ପୂର୍ବତନ କ୍ରିକେଟର ସନ୍ଦୀପ ପାଟିଲଙ୍କ କଟାକ୍ଷ: ବିରାଟଙ୍କ ଟିମ୍‌ ଇଂଲଣ୍ଡରେ ନେଉଛନ୍ତି ‘କଫି’ର ମଜା

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତାଙ୍କ ଟିମ୍‌ ଇଂଲଣ୍ଡରେ ‘କଫି’ର ମଜା ନେଉଛନ୍ତି। ଇଂଲଣ୍ଡ ବିପକ୍ଷରେ ଭାରତ ବର୍ମିଂହାମ ଓ ଲର୍ଡସ ଟେଷ୍ଟରେ ହାରିବା ପରେ ପାଟିଲ ଏଭଳି ମନ୍ତବ୍ୟ ଦେଇଛନ୍ତି। ପାଞ୍ଚ ଟେଷ୍ଟ ମ୍ୟାଚ୍‌ ଶୃଙ୍ଖଳାରେ ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ କରି ନାହିଁ।

ଭାରତ ଗତ ଜୁନ ୨୩ରେ ଇଂଲଣ୍ଡ ପହଞ୍ଚିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ପରେ ରବି ଶାସ୍ତ୍ରୀଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ, ଟି-୨୦ ଓ ଟେଷ୍ଟ ମ୍ୟାଚ ପାଇଁ ଅଭ୍ୟାସ କରିଥିଲା। କିନ୍ତୁ ଭାରତୀୟ ଟିମ୍‌ ଦିନିକିଆ ଶୃଙ୍ଖଳା ପରେ ଭଲ ଭାବରେ ଅଭ୍ୟାସ କରିନାହିଁ।

ଇଂଲଣ୍ଡରେ ଭାରତୀୟ ଟିମ୍‌ ଆହୁରି ୩ଟି ଟେଷ୍ଟ ମ୍ୟାଚ ଖେଳିବ। ପ୍ରଥମ ଓ ଦ୍ୱିତୀୟ ଟେଷ୍ଟରେ ନୈରାଶ୍ୟ ଜନକ ପ୍ରଦର୍ଶନ ନେଇ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଚିନ୍ତା ପ୍ରକଟ କରିଛି। ଇଂଲଣ୍ଡରେ ପ୍ରଦର୍ଶନ କାହିଁକି ଖରାପ ରହିଲା ସେ ନେଇ ଭାରତୀୟ ଟିମ୍‌ ସ୍ୱଦେଶ ଫେରିଲେ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କୁ ବିସିସିଆଇ ପ୍ରଶ୍ନ ପଚାରିବ।

ବର୍ମିଂହାମ ଟେଷ୍ଟରେ ଭାରତୀୟ ପ୍ରଶଂସକ ଓ ଦର୍ଶକ ଟିମ୍‌ ଇଣ୍ଡିଆ ଠାରୁ ଯାହା ଆଶା ରଖିଥିଲେ, ତାହା ପାଇ ପାରି ନଥିଲେ। କୋହଲିଙ୍କ ଠାରେ ବଡ଼ ଭରସା ଥିଲା କିନ୍ତୁ ସେ ଦଳ ପାଇଁ ସେମିତି ଆଶା ଜନକ ଫଳ ଆଣି ନଥିଲେ। ସେହିପରି ଲଡର୍ସ ଟେଷ୍ଟରେ ମଧ୍ୟ ଭାରତର ନିରାଶ ହୋଇଛି। ଇଂଲଣ୍ଡର ବୋଲର ଜେମ୍ସ ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରୋଡଙ୍କ ବୋଲିଂରେ ଭାରତ ଧରାଶୟୀ ହୋଇଛି।

ମୁରଲୀ ବିଜୟ, ଶିଖର ଧାଓ୍ଵନ, କେଏଲ୍‌ ରାହୁଲ, ଚେତେଶ୍ୱର ପୂଜାରା ଭାରତୀୟ ପ୍ରଶଂସକଙ୍କୁ ହତୋତ୍ସାହ କରିଛନ୍ତି ବୋଲି ପାଟିଲ କହିଛନ୍ତି। ଭାରତୀୟ ଖେଳାଳିମାନେ ଠିକ ସମୟରେ ଅଭ୍ୟାସ ନକରି ଇଂଲଣ୍ଡରେ ‘କଫି’ର ମଜା ନେଇଥିଲେ ବୋଲି ପାଟିଲ କହିଛନ୍ତି।

ସମ୍ବନ୍ଧିତ ଖବର