ଥ୍ରୋଇଂ ସ୍ପେଶାଲିଷ୍ଟ ରଘୁଙ୍କୁ କୋହଲିଙ୍କ ସଲାମ ‘ଦ୍ରୁତ ବୋଲିଂ ‌ଖେଳିବା ଦକ୍ଷତା ତାଙ୍କ ପାଇଁ ବଢ଼ିଛି’

ମୁମ୍ବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ସାରା ବିଶ୍ବର ବିପଜ୍ଜନକ ତଥା ଅତ୍ୟନ୍ତ ଦକ୍ଷ ଦ୍ରୁତ ବୋଲରଙ୍କୁ ସାହସର ସହ ମୁକାବିଲା କରିପାରିବାର ଶ୍ରେୟ ଥ୍ରୋଇଂ ସ୍ପେଶାଲିଷ୍ଟ ଡି. ରାଘବେନ୍ଦ୍ର(ରଘୁ)ଙ୍କୁ ଦେଇଛନ୍ତି। ରାଘବେନ୍ଦ୍ର ଘଣ୍ଟାପ୍ରତି ୧୫୦ରୁ ୧୫୫ କିଲୋମିଟର ବେଗରେ ବଲ୍ ଫିଙ୍ଗନ୍ତି, ତାଙ୍କ ପାଇଁ କେବଳ ମୋର ନୁହେଁ, ଆମ ସମଗ୍ର ଦଳର ଦ୍ରୁତ ବୋଲିଂକୁ ସମ୍ମୁଖୀନ ହେବା ଦକ୍ଷତା ବଢ଼ିଛି ବୋଲି କୋହଲି କହିଛନ୍ତି। ବାଂଲାଦେଶ ତାରକା ତମିମ ଇକବାଲଙ୍କ ସହ ଇନଷ୍ଟାଗ୍ରାମ୍ ଲାଇଭ୍‌ରେ ଚର୍ଚା କରି କୋହଲି କହିଛନ୍ତି, ‘‘ ମୁଁ ଭାବୁଛି ୨୦୧୩ ମସିହା ପରଠାରୁ ଆମ ଦ୍ରୁତ ବୋଲିଂ ଖେଳିବା ଦକ୍ଷତା ଯଥେଷ୍ଟ ବଢ଼ିଛି, ଏହା କେବଳ ରଘୁଙ୍କ ପାଇଁ ହୋଇପାରିଛି। ତାଙ୍କର ପାଦ ଓ ବ୍ୟାଟ୍ ଚାଳନା ଉପରେ ଢେର ଜ୍ଞାନ ଅଛି।

ବ୍ୟକ୍ତିଗତ ଭାବେ ସେ ନିଜ ଦକ୍ଷତାକୁ ଏତେ ବଢ଼ାଇ ଦେଇଛନ୍ତି ଯେ ସାଇଡ୍ ଆର୍ମରୁ ମଧ୍ୟ ୧୫୦ କିଲୋମିଟରରୁ ଅଧିକ ବେଗରେ ବଲ୍ ଫିଙ୍ଗି ପାରନ୍ତି। ରଘୁଙ୍କୁ ନେଟ୍‌ରେ ଖେଳି ସାରିବା ପରେ ଆପଣ ଯେତେବେଳେ ମ୍ୟାଚ୍‌କୁ ଯାଆନ୍ତି, ସେତେବେଳେ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ରହିଛି ବୋଲି ଭାବନ୍ତି। ଗତ କିଛି ବର୍ଷ ହେବ ରଘୁ ଆମ ଦଳର ଗୁରୁତ୍ବପୂର୍ଣ୍ଣ ସଦସ୍ୟ ହୋଇ ରହି ଆସିଛନ୍ତି’’ ବୋଲି କୋହଲି କହିଥିଲେ। ଏହା ପରେ ସେ କିଭଳି ପ୍ରତ୍ୟେକ ମ୍ୟାଚ୍ ପାଇଁ ଭିନ୍ନ ଭିନ୍ନ ଯୋଜନା କରନ୍ତି ଏବଂ ନିଜ ଉପରେ ସନ୍ଦେହ କରିବାକୁ ଘୃଣା କରନ୍ତି ସେ ବିଷୟ ବର୍ଣ୍ଣନା କରିଥିଲେ। ‘‘ସତ କଥା କହିବାକୁ ଗଲେ ମ୍ୟାଚ୍ ସମୟରେ ମୁଁ ମୋ ନିଜ ଦକ୍ଷତା ଉପରେ କେବେ ବି ସନ୍ଦେହ କରିନି। ହେଲେ ମଣିଷ ମାତ୍ରକେ ଦ୍ବନ୍ଦ୍ବ ଓ ଦୁର୍ବଳତା ଥାଏ। ମନକୁ ନକାରାତ୍ମକ ଭାବନା ଆସିବା ସ୍ବାଭାବିକ। ଏଣୁ ବିଦେଶ ଗସ୍ତ ବେଳେ ଯଦି ଆପଣ ଭଲରେ ଅଭ୍ୟାସ କରି ପାରନ୍ତିନାହିଁ, ତାହାଲେ କିଛିଟା ଊଣା ରହିଗଲା ବୋଲି ଭାବନ୍ତି ଏବଂ ନିଜ ସ୍ବାଭାବିକ ‌‌ଖେଳ ଖେଳିପାରନ୍ତି ନାହିଁ। ଏହା ଦ୍ବାରା ମନର ଦ୍ବନ୍ଦ୍ବ ଓ ସଂଶୟ ମଧ୍ୟ ବଢ଼େ। ଆମ ମନରୁ ଏଭଳି ଦ୍ବନ୍ଦ୍ବ ଦୂର କରିବାରେ ରଘୁ ନିର୍ଣ୍ଣାୟକ ଭୂମିକା ନେଇ ଆସୁଛନ୍ତି” ବୋଲି କୋହଲି ମତ ରଖିଥିଲେ।

ସମ୍ବନ୍ଧିତ ଖବର