ହୋଟେଲ ପ୍ରକୋଷ୍ଠରେ କୋହଲିଙ୍କ ଝାଳବୁହା ବ୍ୟାୟାମ

ଚେନ୍ନାଇ : ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଏଠାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସଂଗରୋଧ ଅବସରରେ ହୋଟେଲ ପ୍ରକୋଷ୍ଠରେ ଝାଳବୁହା ବ୍ୟାୟାମ ଚଳାଇଛନ୍ତି। ସେ କିଭଳି ହୋଟେଲ ପ୍ରକୋଷ୍ଠରେ ତାଙ୍କର ଅଧିକାଂଶ ସମୟ ବିତାଉଛନ୍ତି ପ୍ରଶଂସକଙ୍କ ପାଇଁ ତା’ର ଫଟୋ ମଧ୍ୟ ଶୁକ୍ରବାର କୋହଲି ସେୟାର କରିଛନ୍ତି। ‘‘ସଂଗରୋଧ ଅବଧି ମଧ୍ୟରେ ଖେଳାଳିଙ୍କ ପାଇଁ ଜିମ୍‌ର ବ୍ୟବସ୍ଥା ଉପଲବ୍‌ଧ ଥିଲା ବେଳେ ସଂଗୀତ ବ୍ୟବସ୍ଥା ମଧ୍ୟ ରହିଛି। ଇଛା ଥିଲେ ଯେକୌଣସିଠାରେ ବି ତୁମେ ବ୍ୟାୟାମ କାର୍ଯ୍ୟ କରିପାରିବ। ପ୍ରତ୍ୟେକ ଦିନ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ’’ ବୋଲି ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ‌ରେ କ୍ୟାପ୍‌ସନ୍‌ ଲେଖିଛନ୍ତି କୋହଲି।
ଏଠାରେ ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌ ଫେବ୍ରୁଆରି ୫ ତାରିଖରୁ ସ୍ଥାନୀୟ ଏମ୍‌ଏ ଚିଦମ୍ବରମ୍‌ ‌ଷ୍ଟାଡିୟମ୍‌ରେ ଆରମ୍ଭ ହେବ। ଏହାପରେ ୧୩ରୁ ସେହି ଷ୍ଟାଡିୟମ୍‌ରେ ଦ୍ବିତୀୟ ଟେଷ୍ଟ୍‌ ମଧ୍ୟ ଖେଳାଯିବ।

ସଂଗରୋଧ ବେଳେ ପରିବାରକୁ ଅନୁମତି
ଭାରତୀୟ ଖେଳାଳିମାନେ ୩ କରୋନା ପରୀକ୍ଷାରୁ ପ୍ରଥମଟିରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗୁରୁବାର ହୋଇଥିବା ଏହି ପରୀକ୍ଷାରେ ସବୁ ଖେଳାଳିଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଫେବ୍ରୁଆରି ୫ ତାରିଖରୁ ପ୍ରଥମ ଟେ‌ଷ୍ଟ ଆରମ୍ଭ ହେବାକୁ ଥିଲା ବେଳେ ‌୨ ତାରିଖରୁ ଖେଳାଳିମାନଙ୍କୁ ଅଭ୍ୟାସ ଆରମ୍ଭ କରିବାର ସୁଯୋଗ ମିଳିବ। ତା’ ପୂର୍ବରୁ ଆଉ ଦୁଇ ଥର କରୋନା ପରୀକ୍ଷା ମଧ୍ୟ ହେବ। ଉଭୟ ଭାରତ ଓ ଇଂଲଣ୍ଡ ଦଳ ଏଠାରେ ପହଞ୍ଚି ସାରିଥିଲା ବେଳେ ଲୀଲା ପ୍ୟାଲେସ୍‌ ହୋଟେଲରେ ଅବସ୍ଥାନ କରୁଛନ୍ତି।

କଠୋର ସଂଗରୋଧ ଅବଧି ଅବସରରେ ୟୁଏଇରେ ଆୟୋଜିତ ଗତ ଆଇପିଏଲ୍‌ ବେଳେ ଯେଭଳି ଜୈବ ବଳୟ ବ୍ୟବସ୍ଥା ରହିଥିଲା ଠିକ୍‌ ସେହିଭଳି ବ୍ୟବସ୍ଥା ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି। ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ) ଅନୁଯାୟୀ ଆମେ ପ୍ରଥମ ଆର୍‌ଟି-ପିସିଆର୍‌ ପରୀକ୍ଷା କରିସାରିଛୁ ଏବଂ ଅଭ୍ୟାସ ପୂର୍ବରୁ ଆଉ ଦୁଇ ଥର କରିବୁ। ବର୍ତ୍ତମାନ ସୁଦ୍ଧା ଖେଳାଳିମାନେ ନିଜ ନିଜ ହୋଟେଲ ପ୍ରକୋଷ୍ଠ ମଧ୍ୟରେ ଆବଦ୍ଧ ରହିଛନ୍ତି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ହୋଟେଲ ପ୍ରକୋଷ୍ଠ ଭିତରେ ଖେଳାଳିମାନେ ଦୁଇ ଜଣ ଷ୍ଟ୍ରେଙ୍ଗ୍‌ଥ ଓ କଣ୍ଡିସନିଂ ବିଶେଷଜ୍ଞଙ୍କ ତତ୍ତ୍ବା‌ବଧାନରେ କେତେକ ଶାରୀରିକ ବ୍ୟାୟାମ ଚଳାଇଛନ୍ତି।

ତେବେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ସ୍ବରୂପ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) କଠୋର ସଂଗରୋଧ ଅବସରରେ ଖେଳାଳିମାନଙ୍କୁ ସେମାନଙ୍କ ପରିବାର ସହ ବିତାଇବାକୁ ଅନୁମତି ଦେଇଛି। ହେଲେ ଏହା ସଂପୂର୍ଣ୍ଣ ଏକାନ୍ତ ହେବା ଉଚିତ ବୋଲି ଚେତାଇ ଦେଇଛି। ଫଳରେ ଉପଅଧିନାୟକ ଆଜିଙ୍କ୍ୟ ରହାଣେ, ବରିଷ୍ଠ ଓପ୍‌ନର ରୋହିତ ଶର୍ମା, ୱିକେଟ୍‌ରକ୍ଷକ ଋଦ୍ଧିମାନ ସାହ, ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା ପ୍ରମୁ୍‌ଖ ସେମାନଙ୍କ ପରିବାର ସହ ସାମିଲ ହୋଇଛନ୍ତି ଏବଂ ପ୍ରତ୍ୟେକ ନିଜ ନିଜ ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର