ଅହମଦାବାଦ : ତିନି ବର୍ଷ ସାଢ଼େ ତିନି ମାସ ପରେ ବିରାଟ କୋହଲିଙ୍କ ବ୍ୟାଟ୍‌ରୁ ଟେଷ୍ଟ୍ ଶତକ ଆସିଲା, ତା’ପୁଣି ଠିକଣା ସମୟରେ ଯେତେବେଳେ କି ଭାରତକୁ ନିହାତି ଆବଶ୍ୟକ ପଡ଼ିଥିଲା। ଅଷ୍ଟ୍ରେଲିଆ ୪୮୦ ରନ୍‌ ଛିଡ଼ା କରିବା ପରେ ଭାରତକୁ ପ୍ରଥମ ପାଳିରେ ଦୃଢ଼ ଜବାବ ଦେବାର ଥିଲା। ‌ଶନିବାର ଯୁବ ଓପ୍‌ନର ଶୁବମନ ଗିଲ୍‌ (୧୨୮) ଦୃଢ଼ ମୂଳଦୁଆ ପକାଇବା ପରେ ବରିଷ୍ଠ ସଦସ୍ୟ ବିରାଟ କୋହଲିଙ୍କ ୧୮୬ ରନ୍‌ ପାଳି ଏବେ ଭାରତକୁ କେବଳ ଅହମଦାବାଦ ଟେଷ୍ଟରେ ସୁରକ୍ଷିତ କରିନାହିଁ, ବିଜୟ ପାଇଁ ଶେଷ ଦିନରେ ଚାପ ସୃଷ୍ଟି କରିବାର ସୁଯୋଗ ବି ଆଣି ଦେଇଛି। ନିଜର ୨୮ତମ ଟେଷ୍ଟ ଶତକ, ୭୫ତମ ଅନ୍ତର୍ଜାତୀୟ ଶତକ ସହିତ କୋହଲି ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପାଳି ଖେଳି ବଡ଼ ଆଶ୍ବସ୍ତି ପାଇଛନ୍ତି। କୋହଲିଙ୍କ ସହିତ ରବିବାର ଅକ୍ଷର ପଟେଲ୍‌ (୧୧୩ ବଲ୍‌ରୁ ୭୯ ରନ୍‌, ୫ ଚୌକା, ୪ ଛକା) ଷଷ୍ଠ ୱିକେଟ୍ ପାଇଁ ଯୋଡ଼ିଥିଲେ ୧୬୨ ରନ୍‌। ଏହି ରନ୍‌ ପୁଣି ଆସିଥିଲା ମାତ୍ର ୩୫.୪ ଓଭରରୁ।

Advertisment

publive-image

ଅକ୍ଷରଙ୍କ ପୂର୍ବରୁ ଶ୍ରୀକର ଭରତ ମଧ୍ୟ ଗୋଟିଏ ଓଭରରୁ ୨୧ ରନ୍ ଆଦାୟ କରିବା ସହ ୪୪ ରନ୍‌ ସଂଗ୍ରହ କରି ଭାରତର ରନ୍‌ ଗତି ବଢ଼ାଇବା ଧାରା ଆରମ୍ଭ କରିଥିଲେ। ଏକ ଶାଣିତ ଟେଷ୍ଟ୍ ପାଳି ଖେଳି ବିରାଟ କୋହଲି ତାଙ୍କ ଶତକ ପାଇଁ ୨୪୧ ବଲ୍‌ର ସାମ୍‌ନା କରିଥିଲେ। ସେ ମାତ୍ର ୫ ଚୌକା ମାରିଥିଲେ। କିନ୍ତୁ ଶତକ ପୂର୍ଣ୍ଣ କରିବା ପରେ ତୁରନ୍ତ ଗିୟର ବଦଳାଇ ରନ୍‌ ହାର ବଢ଼ାଇବାରେ ଲାଗିଥିଲେ। ଭାରତ କିନ୍ତୁ ଶେଷ ୪ ୱିକେଟ୍‌କୁ ମାତ୍ର ୧୬ ରନ୍‌ ଭିତରେ ହରାଇବାରୁ ବଡ଼ ଅଗ୍ରଣୀ ନେଇପାରିନଥିଲା। ଆହତ ଶ୍ରେୟସ ଆୟର୍ ବ୍ୟାଟିଂ କରିବାକୁ ଆସିପାରିନଥିବାରୁ କୋହଲି ନବମ ୱିକେଟ୍ ଭାବେ ଆଉଟ୍ ହେବା ମାତ୍ରେ ଭାରତ ପାଳି ୫୭୧ ରନ୍‌ରେ ଶେଷ ହୋଇଥିଲା। ଭାରତ ରବିବାର ୨୮୨ ରନ୍‌ ଯୋଡ଼ି ୬ ୱିକେଟ୍ ହରାଇଥିଲା। ଅଷ୍ଟ୍ରେଲିଆ ୯୧ ରନ୍‌ ପଛରେ ଥିବାରୁ ଭାରତକୁ ଏବେ ପଞ୍ଚମ ଦିନରେ ପିଚ୍‌ରୁ ଟର୍ଣ୍ଣ ମିଳିବା ସହ ଅଷ୍ଟ୍ରେଲୀୟଙ୍କ ଖରାପ ସଟ୍‌ ଆଶା ରଖିବ। ଚତୁର୍ଥ ଦିବସ ସୁଦ୍ଧା ଉଭୟ ଦଳର ଗୋଟିଏ ଲେଖାଏଁ ପାଳି ସରିଥିଲେ ମଧ୍ୟ ସୋମବାର ପଞ୍ଚମ ଦିବସରେ ବି କିଛି ରୋମାଞ୍ଚ ସୃଷ୍ଟି ହେବାର ସମ୍ଭାବନା ରହିଛି। ଅଷ୍ଟ୍ରେଲିଆ ରବିବାର ଖେଳିଥିବା ୬ ଓଭରରେ ‌କୌଣସି ୱିକେଟ୍‌ ନ ହରାଇ ୩ ରନ୍‌ କରିଥିବାରୁ ଏବେ ୮୮ ରନ୍‌ ପଛରେ ରହିଛି।

