କୋହଲିଙ୍କ ରନ୍‌ଆଉଟ୍‌ ଭାଙ୍ଗିଲା ହୃଦୟ, ସ’ଙ୍କୁ ଭୀଷଣ ଟ୍ରୋଲ୍

ଆଡିଲେଡ: ବହୁ ପ୍ରତୀକ୍ଷିତ ଗୋଲାପି ବଲ୍ ଟେଷ୍ଟ୍‌ର ପ୍ରଥମ ଦିନରେ ଭାରତୀୟ କ୍ରିକେଟ୍ ଦଳ ଏକପ୍ରକାର ସଂଘର୍ଷ କରିଛି। ଅଧିନାୟକ ବିରାଟ କୋହଲି ଧୈର୍ଯ୍ୟପୂର୍ଣ୍ଣ, ନିୟନ୍ତ୍ରଣଭରା ତଥା ଉଚ୍ଚଗୁଣମାନର ଅର୍ଧଶତକ ଅର୍ଜନ କରିବା ସତ୍ତ୍ବେ ଟିମ୍ ଇଣ୍ଡିଆ ଗୁରୁବାରର ୮୯ ଓଭର ଖେଳରେ ୬ ୱିକେଟ୍ ହରାଇ ୨୩୩ ରନ୍ କରିଛି। ଅପୂର୍ବ ଏକାଗ୍ରତା ଏବଂ ଆଧିପତ୍ୟଭରା ପାଳି ଖେଳୁଥିବା କୋହଲି ଦ୍ବିତୀୟ ନୂଆ ବଲ୍ ନେବାର ଠିକ୍ ପୂର୍ବରୁ ଦୁର୍ଭାଗ୍ୟଜନକ ରନ୍ ଆଉଟ୍ ହେବା ଭାରତ ପାଳିକୁ ଲାଇନଚ୍ୟୁତ କରିଥିଲା। ଉପଅଧିନାୟକ ଅଜିଙ୍କ୍ୟ ରାହାଣେ (୪୨)ଙ୍କ ଡାକରାରେ ବୁଲ୍ ବୁଝାମଣା ପାଇଁ ଅଷ୍ଟ୍ରେଲିଆ କୋହଲିଙ୍କ ବିରାଟ, ମହତ୍ବପୂର୍ଣ୍ଣ ତଥା ବହୁମୂଲ୍ୟବାନ ୱିକେଟ୍ ହାସଲ କରିନେଇ ମ୍ୟାଚ୍‌କୁ ଫେରିଥିଲା। ସେପଟେ ୧୮୮/୩ର ଭଲ ସ୍ଥିତିରୁ ହଠାତ୍ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଷ୍ଟମ୍ପ୍ସ ଅପସାରଣ ବେଳକୁ ୬ ଜଣ ବ୍ୟାଟର୍‌ଙ୍କୁ ହରାଇ ବସିଥିଲା ଭାରତ। କୋହଲିଙ୍କୁ ସିଙ୍ଗଲ ନେବା ଲାଗି ଡାକି ନିଜେ ଅଟକି ଯାଇଥିବା ରାହାଣେ ଫ୍ଲଡ୍ ଲାଇଟ୍ ତଳେ ଗୋଲାପି ବଲ୍‌କୁ ମିଳୁଥିବା ପେସ୍ ଓ ବାଉନ୍ସର ମୁକାବିଲା କରିବାରେ ଅସମର୍ଥ ହୋଇଥିଲେ। ହନୁମା ବିହାରୀ (୧୬) ମଧ୍ୟ ବେଶି ସମୟ ରହି ପାରି ନଥିଲେ। କୋହଲି, ରାହାଣେ ଓ ବିହାରୀ ୧୮ ରନ୍‌ ମଧ୍ୟରେ ପ୍ୟାଭିଲିୟନ ଫେରିବା ପରେ ପ୍ରଥମ ଦିନର ସମ୍ମାନ ଆପାତତଃ ଅଷ୍ଟ୍ରେଲିଆ ଖାତାକୁ ଯାଇଥିଲା।

