ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ରେ ସୋମବାର ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ବିପକ୍ଷ ମ୍ୟାଚ୍‌ରେ ଭାରତ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟର ବିରାଟ କୋହଲି ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେ ୪୪ ବଲ୍‌ରୁ ୬୧ ରନ୍‌ କରିଥିଲେ। ସେଥିରେ ୪ ଲେଖାଏଁ ଚୌକା ଓ ଛକା ମାରିଥିଲେ। ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୩୮ ଥିଲା। ଏଥିସହିତ ଚଳିତ ଆଇପିଏଲ୍‌ରେ ୩ ମ୍ୟାଚ୍‌ ଖେଳସାରିଥିବା କୋହଲି ୧୪୭ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ ଏବଂ ୮୨ ହାରାହାରିରେ ମୋଟ ୧୬୪ ରନ୍‌ କରିଛନ୍ତି। ଦୁଇଟି ଅର୍ଦ୍ଧଶତକ ସେଥିରେ ସାମିଲ ରହିଛି। ତାଙ୍କ ଶ୍ରେଷ୍ଠ ସ୍କୋର୍‌ ଅପରାଜିତ ୮୨ ରହିଛି। ତେବେ ୨୦୦୭ରେ ଟ୍ବେଣ୍ଟି-୨୦ ପଦାର୍ପଣଠାରୁ କୋହଲି ଏହି ଫଟାଫଟ ଫର୍ମାଟ୍‌ରେ କିଂବଦନ୍ତି ପାଲଟି ଯାଇଛନ୍ତି। ଏହି ୧୬ ବର୍ଷ ମଧ୍ୟରେ ମୋଟ ୩୬୨ ମ୍ୟାଚ୍‌ (୩୪୫ ପାଳି) ଖେଳିଥିବା କୋହଲି ମୋଟ ଉପରେ ୧୧,୪୨୯ ରନ୍‌ (୪୧.୧୧ ହାରାହାରି ଏବଂ ୧୩୩.୧୭ ଷ୍ଟ୍ରାଇକ୍‌ ରେଟ୍‌) କରିଛନ୍ତି। ଯେଉଁଥିରେ ୬ ଶତକ ଏବଂ ୮୬ ଅର୍ଦ୍ଧଶତକ ସାମିଲ ରହିଛି। କ୍ରିକେଟ୍‌ର ଏହି ସବୁଠୁ ଛୋଟ ଫର୍ମାଟ୍‌ରେ ତାଙ୍କର ଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର୍‌ ଅପରାଜିତ ୧୨୨ ରହିଛି। ୧୧, ୪୨୯ ରନ୍‌ କୋହଲିଙ୍କ ପାଇଁ ଏକ ମାଇଲଖୁଣ୍ଟ ହୋଇଛି। ସେ ଟ୍ବେଣ୍ଟି-୨୦ରେ ସର୍ବାଧିକ ସ୍କୋରର୍‌ଙ୍କ ତାଲିକାରେ ଚତୁର୍ଥ ହୋଇଛନ୍ତି।

