କୋହଲିଙ୍କ ପ୍ରତୀକ୍ଷିତ ଅର୍ଦ୍ଧଶତକ ନିଷ୍ଫଳ, ଗୁଜରାଟକୁ ପୁଣି ଜିତାଇଲେ ତିୱାତିଆ

ମୁମ୍ବାଇ: ୧୪ ପାଳି ପରେ ବିରାଟ କୋହଲି ପ୍ରଥମ ଆଇପିଏଲ୍ ଅର୍ଦ୍ଧଶତକ ଅର୍ଜନ କଲେ। ତାଙ୍କର ଏହି ବହୁ ପ୍ରତୀକ୍ଷିତ ହେଲେ ତୁଳନାତ୍ମକ ମନ୍ଥର ପାଳି କିନ୍ତୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଜିତାଇ ପାରିଲାନି। ରାହୁଲ ତିୱାତିୟା ଏବଂ ଡେଭିଡ୍ ମିଲରଙ୍କ ବିସ୍ଫୋରକ ଏବଂ ଅତୁଟ ପଞ୍ଚମ ୱିକେଟ୍‌ ଭାଗୀଦାରି ବଳରେ ଗୁଜରାଟ ଲାୟନ୍ସ ୬ ୱିକେଟ୍‌ର ରୋମାଞ୍ଚକ ବିଜୟ ହାସଲ କଲା। ଏହି ବିଜୟ ସହ ନବାଗତ ଗୁଜରାଟ ନବମ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିନେଲା। ଅନ୍ୟପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଶମ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କଲା। ମାତ୍ର ୨୫ ବଲ୍‌ରୁ ୪୩ ରନ୍‌ର ଧୂଆଁଧାର ପାଳି ଖେଳିଥିବା ତିୱାତିଆଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଚଳିତ ଋତୁରେ କୋହଲିଙ୍କ ବ୍ୟାଟ୍ ପୂରା ଶାନ୍ତ ରହିଥିଲା। ଏଣୁ ପ୍ରଶଂସକ ତାଙ୍କ ବ୍ୟାଟ୍‌ରୁ ଏକ ବଡ଼ ପାଳି ଦେଖିବା ଲାଗି ଚାହିଁ ବସିଥିଲେ। ଆର୍‌ସିବିର ଗତ ମ୍ୟାଚ୍ ଭଳି ଶନିବାର ମଧ୍ୟ କୋହଲି ପାଳି ଆରମ୍ଭ କରିଥିଲେ। ହେଲେ ଅଧିନାୟକ ତଥା ଅନ୍ୟତମ ଓପନର ଫାଫ୍ ଡୁ’ ପ୍ଲେସିସ୍ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯିବାରୁ କୋହଲି ମାତ୍ରାଧିକ ରକ୍ଷଣାତ୍ମକ ବ୍ୟାଟିଂ କରି ୪୫ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ମାତ୍ର ୧୦୯.୪୩ ଷ୍ଟ୍ରାଇକ୍ ରେଟ୍‌ରେ ରନ୍ କରିଥିଲେ କୋହଲି। ତା’ ସହ ଅର୍ଦ୍ଧଶତକର ୮ ରନ୍ ପରେ ବି ଆଉଟ୍ ହୋଇଯାଇଥିଲେ। ତେବେ ରଜତ ପଟିଦାରଙ୍କ ପ୍ରଥମ ଅର୍ଦ୍ଧଶତକ ସହ ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ଦ୍ରୁତ ୩୩ ରନ୍ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୦ ରନ୍ କରିଥିଲା ଆର୍‌ସିବି। ଯାହା ବ୍ରାବର୍ଣ୍ଣ ପିଚ୍‌ରେ ୧୦ରୁ ୨୦ ରନ୍ କମ ହେଲା ଭଳି ‌ମନେ ହୋଇଥିଲା। ଶେଷରେ ଏହା ହିଁ ସତ ହୋଇଥିଲା।
୧୭୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଗୁଜରାଟ ପକ୍ଷରୁ ଶୀର୍ଷ ୩ ବ୍ୟାଟର୍‌ଙ୍କ ସହ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ବଡ଼ ସ୍କୋର କରି ପାରିନଥିଲେ। ତଥାପି ମିଲର ଏବଂ ତିୱାତିଆ ଅବିଭାଜିତ ପଞ୍ଚମ ୱିକେଟ୍‌ ଭାଗୀଦାରିରେ ୭୯ ରନ୍ ଯୋଡ଼ି ଗୁଜରାଟକୁ ୩ ବଲ୍ ପୂର୍ବରୁ ବିଜୟୀ କରାଇଥିଲେ। ଜୋସ୍ ହାଜେଲଉଡ୍‌ଙ୍କୁ ଚୌକା ମାରି ତିୱାତିଆ ଗୁଜରାଟର ଲଗାତାର ପଞ୍ଚମ ବିଜୟରେ ମୁଣ୍ଡି ମାରିଥିଲେ। ଅନ୍ୟପକ୍ଷରେ ‌କୋହଲି ଫର୍ମକୁ ଫେରିବା ପରାଜିତ ଆର୍‌ସିବି ପାଇଁ ଏକମାତ୍ର ସକାରାତ୍ମକ କଥା ହୋଇଥିଲା।

ସମ୍ବନ୍ଧିତ ଖବର