ରବିବାର ଭାରତ ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ଦାୟିତ୍ବର ସହ ଖେଳିଥିଲା। କିନ୍ତୁ ବିରତି ପରେ ଶ୍ରୀକର ଭରତ ହିଁ ପ୍ରଥମେ ରନ୍‌ ଗତି ବଢ଼ାଇବା ପ୍ରୟାସ କରିଥିଲେ। ‌କାମେରନ୍ ଗ୍ରିନ୍‌ଙ୍କୁ ଲଗାତାର ୨ ଛକା ମାରି ଭାରତ ଅଗ୍ରଣୀ ନେବାକୁ କେତେ ବ୍ୟଗ୍ର ସ୍ପଷ୍ଟ କରି ଦେଇଥିଲେ। ଏହି ଓଭରରୁ ଭାରତ ୨୧ ରନ୍ ପାଇଥିଲା। ଅନ୍ୟପକ୍ଷରେ କୋହଲି ଶାନ୍ତ ଓ ଶୀତଳ ଭାବେ ତାଙ୍କ ପାଳି ଗଢ଼ିବା କାର୍ଯ୍ୟରେ ମନୋନିବେଶ କରିଥିଲେ। ଦୀର୍ଘ ୩୯ ମାସ ଧରି ଟେଷ୍ଟ ଶତକ ମାରିନଥିବା କୋହଲି ଏକ ଓ ଦୁଇ ରନ୍‌ ଉପରେ ଅଧିକ ନିର୍ଭର କରି ସଂଜମତା ଦେଖାଇଥିଲେ। ୨୪୧ ବଲ୍‌ ଖେଳି ଶତକ ହାସଲ ବେଳକୁ ମାତ୍ର ୫ ଚୌକା ମାରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ନିଜ ଅଷ୍ଟମ ଟେଷ୍ଟ ଶତକ (୧୮୬ ରନ୍‌, ୩୬୪ ବଲ୍‌, ୧୫‌ ଚୌକା) ଜମାଇଥିଲେ। କଙ୍ଗାରୁ ଦଳ ବିପକ୍ଷରେ ନିଜ ପୂର୍ବ ଶ୍ରେଷ୍ଠ ପାଳି ୧୬୯ ରନ୍‌କୁ ଅତିକ୍ରମ କରିଯାଇଥିଲେ ମଧ୍ୟ ସାଥି ହରା ହେବାରୁ ଦ୍ବିଶତକ ସୁଯୋଗ ହରାଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଭାବେ ସଚିନ ତେନ୍ଦୁଲକର ସର୍ବାଧିକ ୧୧ ଶତକ ମାରିଥିବା ବେଳେ କୋହଲି ଏବେ ଗାଭାସ୍କର (ଉଭୟ ୮)ଙ୍କ ସମକକ୍ଷ ହୋଇଛନ୍ତି।