Advertisment

ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ବିସ୍ଫୋରକ ଓପ୍‌ନର କ୍ରିସ୍‌ ଗେଲ୍‌ (୧୪,୫୬୨ ରନ୍‌, ୪୬୩ ମ୍ୟାଚ୍‌, ୨୨ ଶତକ, ୮୮ ଅର୍ଦ୍ଧଶତକ, ସର୍ବାଧିକ ୧୭୫* ରନ୍‌, ୩୬.୨୨ ହାରାହାରି, ୧୪୪.୭୫ ଷ୍ଟ୍ରାଇକ୍‌ ରେଟ୍‌) ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିଲା ବେଳେ ପାକିସ୍ତାନର ସୋଏବ ମଲ୍ଲିକ (୧୨,୫୨୮ ରନ୍‌, ୫୧୦ ମ୍ୟାଚ୍‌, ୭୭ ଅର୍ଦ୍ଧଶତକ, ୩୬ ହାରାହାରି, ୧୨୭.୫୫ ଷ୍ଟ୍ରାଇକ୍‌ ରେଟ୍‌, ସର୍ବାଧିକ ସ୍କୋର୍‌ ୯୫*) ଏବଂ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଲ୍‌ରାଉଣ୍ଡର କିରଣ ପୋଲାର୍ଡ (୧୨,୧୭୫ ରନ୍‌, ୬୨୫ ମ୍ୟାଚ୍‌, ୧ ଶତକ, ୫୮ ଅର୍ଦ୍ଧଶତକ, ୩୧.୨୯ ହାରାହାରି, ୧୫୦.୫୧ ଷ୍ଟ୍ରାଇକ୍‌ ରେଟ୍‌, ସର୍ବାଧିକ ସ୍କୋର୍‌ ୧୦୪) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ କୋହଲିଙ୍କ ଉପରକୁ ରହିଛନ୍ତି। କୋହଲି ସୋମବାର ଲକ୍ଷ୍ନୌ ବିପକ୍ଷ ଆଇପିଏଲ୍‌ ମ୍ୟାଚ୍‌ ଅବସରରେ ଅଷ୍ଟ୍ରେଲୀୟ ଓପ୍‌ନର ଆରୋନ ଫିଞ୍ଚ୍‌ (୧୧,୩୯୨ ରନ୍‌, ୩୮୨ ମ୍ୟାଚ୍‌, ୮ ଶତକ, ୭୭ ଅର୍ଦ୍ଧଶତକ, ୩୩.୮୦ ହାରାହାରି, ୧୩୮.୫୩ ଷ୍ଟ୍ରାଇକ୍‌ ରେଟ୍‌, ସର୍ବାଧିକ ସ୍କୋର୍‌ ୧୭୨)ଙ୍କୁ ଟପି ଯାଇଥିଲେ।

ଏଠାରେ ସୂଚନାଯୋଗ୍ୟ, କୋହଲି ହିଁ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ସ୍କୋରର୍‌ ହେବାର କୀର୍ତ୍ତିମାନ ନିଜ ନାମରେ ରଖିଛନ୍ତି। ସେ ୧୧୫ ମ୍ୟାଚ୍‌ ଓ ୧୦୭ ପାଳିରୁ ୪୦୦୮ ରନ୍‌ ସଂଗ୍ରହ କରିସାରିଲେଣି। ସେଥିରେ ଗୋଟିଏ ଶତକ ଏବଂ ୩୭ ଅର୍ଦ୍ଧଶତକ ସାମିଲ ଥିଲା ବେଳେ ବ୍ୟକ୍ତିଗତ ଶ୍ରେଷ୍ଠ ସ୍କୋର୍‌ ଅପରାଜିତ ୧୨୨ ରହିଛି। ତାଙ୍କ ହାରାହାରି ୫୨.୭୩ ଏବଂ ଷ୍ଟ୍ର‌ାଇକ୍‌ରେଟ୍‌ ୧୩୭.୯୬ ରହିଛି। ଅନ୍ୟପକ୍ଷରେ କୋହଲି ମଧ୍ୟ ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ସ୍କୋରର୍‌ ରହିଛନ୍ତି। ୨୨୬ ମ୍ୟାଚ୍‌ ଓ ୨୧୮ ପାଳିରୁ ୩୬.୬୯ ହାରାହାରି ଓ ୧୨୯.୫୪ ଷ୍ଟ୍ରାଇକ ରେଟ୍‌ରେ ସେ ୬୭୮୮ ରନ୍‌ ସଂଗ୍ରହ କରିଲେଣି। ଯେଉଁଥିରେ ୫ ଶତକ ଓ ୪୬ ଅର୍ଦ୍ଧଶତକ ରହିଛି। ଆଇପିଏଲ୍‌ରେ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ସ୍କୋର୍‌ ୧୧୩ ରହିଛି।