ପ୍ରଥମ ଦିନ‌ର ଖେଳରେ କିନ୍ତୁ ସର୍ବାଧିକ ନିରାଶ କରିଥିଲେ ପ୍ରାରମ୍ଭିକ ତାରକା ପୃଥ୍ବୀ ସ’। ଶୁବମନ ଗିଲ୍‌ଙ୍କ ପରିବର୍ତ୍ତେ ଅଧିନାୟକ ଓ ପ୍ରଶିକ୍ଷକ ତାଙ୍କ ଉପରେ ଅଧିକ ଆସ୍ଥା ପ୍ରକଟ କରିଥିଲେ ମଧ୍ୟ ଦ୍ବିତୀୟ ବଲ୍‌ରେ ହିଁ ସେ ମିଚେଲ ଷ୍ଟାର୍କଙ୍କ ବଲ୍‌ରେ କ୍ଲିନ୍ ବୋଲ୍ଟ ହୋଇ ଏହାର ସମ୍ମାନ ରଖି ନଥିଲେ। ପ୍ରଥମ ଓଭରର ଏହି ଶକ୍ତ ଝଟ୍‌କା ପରେ ଅନ୍ୟତମ ଯୁବ ପ୍ରାରମ୍ଭିକ ତାରକା ମୟଙ୍କ ଅଗ୍ରୱାଲ ମଧ୍ୟ ନିରାଶ କରିଥିଲେ। ପ୍ୟାଟ୍ କମିନ୍ସଙ୍କ ଶିକାର ହୋଇଥିଲେ ମୟଙ୍କ। ଆଉ ଭାରତ ୩୨ ରନ୍‌ରେ ହିଁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ସ’ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲା ବେଳେ ଅଗ୍ରୱାଲ କେବଳ ୧୭ ରନ୍ କରିଥିଲେ। ଏହା ପରେ ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା (୪୩) ଓ କୋହଲି ପାଳି ଗଢ଼ିବାରେ ଲାଗି ପଡ଼ିଥିଲେ। ଉଭୟ ତୃତୀୟ ୱିକେଟ୍‌ରେ ୬୮ ରନ୍ ଯୋଡ଼ିଥିଲେ। ୫୦ତମ ଓଭରରେ ପୂଜାରା ଆଗକୁ ଆସି ନାଥନ ଲାୟନଙ୍କୁ ଆକ୍ରମଣ କରୁଥିଲା ବେଳେ ଲେଗ୍ ଗଲି ଅଞ୍ଚଳ‌ରେ ଥିବା ମାର୍ନସ ଲବୁସାନେଙ୍କ ହାତକୁ ବଲ୍ ଚାଲି ଯାଇଥିଲା। ଅଷ୍ଟ୍ରେଲିଆ ଖେଳାଳିମାନେ କ୍ୟାଚ୍ ଆଉଟ୍ ଅପିଲ କରିବା ସତ୍ତ୍ବେ ଅମ୍ପାୟାର ଏହାକୁ ନାକଚ କରି ଦେଇଥିଲେ। ରିଭ୍ୟୁରେ ସଫଳ ହୋଇ ଲାୟନ ଶେଷରେ ଏହି ବିପଜ୍ଜନକ ଯୋଡ଼ି ଭାଙ୍ଗିଥିଲେ। ପୂଜାରା ଯିବା ପରେ ରାହାଣେ-କୋହଲି ଚତୁର୍ଥ ୱିକେଟ୍‌ରେ ଯୋଡ଼ିଥିବା ୮୮ ରନ୍ ଭାରତ ପାଇଁ ଢେର ମୂଲ୍ୟବାନ ଥିଲା। ତେବେ ରାହାଣେଙ୍କ ଗୋଟିଏ ଡାକରା ହିଁ ସବୁକିଛି ଏପଟ ସେପଟ କରି ଦେଇଥିଲା। କୋହଲି ରନ୍‌ଆଉଟ୍ ହେବା ପୂର୍ବରୁ ଅବଶ୍ୟ ୨୩ତମ ଅର୍ଧଶତକ ପୂରଣ କରି ନେଇଥିଲେ। ରାହାଣେ, ବିହାରୀ ଯଥାକ୍ରମେ ଷ୍ଟାର୍କ ଓ ଜୋସ୍ ହାଜେଲଉଡ୍‌ଙ୍କ ଦ୍ବାରା ଏଲ୍‌ବିଡବ୍ଲ୍ୟୁ ହେବା ପରେ ଭାରତ ପ୍ରଥମ ଦିନରେ ଆଧିପତ୍ୟ ବିସ୍ତାର କରିବାର ସୁଯୋଗ ହାତଛଡ଼ା କରିଥିଲା। ଗୁରୁବାରର ଖେଳ ବନ୍ଦ ବେଳକୁ ୱିକେଟ୍‌ରକ୍ଷକ ଋଦ୍ଧିମାନ ସାହ ୯ ଏବଂ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ୧୫ ରନ୍‌ରେ ବ୍ୟାଟିଂ କରୁଥିଲେ।

