ନୂଆଦିଲ୍ଲୀ: କ୍ରିକେଟ୍ ଜଗତରେ ତାରକା ବ୍ୟାଟର୍ ବିରାଟ କୋହଲିଙ୍କ ଲୋକପ୍ରିୟତା ଆକାଶଛୁଆଁ। ତାଙ୍କୁ ବିଭିନ୍ନ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ଅନୁସରଣ କରନ୍ତି। ତାହା ‌କୋହଲିଙ୍କ ସମ୍ପତ୍ତି ବଢ଼ାଇବାରେ ବି ସହାୟକ ହେଉଛି। ବାଙ୍ଗାଲୋରର ଏକ ସଂସ୍ଥା ଷ୍ଟକ୍‌ଗ୍ରୋ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ କୋହଲିଙ୍କ ସମ୍ପତ୍ତି ପରିମାଣ ହେଉଛି ୧୦୫୦ କୋଟି ଟଙ୍କା। ସେ ହେଉଛନ୍ତି ବିଶ୍ବର ସର୍ବାଧିକ ଆୟ କରୁଥିବା କ୍ରୀଡ଼ାବିତ୍। ଫୋର୍ବସ୍‌, ଡିଏନ୍‌ଏ, ଏମ୍‌ପିଏଲ୍ ଓ ଷ୍ଟାର୍ଟଅପ୍‌ଟକି ଭଳି ବିଭିନ୍ନ ଉତ୍ସରୁ ତଥ୍ୟ ସଂଗ୍ରହ କରି ଷ୍ଟକ୍‌ଗ୍ରୋ କୋହଲିଙ୍କ ସମ୍ପତ୍ତି ହିସାବ କରିଛି। ସେଥିରେ କୋହଲିଙ୍କ କ୍ରିକେଟ ଓ ସୋସିଆଲ ମିଡିଆରୁ ଆୟ, ବ୍ୟକ୍ତିଗତ ସମ୍ପତ୍ତି ଓ ଅନ୍ୟାନ୍ୟ ବ୍ୟବସାୟରୁ‌ ହେଉଥିବା ଆୟ ସାମିଲ କରାଯାଇଛି।

Advertisment

‘ଏ+’ ବର୍ଗର ଖେଳାଳି ହୋଇଥିବାରୁ ବିସିସିଆଇଠାରୁ ସେ ୭ କୋଟି ଟଙ୍କା ପାଉଛନ୍ତି। ପ୍ରତି ଟେଷ୍ଟ୍‌ ମ୍ୟାଚ୍‌ ପାଇଁ ୧୫ ଲକ୍ଷ ଟଙ୍କା, ଦିନିକିଆ ପାଇ ୬ ଲକ୍ଷ ଟଙ୍କା ଏବଂ ଟି୨୦ ମ୍ୟାଚ୍‌ ପାଇଁ ସେ ୩ ଲକ୍ଷ ଟଙ୍କା ପାଉଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଖେଳାଳି ଭାବେ ସେ ବାର୍ଷିକ ୧୫ କୋଟି ଟଙ୍କା ଆୟ କରୁଛନ୍ତି। କୋହଲିଙ୍କ ନିଜସ୍ବ ବ୍ରାଣ୍ଡ୍‌ଗୁଡ଼ିକ ମଧ୍ୟରେ ରହିଛି ବ୍ଲୁ ଟ୍ରାଇବ୍, ୟୁନିଭର୍ସାଲ୍ ସ୍ପୋର୍ଟସ୍‌ ବିଜ୍, ଏମ୍‌ପିଏଲ୍ ଓ ସ୍ପୋର୍ଟସ କନ୍‌ଭୋ। ବିଜ୍ଞାପନ ପାଇଁ ସେ ୧୮ଟି ବ୍ରାଣ୍ଡ୍‌ ସହ ଚୁକ୍ତି କରି ବ୍ରାଣ୍ଡ୍‌ ପ୍ରଚାରରୁ ପ୍ରାୟ ୧୭୫ କୋଟି ଟଙ୍କା ଆୟ କରୁଛନ୍ତି। ଇନଷ୍ଟାଗ୍ରାମ୍‌ରେ ପ୍ରତି ପୋଷ୍ଟ୍‌ରୁ ତାଙ୍କର ୮.୯ କୋଟି ଟଙ୍କା ଓ ଟ୍ବିଟରର ପୋଷ୍ଟ୍‌ରୁ ୨.୫ କୋଟି ଟଙ୍କା ଆୟ ହେଉଛି। ତାଙ୍କର ବହୁ ଦାମୀ ଘଣ୍ଟା ଓ ଗାଡ଼ି ରହିଛି। ଏହା ବ୍ୟତୀତ ମୁମ୍ବାଇରେ ଏକ ୩୪ କୋଟି ଟଙ୍କାର ଓ ଗୁରୁଗାଓଁରେ ୮୦ କୋଟି ଟଙ୍କାର ଘର ମଧ୍ୟ ରହିଛି। ସେ ଇଣ୍ଡିଆନ ସୁପର ଲିଗ୍‌ ଟିମ୍ ଏଫ୍‌ସି ଗୋଆ, ଏକ ଟେନିସ୍ ଟିମ୍ ଓ ଏକ ପ୍ରୋ-ରେସ୍‌ଲିଂ ଟିମ୍‌ର ମଧ୍ୟ ସହ-ମାଲିକ।