publive-image

କୋହଲିଙ୍କୁ ୪୧ ପାଳି, ଲାୟନଙ୍କୁ ୪୧ ବର୍ଷ

ଅହମଦାବାଦ ଟେଷ୍ଟ୍ ଅବସରରେ ରବିବାର ଭାରତୀୟ ବ୍ୟାଟର୍‌ ବିରାଟ କୋହଲି ଏବଂ ଅଷ୍ଟ୍ରେଲୀୟ ସ୍ପିନର୍‌ ନାଥନ୍ ଲାୟନ କେବଳ ବ୍ୟକ୍ତିଗତ ଲଢ଼େଇରେ ମାତିନଥିଲେ, ବ୍ୟକ୍ତିଗତ ମାଇଲଖୁଣ୍ଟ ମଧ୍ୟ ପ୍ରତିଷ୍ଠା କରିଥିଲେ। ବିରାଟ କୋହଲି ବହୁ ପ୍ରତୀକ୍ଷିତ ୨୮ତମ ଟେଷ୍ଟ ଶତକ ସହିତ ୭୫ତମ ଅନ୍ତର୍ଜାତୀୟ ଶତକ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପାଳି ଖେଳିଥିଲେ। ଦୁଇଟି ଶତକ ମଧ୍ୟରେ କୋହଲି ତାଙ୍କ ଖେଳ ଜୀବନରେ ସର୍ବାଧିକ ପାଳି ଖେଳିଥିଲେ। ୨୭ରୁ ୨୮ତମ ଶତକ ମଧ୍ୟରେ କୋହଲି ୪୧ ପାଳିର ବ୍ୟବଧାନ ରଖିଥିଲେ। ଏହା ପୂର୍ବରୁ ସେ ଏକାଦଶ ଓ ଦ୍ବାଦଶ ଶତକ ମଧ୍ୟରେ ମାତ୍ର ୧୧ ପାଳି ଖେଳିଥିଲା ବେଳେ ୬ରୁ ୭ ଏବଂ ୨୫ରୁ ୨୬ ଶତକ ମଧ୍ୟରେ ମଧ୍ୟ ସମାନ ୧୦ ଲେଖାଏଁ ପାଳିର ମରୁଡ଼ି ରହିଥିଲା। ଅନ୍ୟପକ୍ଷରେ ନାଥନ୍ ଲାୟନ୍‌ ଚତୁର୍ଥ ଦିନ ୩ ୱିକେଟ୍ ଦଖଲ କରିଥିଲେ ମଧ୍ୟ ୪୧ ବର୍ଷର କୀର୍ତ୍ତିମାନକୁ ପଛରେ ପକାଇଛନ୍ତି। ଭାରତ ମାଟିରେ ବିଦେଶୀ ବୋଲର ଭାବେ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଛନ୍ତି। ଭାରତରେ ଏହି ଅଭିଜ୍ଞ ଅଫସ୍ପିନର୍‌ ୧୧* ଟେଷ୍ଟରୁ ୫୫* ୱିକେଟ୍‌ ନେଇ ଇଂଲଣ୍ଡର ଡେରେକ୍ ଅଣ୍ଡରଉଡ (୧୬ ଟେଷ୍ଟରୁ ୫୪ ୱିକେଟ୍‌)ଙ୍କୁ ପଛରେ ପକାଇଛନ୍ତି। ଇନ୍ଦୋରରେ ଲାୟନ୍‌ ବର୍ଡର-ଗାଭାସ୍କର ଟ୍ରଫି ଇତିହାସରେ ସର୍ବାଧିକ ୱିକେଟ୍ ଦଖଲକାରୀ ହୋଇଥିଲେ। ମାତ୍ର ୧୧ ଟେଷ୍ଟରୁ ୫୫ ୱିକେଟ୍ ଦଖଲକାରୀ ଲାୟନ୍ ମଧ୍ୟ ଦ୍ରୁତତମ ହୋଇଛନ୍ତି। ଭାରତୀୟ ବୋଲରଙ୍କୁ ଛାଡ଼ିଦେଲେ ୧୧ ‌ଟେଷ୍ଟ ବେଳକୁ ଏଭଳି ସଫଳତା କୌଣସି ବିଦେଶୀ ବୋଲର ପାଇନାହାନ୍ତି। ସେନ୍‌ ୱର୍ଣ୍ଣ, ମୁଥୟା ମୁରଲୀଧରନ, ୱାସିମ୍ ଆକ୍ରମ, କର୍ଟନୀ ୱାଲ୍ସ, ବ୍ରେଟ୍ ଲି, ଜେମ୍ସ ଆଣ୍ଡରସନ୍‌, ଗ୍ଲେନ୍ ମ୍ୟାକଗ୍ରା, ଷ୍ଟୁଆର୍ଟ ବ୍ରଡଙ୍କ ଭଳି ମହାନ ବୋଲର ଭାରତରେ ଏକାଧିକ ଟେଷ୍ଟ୍ ଖେଳିଥିଲେ ମଧ୍ୟ ଲାୟନଙ୍କ ଭଳି ସଫଳତା ପାଇନାହାନ୍ତି। ଲାୟନ କିନ୍ତୁ ରବିବାର ଏକ ଆଲୋଡ଼ା ରେକର୍ଡର ସମକକ୍ଷ ହୋଇଛନ୍ତି। ଗୋଟିଏ ପାଳିରେ ସର୍ବାଧିକ ୬୫ ଓଭର ବୋଲିଂ କରିବାକୁ ଲାୟନ୍ ପୂର୍ବରୁ କେବେ ବାଧ୍ୟ ‌ହୋଇନଥିଲେ। ରବିବାର ସେ ୬୫-୯-୧୫୧-୩ ବୋଲିଂ ଚିତ୍ର ପାଇଥିଲେ।