ନୂଆଦିଲ୍ଲୀ: ଟେଷ୍ଟ୍ କ୍ରିକେଟ୍‌ରେ ‘କୋହଲି’ ଯୁଗର ଅବସାନ ଘଟିଛି। ଭାରତୀୟ କ୍ରିକେଟ୍‌ର ଅନ୍ୟତମ ଲୋକପ୍ରିୟ, ଚର୍ଚ୍ଚିତ ତଥା କିଂବଦନ୍ତି କ୍ରୀଡ଼ା ପୁରୁଷ ବିରାଟ ‌କୋହଲି ଅଚାନକ ଏହି ଫର୍ମାଟ୍‌ରୁ ଅବସର ଘୋ‌ଷଣା କରିଛନ୍ତି। ସୋମବାର ସାମାଜିକ ଗଣମାଧ୍ୟମରେ ସେ ଏହି ବିଷୟ ଜଣାଇବା ପରେ ସମଗ୍ର କ୍ରିକେଟ୍‌ ଜଗତ ତାଙ୍କ ଜାଜ୍ଜ୍ବଲ୍ୟମାନ ଟେଷ୍ଟ୍‌ କ୍ୟାରିୟର୍‌କୁ ସାଲ୍ୟୁଟ୍‌ କରିଛି। ସାଥୀ ଖେଳାଳିଙ୍କଠାରୁ ଆରମ୍ଭ କରି ପ୍ରତିପକ୍ଷ, ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟ୍‌ରମାନେ କୋହଲିଙ୍କ ଏହି ନିଷ୍ପତ୍ତିରେ ବିସ୍ମୟ ପ୍ରକଟ କରିଥିଲେ ମଧ୍ୟ ପରବର୍ତ୍ତୀ ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି। ଅନ୍ୟପକ୍ଷରେ ଗୁରୁତ୍ବପୂର୍ଣ୍ଣ ଇଂଲଣ୍ଡ ଗସ୍ତ ପୂର୍ବରୁ କୋହଲି ଏମିତି ଅବସର ଘୋଷଣା କରିବା ନେଇ ନାନା ତର୍କବିତର୍କ ଆରମ୍ଭ ହୋଇଯାଇଛି। ୩୬ ବର୍ଷୀୟ କୋହଲି ପୂର୍ବରୁ ‌ଟ୍ବେଣ୍ଟି-୨୦ରୁ ଅବସର ନେଇ ସାରିଛନ୍ତି। ଟେଷ୍ଟ୍ ଛାଡ଼ିବା ପରେ ଆଗାମୀ ସମୟରେ ପ୍ରଶଂସକ ତାଙ୍କୁ କେବଳ ଏକଦିବସୀୟ କ୍ରିକେଟ୍ ‌ଖେଳୁଥିବାର ଦେଖିବାକୁ ପାଇବେ।

Advertisment

ନିଜ ଅବସର ବାର୍ତ୍ତାରେ କୋହଲି କହିଛନ୍ତି, ଟେଷ୍ଟ୍‌ କ୍ରିକେଟ୍‌ରେ ବ୍ଲୁ ଟୋପି ପରିଧାନ କରିବାକୁ ଏହାମଧ୍ୟରେ ୧୪ ବର୍ଷ ବିତିଯାଇଛି। ମୁଁ କେବେ ଭାବି ନଥିଲି ଏ ଯାତ୍ରା  ମୋତେ ଏତେ ବାଟ ନେଇ ଆସିବ। ଏହା ମୋର ପରୀକ୍ଷା ନେଇଛି, ମୋତେ ଗଢ଼ିତୋଳିଛି, ଅନେକ କିଛି ଶିଖାଇଛି। ଯାହାକୁ ମୁଁ ଜୀବନସାରା ସାଇତି ରଖିବି। ଧଳା ପୋଷାକରେ ଖେଳିବା ମୋ ପାଇଁ ଥିଲା ଏକ ସ୍ବତନ୍ତ୍ର ଅନୁଭବ। ଛୋଟ ଛୋଟ ମୁହୂର୍ତ୍ତଗୁଡ଼ିକୁ କେହି ଦେଖିପାରନ୍ତି ନାହିଁ। ହେଲେ ମୋ ସହ କିନ୍ତୁ ଏହା ଚିରଦିନ ରହିବ। ଏହି ଫର୍ମାଟ୍‌ ଛାଡ଼ିବା ମୋ ପାଇଁ ଏତେ ସହଜ ହୋଇନାହିଁ, କିନ୍ତୁ ଠିକଣା ସମୟରେ ଆସିଥିବା ଅନୁଭବ କରୁଛି। ମୋ ପାଖରେ ଯାହା ଥିଲା ଦେଇଛି। କିନ୍ତୁ ମୋତେ ଏହା ଯେତେ ଦେଇଛି ମୁଁ ତାହା ଆଶା କରିନଥିଲି। ମୁଁ କୃତଜ୍ଞତାର ସହ ବିଦାୟ ନେଉଛି। ଏହି ଖେଳ, ପଡ଼ିଆରେ ବିତାଇଥିବା ପ୍ରତିଟି ବ୍ୟକ୍ତିଙ୍କ ସହ ସମୟ, ମୋତେ ଅନୁଭବ ଦେଇଥିବା ପ୍ରତି ବ୍ୟକ୍ତିଙ୍କ ପାଇଁ ‌ମୁଁ ଟେଷ୍ଟ୍ କ୍ୟାରିୟରକୁ ହସି ହସି ପଛକୁ ଫେରି ଦେଖିବି। କୋହଲିଙ୍କ ଏଭଳି ବାର୍ତ୍ତା ପ୍ରଶଂସକଙ୍କୁ ଭାବବିହ୍ବଳ କରିଦେଇଛି। 

