ଇସଲାମାବାଦ: ପୁଣି ଟ୍ରୋଲ ହେଲା ପାକିସ୍ତାନ। ପାକ୍ କ୍ରିକେଟରଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଦେଶର ଆର୍ଥିକ ଅବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି। ଷ୍ଟ୍ରେଚର ପରିବର୍ତ୍ତେ ଖେଳାଳିଙ୍କୁ ପିଠିରେ ଉଠାଇ ନିଆଯାଉଥିବାର ଭିଡିଓ ଭାଇରାଲ ହେବା ପରେ ଟ୍ରୋଲ ହୋଇଛି ପାକିସ୍ତାନ। ବିଶ୍ବକପ ପରେ ଜାତୀୟ ଟି-୨୦ କପରେ ପାକିସ୍ତାନର ଅନେକ ଅନ୍ତର୍ଜାତୀୟ କ୍ରିକେଟର ଅଂଶଗ୍ରହଣ କରିଛନ୍ତି। ଏହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ, ଟିମର ଉପ-ଅଧିନାୟକ ଶାଦାବ ଖାନ୍ ଆହତ ହେବା ପରେ ତାଙ୍କୁ ଷ୍ଟାଡିୟମରୁ ଷ୍ଟ୍ରେଚର ପରିବର୍ତ୍ତେ ପିଠିରେ ଉଠାଇ ନିଆଯାଉଥିବା ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଆହତ ଖେଳାଳିଙ୍କୁ ଷ୍ଟ୍ରେଚର ଯୋଗାଇବା ପାଇଁ ବୋର୍ଡ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିବା ଲୋକେ କହିବା ଆରମ୍ଭ କରିଛନ୍ତି।
କୁହାଯାଉଛି ଯେ, କରାଚିର ୟୁବିଏଲ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଗ୍ରାଉଣ୍ଡରେ ସିଆଲକୋଟ ଏବଂ ରାୱଲପିଣ୍ଡି ମଧ୍ୟରେ ଜାତୀୟ ଟି-୨୦ର ଏକ ମ୍ୟାଚ୍ ଖେଳାଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ମ୍ୟାଚ ସମୟରେ ରାୱଲପିଣ୍ଡି ବୋଲର ଶାଦାବ ଆହତ ହୋଇଯାଇଥିଲେ, ଯାହା ପରେ ଦଳର ଜଣେ ଅତିରିକ୍ତ ଖେଳାଳି ତାଙ୍କୁ ତାଙ୍କ ପିଠିରେ ଉଠାଇ ପଡ଼ିଆରୁ ବାହାରକୁ ନେଉଥିବାର ଦେଖାଯାଇଥିଲା।
Are we in 1980? How are they taking Shadab Khan off the field? Koi stretcher nahin hay kya @TheRealPCB ke pas? UBL Complex bhi Karachi mein hay, Sukkur mein toh nahin 🤦🏽♂️🤦🏽♂️ #NationalT20 pic.twitter.com/u7RciMIVqr
— Farid Khan (@_FaridKhan) December 3, 2023
ଏହି ସମୟର ଏକ ଭିଡିଓ ସେୟାର କରି କ୍ରିକଡେନର ପ୍ରତିଷ୍ଠାତା ଫରିଦ ଖାନ ଲେଖିଛନ୍ତି, 'ଆମେ ୧୯୮୦ ଦଶକରେ ଅଛୁ କି? ସେମାନେ କିପରି ଶାଦାବ ଖାନଙ୍କୁ ପଡ଼ିଆ ବାହାରକୁ ନେଉଛନ୍ତି? ପିସିବିର ଷ୍ଟ୍ରେଚର ନାହିଁ କି? ୟୁବିଏଲ କମ୍ପ୍ଲେକ୍ସ କରାଚିରେ ହିଁ ଅଛି, ସୁକ୍କୁର (ସିନ୍ଧ ପ୍ରଦେଶର ଦୂର ସହର)ରେ ନୁହେଁ।