ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ କ୍ରୀଡ଼ାବିତ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭାରତୀୟ କ୍ରିକେଟର୍ ବିରାଟ କୋହଲି। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ବାର୍ତ୍ତା ଜାରି କରି କୋହଲି ଭାରତୀୟ କ୍ରୀଡ଼ାବିତ୍ଙ୍କ ତ୍ୟାଗକୁ ବର୍ଣ୍ଣନା କରିଛନ୍ତି। ବିଶ୍ବର ସବୁଠୁ ବଡ଼ କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବା ପାଇଁ ଭାରତୀୟ କ୍ରୀଡ଼ାବିତ୍ମାନେ ସେମାନଙ୍କ ରକ୍ତ, ଝାଳ ଓ ଲୁହଙ୍କୁ ବାଜି ଲଗାଇ ଦେଇଥିବା ସେ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଭାରତର ସଫଳତାକୁ ସେ କହିବା ସହ ସମସ୍ତ ଭାରତୀୟ ମିଳିତ ଭାବେ ଆମ କ୍ରୀଡ଼ାବିତ୍ଙ୍କୁ ସମର୍ଥନ ଜଣାଇବା ପାଇଁ ଆଗେଇ ଆସିବାକୁ ସେ ଅନୁରୋଧ କରିଛନ୍ତି। କୋହଲି ତାଙ୍କ ବାର୍ତ୍ତାରେ କହିଛନ୍ତି, ‘‘ଇଣ୍ଡିଆ, ଭାରତ, ହିନ୍ଦୁସ୍ତାନ। ପୂର୍ବରୁ ଗୋଟିଏ ସମୟ ଥିଲା ଯେତେବେଳେ ଭାରତକୁ କେବଳ ସାପ ଓ ହାତୀମାନଙ୍କର ଭୂମି ଭାବେ ସାରା ବିଶ୍ବ ଚିହ୍ନୁଥିଲା। ସମୟକ୍ରମେ ସେସବୁଥିରେ ପରିବର୍ତ୍ତନ ଆସିଛି। ଆଜି ଆମେ ବିଶ୍ବର ସର୍ବବୃହତ୍ ଗଣତନ୍ତ୍ର ଭାବେ ପରିଚିତ ହେଉଛୁ।
ଗ୍ଲୋବାଲ୍ ଟେକ୍ ହବ୍, କ୍ରିକେଟ୍, ବଲିଉଡ୍, ଷ୍ଟାର୍ଟଅପ୍ ୟୁନିକର୍ନ ଏବଂ ଅର୍ଥବ୍ୟବସ୍ଥାରେ ଦ୍ରୁତଭାବେ ଆଗେଇ ଯିବା ରାଷ୍ଟ୍ର ଭାବେ ଆମର ପରିଚୟ ସୃଷ୍ଟି ହୋଇଛି। ତେଣୁ ଏଭଳି ମହାନ ଦେଶ ସହିତ ଆଗକୁ କ’ଣ ଆଉ ବଡ଼ ଘଟିପାରେ? ସବୁଠୁ ଅଧିକ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଅମଳ ହେବା ଆଶା। ଆମ ଭାଇ ଓ ଭଉଣୀମାନେ ପଦକ ଭୋକିଲା ହୋଇ ପ୍ୟାରିସ୍କୁ ଯାଉଛନ୍ତି। କୋଟିକୋଟି ଭାରତୀୟ ସେମାନଙ୍କୁ ଦେଖିବା ବେଳେ ନର୍ଭସ ହେବେ ଏବଂ ଟ୍ରାକ୍ ଓ ଫିଲ୍ଡରେ ଅଂଶଗ୍ରହଣ କରିବା ସମୟରେ ଆମ କ୍ରୀଡ଼ାବିତ୍ମାନେ ଅଧିକ ଉତ୍ସାହିତ ହେଉଥିବେ। ଦେଶର ପ୍ରତି କୋଣ ଅନୁକୋଣରୁ ଇଣ୍ଡିଆ, ଇଣ୍ଡିଆ, ଇଣ୍ଡିଆ ଶୁଣିବାକୁ ମିଳିବ। ତେଣୁ ପୋଡିୟମ୍ର ନିକଟତର ହେଉଥିବା ଓ ତ୍ରିରଙ୍ଗା ଆଡ଼କୁ ଗର୍ବର ସହ ଦେଖୁଥିବା ଭଳି ସେମାନଙ୍କ ଚେହେରାକୁ ମନେ ପକାଇ ଆସନ୍ତୁ ମୋ ସହିତ ସେମାନଙ୍କୁ ନିଷ୍ଠାର ସହ ସମର୍ଥନ ଜଣାଇବା।’’ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତରୁ ୧୬ କ୍ରୀଡ଼ା ବିଭାଗରୁ ୧୧୮ ଜଣ କ୍ରୀଡ଼ାବିତ୍ ସାମିଲ ହେବାକୁ ଯାଉଛନ୍ତି। ଯେଉଁଥିରେ ୪୮ ମହିଳା ଖେଳାଳି ଅଛନ୍ତି।