ସୂଚନାଯୋଗ୍ୟ ଯେ ସାଂପ୍ରତିକ କ୍ରିକେଟ୍‌ର ସବୁଠାରୁ ଚର୍ଚ୍ଚିତ ତାରକା କୋହଲି ୧୪ ବର୍ଷର ଟେଷ୍ଟ୍ କ୍ରିକେଟ୍‌ ଜୀବନରେ ୧୨୩ ମ୍ୟାଚ୍‌ରୁ ୪୬.୮୫ ହାରରେ ୯୨୩୦ ରନ୍ ସଂଗ୍ରହ କରିଛନ୍ତି। ଏହା ଭିତରେ ରହିଛି ୩୦ ଶତକ ଓ ୩୧ ଅର୍ଦ୍ଧଶତକ। ୬୮ ଟେଷ୍ଟ୍‌ରେ ଦେଶର ନେତୃତ୍ବ ନେଇ ୪୦ଟିରେ ବିଜୟ ‌ପାଇଥିବାରୁ ସଫଳତମ ଟେଷ୍ଟ୍‌ ଅଧିନାୟକ ରେକର୍ଡ ତାଙ୍କ ନାମରେ ରହିଛି। ମହେନ୍ଦ୍ର ସିଂହ ଧୋନି (୬୦ରୁ ୨୭ ବିଜୟ) ଏବଂ ‌ସୌରଭ ଗାଙ୍ଗୁଲି (୪୯ରୁ ୨୧ ବିଜୟ)ଙ୍କୁ ସେ ପଛରେ ପକାଇଛନ୍ତି। କୋହଲି ‌ଶେଷ ଥର ପାଇଁ ୨୦୨୪ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟ୍‌ରେ ଶତକ (୧୦୦*) ହାସଲ କରି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ। ଅବସର ବେଳକୁ ସେ ଅଗ୍ରଣୀ ଭାରତୀୟ ଟେଷ୍ଟ୍ ରନ୍‌ ସଂଗ୍ରହକାରୀଙ୍କ ତାଲିକାରେ ଚତୁର୍ଥରେ ରହିଛନ୍ତି। ସଚିନ ତେନ୍ଦୁଲକର (୧୫,୯୨୧), ରାହୁଲ ଦ୍ରାବିଡ଼ (୧୩,୨୮୮), ସୁନୀଲ ଗାଭାସ୍କର (୧୦,୧୨୨)ଙ୍କ ପରେ କୋହଲି (୯,୨୩୦) ଅଛନ୍ତି। ବିଶ୍ବର ସଫଳ ‌ଟେଷ୍ଟ୍ ଅଧିନାୟକଙ୍କ ଭିତରେ ସେ ମଧ୍ୟ ଚତୁର୍ଥରେ ଅଛନ୍ତି। ଗ୍ରେମ୍ ସ୍ମିଥ୍ (୫୩/୧୦୯), ରିକି ପଣ୍ଟିଂ (୪୮/୭୭), ଷ୍ଟିଭ୍ ୱ (୪୧/୫୭)ଙ୍କ ପରେ କୋହଲି (୪୦/୬୮) ଅଛନ୍ତି