ଆଡିଲେଡ୍ ଟେଷ୍ଟ୍‌ରେ ‘ସୁନେଲି ଶୁନ’ ପାଇଥିବା ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ଙ୍କୁ କ୍ରିକେଟ୍‌ପ୍ରେମୀ ଦିନସାରା ଭୀଷଣ ଟ୍ରୋଲ୍ କରିଥିଲେ। କଟାକ୍ଷଭରା ତଥା କୌତୁକିଆ ମିମ୍ ଛାଡ଼ି ତାଙ୍କୁ ଟାହି ଟାପରା କରିଥିଲେ। ଏପରିକି ସ’ଙ୍କ ମାତ୍ରାଧିକ ଆତ୍ମବିଶ୍ବାସକୁ କିଛି ପୂର୍ବତନ ଖେଳାଳି ମଧ୍ୟ ପସନ୍ଦ କରିନଥିଲେ। ଜଣେ କ୍ଷୁବ୍ଧ ଭାରତୀୟ କ୍ରିକେଟ୍ ପ୍ରଶଂସକ ଲେଖିଥିଲେ ସଚିନ, ଲାରା ଓ ସେହବାଗଙ୍କ ଭଳି ମହାନ ଖେଳାଳିଙ୍କ ସହ ତୁଳନା ହେଉଥିଲେ ମଧ୍ୟ ସ’ ଏବେ ବି ଆଫ୍ରିଦିଙ୍କ ଭଳି ଖେଳୁଛନ୍ତି। କ୍ରିଷ୍ଟିଆନୋ ରୋନାଲଡୋଙ୍କ ଏକ ଫଟୋ ପ୍ରକାଶ କରି ସ’ ଦଳରେ ଥିଲେ ୦-୧ ଗୋଲ୍‌ରେ ହାରିବା ନିଶ୍ଚିତ ବୋଲି ମଧ୍ୟ ସେ ଉଲ୍ଲେଖ କରିଥିଲେ। କେହି କେହି ସ’ଙ୍କୁ ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ କମେଡି ଚରିତ୍ର ସହ ବି ତୁଳନା କରିଥିଲେ। କେ‌ତେକ ପ୍ରଶଂସକ ବଲିଉଡ୍ ଚଳଚ୍ଚିତ୍ର ହେରାଫେରିର ହାସ୍ୟରସାତ୍ମକ ଦୃଶ୍ୟକୁ ପକାଇ ସ’ଙ୍କୁ ପରୋକ୍ଷ ସମାଲୋଚନାରେ ପୋତି ଦେଇଥିଲେ। ଅନ୍ୟମାନେ ଗତ ୧୦ ପାଳିରେ ସ’ କରିଥିବା ସ୍କୋର ୦, ୦, ୭,୧୦, ୯, ୦, ୦, ୧୯, ୪୦ ଏବଂ ୩କୁ ପ୍ରକାଶ କରି ଭାରତୀୟ ଦଳୀୟ ଅଧିକାରୀଙ୍କ ନିଷ୍ପତ୍ତିକୁ ନେଇ ନିଜ ନିଜର ଅସନ୍ତୋଷ ଜାହିର କରିଥିଲେ। ଆଇପିଏଲ୍‌ରେ ବିଫଳ ହୋଇଥିବା ସ’ ଭାରତ ଖେଳିଥିବା‌ ଦୁଇଟିଯାକ ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ନିରାଶ କରିଥିଲେ। ତଥାପି ତାଙ୍କୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା। ଖାତା ଖୋଲିବାକୁ ସକ୍ଷମ ନହେବା ପରେ ତାଙ୍କ ଚୟନକୁ ଭାରତୀୟ ସମର୍ଥକ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି। ଶୁବମନ ଗିଲ୍ ଏବଂ ଲୋକେଶ ରାହୁଲଙ୍କ ଭଳି ଖେଳାଳି ଥିଲା ବେଳେ ତାଙ୍କୁ କାହିଁକି ଗୁରୁତ୍ବପୂର୍ଣ୍ଣ ଗୋଲାପି ଟେଷ୍ଟ୍ ଖେଳିବାକୁ ବଛାଗଲା? ସେ ପ୍ରଶ୍ନ କରିଛନ୍ତି ପ୍ରଶଂସକ।

 

ସମ୍ବନ୍ଧିତ ଖବର