ନୂଆଦିଲ୍ଲୀ: ଦିଲ୍ଲୀ ପ୍ରିମିୟର ଲିଗ୍ (ଡିପିଏଲ୍)ର ନିଲାମ ତାଲିକାରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଦୁର୍ଦ୍ଧର୍ଷ ଓପନର୍ ବୀରେନ୍ଦ୍ର ସେହବାଗଙ୍କ ପୁଅ ଆର୍ଯ୍ୟବୀର ସେହବାଗ ଏବଂ କିବଂଦନ୍ତି ବିରାଟ କୋହଲିଙ୍କ ବଡ଼ ଭାଇଙ୍କ ପୁଅ ଆର୍ଯ୍ୟବୀର ‌କୋହଲି ସାମିଲ ହେବା ଏହାକୁ ଅଧିକ ରୋଚକ କରିଛି। ଦୁଇଜଣ ଯାକଙ୍କ ପ୍ରଥମ ନାଁ ଆର୍ଯ୍ୟବୀର ହେବା ମଧ୍ୟ ଅପୂର୍ବ ସଂଯୋଗ ହୋଇଛି। ବିରାଟଙ୍କ ବଡ଼ ଭାଇ ବିକାଶ କୋହଲିଙ୍କ ୧୫ବର୍ଷୀୟ ପୁଅ ଆର୍ଯ୍ୟବୀର କୋହଲି ହେଉଛନ୍ତି ଜଣେ ଉଦୀୟମାନ ଲେଗ୍ ସ୍ପିନର। ସଂପ୍ରତି ସେ ‌ପଶ୍ଚିମ ଦିଲ୍ଲୀ କ୍ରିକେଟ୍ ଏକାଡେମିରେ ବିରାଟଙ୍କ ପିଲାଦିନର ପ୍ରଶିକ୍ଷକ ରାଜକୁମାର ଶର୍ମାଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି। ନିଲାମରେ ତାଙ୍କୁ ‘ସି’ ବର୍ଗରେ ସାମିଲ କରାଯାଇଛି। ସେହିଭଳି ସେହବାଗଙ୍କ ୧୭ବର୍ଷୀୟ ପୁଅ ଆର୍ଯ୍ୟବୀର ‘ବି’ ବର୍ଗରେ ସାମିଲ ଅଛନ୍ତି। ଜଣେ ଶୀର୍ଷକ୍ରମ ବ୍ୟାଟର୍ ଭାବେ ଆର୍ଯ୍ୟବୀର ସେହବାଗ ବେଶ୍ ନାଁ କମାଇ ସାରିଲେଣି। ଦିଲ୍ଲୀ ୧୯ବର୍ଷରୁ କମ୍ ଦଳରେ ସ୍ଥାନ ପାଇ ମେଘାଳୟ ବିପକ୍ଷରେ ସେ ମଧ୍ୟ ୨୯୭ ରନ୍‌ର ପାଳି ଖେଳି ଚର୍ଚ୍ଚାକୁ ଆସିଥିଲେ। ସେହବାଗଙ୍କ ସାନ ପୁଅ ବେଦାନ୍ତ ମଧ୍ୟ ସେହି ଗ୍ରୁପ୍‌ରେ ରହିଛନ୍ତି। ବେଦାନ୍ତ ଜଣେ ଅଫ୍ ସ୍ପିନର୍‌ ହୋଇଥିଲା ବେଳେ ଦିଲ୍ଲୀ ୧୬ବର୍ଷରୁ କମ୍ ଦଳର ପ୍ରତିନିଧିତ୍ବ କରିସାରିଛନ୍ତି। ଏହି ପ୍ରତୀକ୍ଷିତ ନିଲାମ ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହେବ। ଏହି ଫ୍ରାଞ୍ଚାଇଜ୍‌ ଭିତ୍ତିକ ଲିଗ୍‌ ୬ଟି ଦଳକୁ ନେଇ ଖେଳାଯିବ।