ଡି’ଭିଲିୟର୍ସଙ୍କ ସ୍ବତନ୍ତ୍ର ପାଳିକୁ କୋହଲିଙ୍କ ପ୍ରଶଂସା, କହିଲେ ଜଣେ ଅତିମାନବୀୟଙ୍କୁ ଛାଡ଼ି ଆମେ ସମସ୍ତେ ସଂଘର୍ଷ କରିଥିଲୁ

ଡି’ଭିଲିୟର୍ସଙ୍କ ଛକା ପାଇଁ ଥମିଲା ସାରଜା ସଡ଼କ

ସାର୍‌ଜା: କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷ ମ୍ୟାଚ୍‌ରେ ୮୨ ରନ୍‌ର ବିଜୟ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ ବିରାଟ କୋହଲି ଖୁବ୍‌ ସନ୍ତୁଷ୍ଟ ହୋଇଥିଲେ। ଚଳିତ ସଂସ୍କରଣରେ ନିଜର ପଞ୍ଚମ ବିଜୟ ପାଇଁ ଗର୍ବ ଅନୁଭବ କରିଥିବା କୋହଲି କେକେଆର୍‌ ଭଳି ଏକ ଶକ୍ତିଶାଳୀ ଦଳକୁ ପରାସ୍ତ କରିବା ତାଙ୍କ ଦଳର ଆତ୍ମବିଶ୍ବାସ ବୃଦ୍ଧି କରିଥିବା କହିଛନ୍ତି। ‘‘ଏକ ଅତି ମଜବୁତ ଦଳ ବିପକ୍ଷରେ ଏହା ଏକ ଚମତ୍କାର ବିଜୟ। ଏହି ବିଜୟ ମଧ୍ୟ ଆଗକୁ ଆମପାଇଁ ଥିବା ବ୍ୟସ୍ତବହୁଳ ସପ୍ତାହ ନିମେନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି। କ୍ରିସ୍‌ ମୋରିସ୍‌ଙ୍କ ପ୍ରତ୍ୟାବର୍ତନ ପରେ ବୋଲିଂ ବିଭାଗ ଖୁବ୍‌ ଶକ୍ତିଶାଳୀ ହୋଇପଡ଼ିଛି। ଆମେ ମଧ୍ୟ ମୋଟ ସ୍କୋର୍‌ ଉପରେ ଖୁସୀ ଥିଲୁ। ଏହି ପିଚ୍‌ ଶୁଷ୍କ ଥିଲା। ତେବେ ସେହି ଦିନ କାକରର ପ୍ରଭାବ ନଥିବାରୁ ଦିବସଟି ସୁଖରେ କଟିଯାଇଥିଲା’’ ବୋଲି ମ୍ୟାଚ୍‌ ପରେ କହିଥିଲେ କୋହଲି।

ହେଲେ କୋହଲି ସବୁଠାରୁ ଅଧିକ ଯାହାର ପ୍ରଶଂସା କରିଥିଲେ ସେ ହେଉଛନ୍ତି ଏବି ଡି’ଭିଲିୟର୍ସ। ତାଙ୍କ ଅବିଶ୍ବସନୀୟ ପାଳି ହିଁ ଆମକୁ ଲଢ଼ୁଆ ସ୍କୋର୍‌ ଭେଟି ଦେଇଥିଲା। ଡିଭିଲିୟର୍ସ ଯଦି ବିସ୍ଫୋରକ ପାଳି ଖେଳିନଥା’ନ୍ତେ ତାହାଲେ ପ୍ରଥମେ ବ୍ୟାଟିଂ କରିଥିବା ଆର୍‌ସିବି କଦାପି ୧୯୪ ରନ୍‌ ଭଳି ମଜବୁତ ସ୍କୋର୍‌ କରିବାରେ ସମର୍ଥ ହୋଇନଥା’ନ୍ତା। ‘‘ଡିଭିଲିୟର୍ସଙ୍କ ଭଳି ଜଣେ ଅତିମାନବୀୟଙ୍କୁ ଛାଡ଼ିଦେଲେ ସେହି ପିଚ୍‌ରେ ଆମେ ସମସ୍ତେ ସଂଘର୍ଷ କରିଥିଲୁ। ଏପରିକି ମୋଟ ସ୍କୋର୍‌ ୧୬୫ ଟପିପାରିବନି ବୋଲି ଆଶଙ୍କା ଥିଲା ବେଳେ ଆମେ ୧୯୫ ରନ୍‌ର ଟାର୍ଗେଟ୍‌ ଦେଇପାରିଲୁ। ଏହା ଅବିଶ୍ବସନୀୟ ଥିଲା ଏବଂ କେବଳ ଡି’ଭିଲିୟର୍ସଙ୍କ ପାଇଁ ସମ୍ଭବ ହୋଇଥିଲା। ମୁଁ ଭାବିଥିଲି, ମୋତେ କେତେକ ବଲ୍‌ ଖେଳିବାକୁ ମିଳିବ ଏବଂ ମୁଁ ଷ୍ଟ୍ରାଇକ୍‌ କରିବି। ହେଲେ ସେ ଆସୁ ଆସୁ ତୃତୀୟ ବଲ୍‌ରୁ ହିଁ ପ୍ରହାର ଆରମ୍ଭ କରିଦେଇଥିଲେ। ସେ ମଧ୍ୟ ସହଜ ଅନୁଭବ କରୁଥିବା କହିଥିଲେ’’ ବୋଲି କୋହଲି କହିଛନ୍ତି।

