ଼ିଙ୍କ ବାଡ଼ି ପଛପଟେ କ୍ୟାଣ୍ଡି କ୍ରସ୍ (ଏକପ୍ରକାର ମୋବାଇଲ୍ ଗେମ୍) ଖେଳି ହାସଲ କରିନାହାନ୍ତି। ଭାରତୀୟ ଦଳରୁ କୋହଲି ବାଦ୍‌ ପଡ଼ିବା କଥା ଆପଣ ସ୍ବପ୍ନରେ ବି କେମିତି ଭାବି ପାରିବେ?

ସମ୍ବନ୍ଧିତ ଖବର