ଟେଷ୍ଟ୍ରେ ଉଭୟ ମ୍ୟାଚ୍ ବିଜୟ ସଂଖ୍ୟା ଏବଂ ବିଜୟ ପ୍ରତିଶତ ଭିତ୍ତିରେ କୋହଲି ସର୍ବାଧିକ ସଫଳ ପୂର୍ଣ୍ଣକାଳୀନ ଭାରତୀୟ ଅଧିନାୟକ।
ଗୋଟିଏ କ୍ୟାଲେଣ୍ଡର ବର୍ଷରେ ବିଦେଶରେ ୪ଟି ଟେଷ୍ଟ୍ ବିଜୟ। ଦୁଇଥର ଏଭଳି ସଫଳତା ପାଇବାରେ କୋହଲି ଏକମାତ୍ର ଭାରତୀୟ ଅଧିନାୟକ। ଭାରତ ଗୋଟିଏ ବର୍ଷ ଭିତରେ ବ୍ରିସ୍ବର୍ଣ୍ଣ, ଲର୍ଡସ, ଓଭାଲ ଏବଂ ସେଞ୍ଚୁରିଅନ୍ରେ ଟେଷ୍ଟ୍ ଜିତିଥିଲା। ଏହା ବଳରେ ୨୦୧୮ ସଫଳତାର ସମକକ୍ଷ ହୋଇଥିଲେ। ୨୦୧୮ରେ ତାଙ୍କ ନେତୃତ୍ବରେ ଭାରତ ଜୋହାନେସ୍ବର୍ଗ, ନଟିଂହାମ୍, ଆଡିଲେଡ୍ ଓ ମେଲ୍ବର୍ଣ୍ଣରେ ଟେଷ୍ଟ୍ ଜିତିଥିଲା।
ସେଞ୍ଚୁରିଅନ୍ରେ ଟେଷ୍ଟ୍ ବିଜୟ ହାସଲ କରିବାରେ ସେ ଥିଲେ ପ୍ରଥମ ଏସୀୟ ଅଧିନାୟକ। ସେଠାରେ ଟେଷ୍ଟ୍ ଜିତିବାରେ ସେ ବିଶ୍ବର ତୃତୀୟ ଏବଂ ପ୍ରଥମ ଏସୀୟ ଅଧିନାୟକ ହୋଇଥିଲେ। ତାଙ୍କ ପୂର୍ବରୁ ଇଂଲଣ୍ଡର ନାସିର ହୁସେନ୍ (୨୦୦୦) ଏବଂ ଅଷ୍ଟ୍ରେଲିଆର ମାଇକେଲ କ୍ଲାର୍କ (୨୦୧୪) ସେଞ୍ଚୁରିଅନ୍ରେ ବିଜୟୀ ହୋଇଥିଲେ।
ଏସୀୟ ଅଧିନାୟକ ଭାବେ ‘ସେନା’ ରାଷ୍ଟ୍ରରେ ସର୍ବାଧିକ ଟେଷ୍ଟ୍ ବିଜୟ କୋହଲିଙ୍କ ନାମରେ ରହିଛି। ସେଞ୍ଚୁରିଅନ୍ ବିଜୟ କୋହଲିଙ୍କ ପାଇଁ ୨୩ ଟେଷ୍ଟ୍ରେ ସପ୍ତମ ଥିଲା। ଯାହାକି ‘ସେନା’ ରାଷ୍ଟ୍ରରେ କୌଣସି ଏସୀୟ ଅଧିନାୟକ ଭାବେ ସର୍ବାଧିକ ବିଜୟ।
ବିଦେଶ ଟେଷ୍ଟ୍ରେ କୋହଲି ୩୬ ଟେଷ୍ଟ୍ରୁ ୧୬ ଜିତିଥିଲେ।
ଏକମାତ୍ର ଏସୀୟ ଅଧିନାୟକ ଭାବେ ସେ ଦୁଇଟଇ ବକ୍ସିଂ ଡେ’ ଟେଷ୍ଟ୍ ଜିତିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ବିଜୟ ସହ କୋହଲି ଦୁଇଟି ବକ୍ସିଂ ଡେ’ ଟେଷ୍ଟ୍ରେ ବିଜୟୀ ହେବାରେ ପ୍ରଥମ ଏସୀୟ ଅଧିନାୟକ ଥିଲେ। ଏହା ପୂର୍ବରୁ ୨୦୧୮ରେ ଅଷ୍ଟ୍ରେଲିଆରେ ଘରୋଇ ଦଳ ବିପକ୍ଷରେ ବକ୍ସିଂ ଡେ’ ଟେଷ୍ଟ୍ରେ ରାଜୁତି କରିଥିଲା। ସେହି ଶୃଙ୍ଖଳାକୁ ମଧ୍ୟ ୨-୧ରେ ଭାରତ ଜିତିଥିଲା।
