ଲକ୍ଷ୍ନୌ: ୱିକେଟ୍ ନେବା ପରେ ବ୍ୟାଟ୍ସମ୍ୟାନ୍ଙ୍କ ନାଁକୁ ତୁରନ୍ତ ନିଜ ଅଦୃଶ୍ୟ ଖାତାରେ ଲେଖିପକାନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ସ୍ପିନର୍ ଦିଗବେଶ ରାଠିଙ୍କ ଏହି ‘ନୋଟ୍ବୁକ୍ ସେଲିବ୍ରେସନ୍’ ଯେତିକି ଚର୍ଚ୍ଚିତ ହୋଇଛି, ତାଠାରୁ ଅଧିକ ତାଙ୍କ ବିରୋଧରେ ହୋଇଥିବା ଜରିମାନା ଆଲୋଚନାକୁ ଆସିଛି। ବାରମ୍ବାର ଦଣ୍ଡିତ ହେଲେ ମଧ୍ୟ ରାଠି ନିଜର ଏହି ନିଆରା ଉତ୍ସବ ପାଳନଠାରୁ ଦୂରେଇ ନାହାନ୍ତି। ତେବେ ଆର୍ସିବିର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଯଦି ସେ କେବେ ଆଉଟ୍ କରନ୍ତି, ତାହେଲେ ତାଙ୍କ ନାଁକୁ ନୋଟବୁକ୍ରେ ଲେଖିବେ ନାହିଁ।
କୋହଲିଙ୍କ ପ୍ରତି ତାଙ୍କ ମନରେ ଥିବା ଅଗାଢ଼ ଭକ୍ତି ଓ ସମ୍ମାନ ପାଇଁ ସେ ଏଭଳି କରିବେ ନାହିଁ ବୋଲି ମଙ୍ଗଳବାର ଏକ ପ୍ରଶ୍ନୋତ୍ତୋର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି ରାଠି। ମୁଁ ଯେଉଁ ପ୍ରତିଯୋଗିତା ଖେଳେ, ସେଠାକୁ ଏକ ନୋଟବୁକ୍ ନେଇ ଯାଇଥାଏ। ଏଥିରେ ଆଉଟ୍ କରୁଥିବା ସମସ୍ତ ବ୍ୟାଟ୍ସମ୍ୟାନ୍ଙ୍କ ନାଁ ଲେଖିଥାଏ। ହେଲେ କୋହଲିଙ୍କ ନାଁ ଏଥିରେ ଲେଖିବିନି। କାରଣ ତାଙ୍କୁ ମୁଁ ବହୁତ ସମ୍ମାନ କରେ। ନୋଟ୍ବୁକ୍ ସେଲିବ୍ରେସନ୍ କରି ତାଙ୍କୁ ମୁଁ ଅସମ୍ମାନ କରିବାକୁ ଚାହୁନି ବୋଲି ଏହି ଅବସରରେ କହିଛନ୍ତି ସେ।