କୋହଲିଙ୍କ ୱିକେଟ୍ ମୋ ପସନ୍ଦର ଆଇପିଏଲ୍ ମୁହୂର୍ତ: ଖଲିଲ

ହାଇଦ୍ରାବାଦ: ଆଇପିଏଲ୍‌ର ଗତ ଋତୁରେ ବାମହାତୀ ଦ୍ରୁତ ବୋଲର ଖଲିଲ ଅହମ୍ମଦ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ୱିକେଟ୍ ନେଇଥିଲେ। ୯ ମ୍ୟାଚ୍‌ ଖେଳି ୧୯ ୱିକେଟ୍ କରାୟତ୍ତ କରିଥିଲେ ସେ। ସେଥିମଧ୍ୟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ତଥା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୱିକେଟ୍ ମଧ୍ୟ ଥିଲା। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ କୋହଲିଙ୍କ ୱିକେଟ୍ ଅକ୍ତିଆର କରିବାକୁ ସେ ନିଜ ପସନ୍ଦର ଆଇପିଏଲ୍‌ ମୁହୂର୍ତ ଭାବେ ବର୍ଣ୍ଣନା କରିଛନ୍ତି। ଭୁବନେଶ୍ବର କୁମାର ପ୍ରଥମ ଓଭରରେ ପାର୍ଥିବ ପଟେଲଙ୍କୁ ପ୍ୟାଭିଲିୟନ ଫେରାଇବା ପରେ ଅଧିନାୟକ କେନ୍ ୱିଲିୟମସନ୍ ଅନ୍ୟପଟରୁ ଖଲିଲ ଅହମ୍ମଦଙ୍କୁ ନୂଆ ବଲ୍‌ରେ ବୋଲିଂ କରିବାକୁ କହିଥିଲେ। ଖଲିଲ ମଧ୍ୟ ୱିଲିୟମସନଙ୍କୁ ନିରାଶ କରି ନଥିଲେ। କୋହଲିଙ୍କ ବହୁମୂଲ୍ୟ ୱିକେଟ୍‌କୁ ହାସଲ କରି ନିଜ ଅଧିନାୟକଙ୍କ ଭରସାର ପୂରା ସମ୍ମାନ ରଖିଥିଲେ। ନିଜ ଚତୁର୍ଥ ବଲ୍‌ରେ ହିଁ ସେ କୋହଲିଙ୍କୁ ଶିକାର କରି ନେଇଥିଲେ।

ସେହି କଥା ମନେ ପକାଇ ଖଲିଲ କହିଛନ୍ତି ଯେ ଗତ ଋତୁରେ କୋହଲି ଭାଇଙ୍କ ୱିକେଟ୍ ନେବା ମୋର ପସନ୍ଦର ଆଇପିଏଲ୍ ମୁହୂର୍ତ। ମୋ ଓଭରର ପ୍ରଥମ ବଲ୍‌ରେ ସେ ଚୌକା ମାରିଥିଲେ। ସେହିଭଳି ପରବର୍ତ୍ତୀ ବଲ୍‌ରୁ ଦର୍ଶନୀୟ ଛକା ଅମଳ କରିଥିଲେ। ଏକ ବହୁତ ଭଲ ବଲ୍‌କୁ ସେ ମିଡଅନ୍ ଉପରେ ଛକା ମାରିଥିଲେ, ସେଥିପାଇଁ ଆମେ ତାଙ୍କୁ କିଂବଦନ୍ତି ଖେଳାଳି ବୋଲି କହୁ। ମୁଁ ଚାପରେ ଥିଲି। ଭୁବି ଭାଇ (ଭୁବନେଶ୍ବର କୁମାର) ନିଜ ପ୍ରଥମ ଓଭରରେ ୱିକେଟ୍ ନେଇଥିବାରୁ ମୁଁ ମଧ୍ୟ ସେହି ସଫଳତା ଦୋହରାଇବାକୁ ଚାହୁଥିଲି। ଚତୁର୍ଥ ବଲ୍‌ରେ ହିଁ ମୋର ଏହି ଆଶା ପୂୂରଣ ହୋଇଯାଇଥିଲା। ଆଗକୁ ଆସି ଅଫ୍‌ସାଇଡ୍‌ରେ ଡ୍ରାଇଭ୍ କରୁଥିଲା ବେଳେ ତାଙ୍କ ବ୍ୟାଟ୍‌ ଧାରରେ ବଲ୍ ବାଜି ୱିକେଟ୍ ରକ୍ଷକ ଋଦ୍ଧିମାନ ସାହଙ୍କ ହାତକୁ ଚାଲିଯାଇଥିଲା। ଖଲିଲଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଯାଇଥିଲା। ଏବେ ଖଲିଲ ୟୁଏଇରେ ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣ ଖେଳିବାକୁ ବ୍ୟଗ୍ର। ଏଥିଲାଗି ସେ ପ୍ରସ୍ତୁତି ମଧ୍ୟ କରୁଛନ୍ତି। ଗତବର୍ଷର ସଫଳତା ‌ଦୋହରାଇବେ ବୋଲି ଆଶା ରଖିଛନ୍ତି। ସୂଚନାଯୋଗ୍ୟ ଯେ ୨୨ ବର୍ଷୀୟ ଖଲିଲ ଭାରତ ପକ୍ଷରୁ ୧୧ ଦିନିକିଆ ଓ ୧୪ ଟ୍ବେଣ୍ଟି-୨୦ ଖେଳିଛନ୍ତି।

ସମ୍ବନ୍ଧିତ ଖବର