ପ୍ରଥମ ଭାରତୀୟ ଅଧିନାୟକ ଭାବେ ଦକ୍ଷିଣ ଆଫ୍ରିକାରେ ଦୁଇଟି ଟେଷ୍ଟ୍ ଜିତିଥିଲେ। ଚଳିତ ଗସ୍ତରେ ସେଞ୍ଚୁରିଅନ୍ ପୂର୍ବରୁ ୨୦୧୮ରେ ତାଙ୍କ ନେତୃତ୍ବରେ ଭାରତ ଗୋଟିଏ ଟେଷ୍ଟ୍ ଜିତିଥିଲା।
କୋହଲି ଭାରତକୁ ଏକ ପରିପକ୍ବ ଦଳ ଭାବେ ଗଢ଼ିଥିଲେ: ଜୟ ସାହା
ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ୍ ଦଳର ଅଧିନାୟକ ଭାବେ ସର୍ବାଧିକ ସଫଳ କାର୍ଯ୍ୟକାଳ ପାଇଁ ବିରାଟ କୋହଲିଙ୍କୁ ବିସିସିଆଇ ସଂପାଦକ ଜୟ ସାହା ଧନ୍ୟବାଦ ଜଣାଇଛନ୍ତି। ଶନିବାର ଟେଷ୍ଟ୍ ଅଧିନାକେ ପଦରୁ କୋହଲି ଓହରିଯିବା ପରେ ସାହା ଏହି ମନ୍ତବ୍ୟ ଦେଇଛନ୍ତି। କୋହଲି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଉଭୟ ଦେଶ ଓ ବିଦେଶରେ ଭାରତକୁ ଏକ ପରିପକ୍ବ ଦଳ ଭାବେ ଗଢ଼ି ତୋଳିଥିଲେ ବୋଲି ସାହା ଟ୍ବିଟ୍ କରିଛନ୍ତି। ବିସିସିଆଇ ମଧ୍ୟ ଏହାକୁ ସେମାନଙ୍କ ଟ୍ବିଟର ହ୍ୟାଣ୍ଡଲ୍ରେ ପୋଷ୍ଟ କରିବା ସହିତ ଭାରତୀୟ ଦଳକୁ ଶିଖରରେ ପହଞ୍ଚାଇବାରେ ତାଙ୍କ ଅବଦାନ ପାଇଁ ଅଭିନନ୍ଦନ ଜଣାଇଛି। ଯେତେବେଳେ ବି ଭାରତୀୟ କ୍ରିକେଟ୍ରେ ଅଧିନାୟକଙ୍କ କଥା କୁହାଯାଏ ସେତେବେଳେ ବିରାଟ କୋହଲିଙ୍କ ନାମ ସର୍ବାଗ୍ରେ ରହିଥାଏ। କେବଳ ଫଳାଫଳ ପାଇଁ ନୁହେଁ; ଜଣେ ଅଧିନାୟକ ଭାବେ ତାଙ୍କ ଆଭିମୁଖ୍ୟ ପାଇଁ ବୋଲି। ଧନ୍ୟବାଦ ବିରାଟ କୋହଲି।
ଇର୍ଫାନ୍ ପଠାନ୍, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଯେତେବେଳେ ବିାରାଟ ଟେଷ୍ଟ୍ ଅଧିନାୟକ ଭାବେ ଦାୟିତ୍ବ ଗ୍ରହଣ କଲେ, ଭାରତ ବିଦେଶ ମାଟିରେ ଏକ ଟେଷ୍ଟ୍ ଜିତିବା ବଡ଼ ସଫଳତା ଥିଲା। ଏବେ ଯଦି ଭାରତ ଏକ ବିଦେଶ ଟେଷ୍ଟ୍ ହାରିଗଲା ତାହାଲେ ଏହା ମସ୍ତବଡ଼ ବିଫଳତା ବୋଲି ବିବେଚନା କରାଗଲା। ତାହା ହିଁ ହେଉଛି ସେ କେତେଦୂର ଭାରତୀୟ କ୍ରିକେଟ୍କୁ ଆଗକୁ ନେଇଥିଲେ ଏବଂ ତାହା ହିଁ ହେବ ତାଙ୍କ ନେତୃତ୍ବର ପରାକାଷ୍ଠା। ସଫଳତାର ରାଜୁତି ପାଇଁ ଅଭିନନ୍ଦନ ବିରାଟ।
ୱାସିମ ଜାଫର, ପୂର୍ବତନ ଭାରତୀୟ ଓପ୍ନର