ଡି’ଭିଲିୟର୍ସଙ୍କ ଛକା ପାଇଁ ଥମିଲା ସାରଜା ସଡ଼କ
ସାରଜା: ସୋମବାରର କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଦକ୍ଷିଣ ଆଫ୍ରିକୀୟ ତାରକା ଏବି ଡି’ଭିଲିୟର୍ସ ଧମାକାଦାର ବ୍ୟାଟିଂ କରିଥିଲେ। ନିଜ ୭୩* ରନ୍‌ର ବିସ୍ଫୋରକ ପାଳିରେ ୩୬ ବର୍ଷୀୟ ଡି’ଭିଲିୟର୍ସ ୬ଟି ଦର୍ଶନୀୟ ଛକା ମାରିଥିଲେ। ସେଥିମଧ୍ୟରୁ କିଛି ଷ୍ଟାଡିୟମ୍ ବାହାରକୁ ଚାଲି ଯାଇଥିଲା। ଏପରିକି ଡି’ଭିଲିୟର୍ସଙ୍କ ବିଶାଳ ଛକା ପାଇଁ ସାରଜା ଷ୍ଟାଡିୟମ ଆଗ ଦେଇ ଯାଉଥିବା ଏକ ସଡ଼କରେ ଗାଡ଼ି ଚଳାଚଳ କିଛି ସମୟ ପାଇଁ ଥମି ଯାଇଥିଲା। ଏକ ଚଳନ୍ତା କାର୍‌ରେ ବଲ୍ ବାଜିବା ପରେ କିଛି ସମୟ ପାଇଁ ସେଠାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା। ମଜାଦାର କଥା ହେଲା ଡି’ଭିଲିୟର୍ସଙ୍କ ଏଭଳି ଏକ ଛକା ବଲ୍‌କୁ ଜଣେ କୁନି କ୍ରିକେଟ୍‌ପ୍ରେମୀ ଖୋଜି ପାଇଥିଲେ। କେହି ଜଣେ ‌ସେ ବଲ୍‌ଟିକୁ ଦେଖାଉଥିବାର ଫଟୋ ମଧ୍ୟ ସାମାଜିକ ଗଣାମଧ୍ୟମରେ ଛାଡ଼ି ଦେଇଥିଲେ। ସେବେଠାରୁ ଏହି ଫଟୋଟି ପୂରା ଭାଇରାଲ୍ ହୋଇଯାଇଛି। ଆର୍‌ସିବି ମଧ୍ୟ ନିଜ ଟ୍ବିଟର ପୃଷ୍ଠାରେ ସଂପୃକ୍ତ କୁନି କ୍ରିକେଟ୍ ପ୍ରେମୀଙ୍କ ଫଟୋକୁ ପ୍ରକାଶ କରି ଦିନେ ଏହି ବଲ୍‌ ପାଇଁ ଅମୂଲମୂଲ ହେବ ବୋଲି କହିଛି।

ସମ୍ବନ୍ଧିତ ଖବର