କ୍ରିକେଟ୍ ଥିଲା ଇର୍ଫାନଙ୍କ ପ୍ରଥମ ପ୍ରେମ

ମୁମ୍ବାଇ : ପ୍ରସିଦ୍ଧ ସିନେତାରକା ଇର୍ଫାନ ଖାନ୍‌ଙ୍କର ବୁଧବାର ପରଲୋକ ହୋଇଯାଇଛି। ଗତ ଦୁଇ ବର୍ଷ ହେବ ମାରାତ୍ମକ କର୍କଟ ରୋଗ ସହ ଲଢ଼େଇ କରୁଥିବା ଏହି ଦକ୍ଷ ଅଭିନେତା ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ହେଲେ ଖୁବ୍ କମ୍ ଲୋକ ଜାଣିଥିବେ ଯେ ବଲିଉଡ୍‌ରେ ପାଦ ଦେବାର ବହୁ ପୂର୍ବରୁ ଇର୍ଫାନ୍ କ୍ରିକେଟ୍ ଖେଳାଳି ହେବାର ସ୍ବପ୍ନ ଦେଖିଥିଲେ। ତେବେ ଅର୍ଥାଭାବରୁ ତାଙ୍କ କ୍ରୀଡ଼ା କ୍ୟାରିୟର ଅକାଳରେ ଶେଷ ହୋଇ ଯାଇଥିଲା। ପିଲାବେଳେ ଇର୍ଫାନ୍ ଜଣେ ଅଲରାଉଣ୍ଡର ଥିଲେ, ବୋଲିଂ ଅପେକ୍ଷା ବ୍ୟାଟିଂକୁ ଅଧିକ ଭଲ ପାଉଥିଲେ ଓ ଉପଭୋଗ କରୁଥିଲେ। ଅଧିନାୟକଙ୍କ ଚାପରେ ବୋଲିଂ କରିବାକୁ ବାଧ୍ୟ ହେଉଥିବା ଇର୍ଫାନ୍ କିନ୍ତୁ ସୌଭାଗ୍ୟବଶତଃ ପ୍ରତି ମ୍ୟାଚ୍‌ରେ ଗୋଟିଏ ଦୁଇଟି ୱିକେଟ୍ ପାଇ ଯାଉଥିଲେ। ଅଲରାଉଣ୍ଡ ଦକ୍ଷତା ପାଇଁ ୨୩ ବର୍ଷରୁ କମ୍ କ୍ରିକେଟରଙ୍କ ପାଇଁ ଆୟୋଜିତ ହେଉଥିବା ସମ୍ମାନଜନକ ସିକେ ନାଇଡୁ ଟ୍ରଫି ଖେଳିବା ଲାଗି ସେ ମନୋନୀତ ହୋଇଥିଲେ। ତାଙ୍କ ଘରର ସ୍ଥିତି କିନ୍ତୁ ଏମିତି ଥିଲା ଯେ ଖେଳିବାକୁ ଯିବା ଲାଗି ଯୁବ ଇର୍ଫାନଙ୍କୁ ବାରମ୍ବାର ମିଛ କହିବାକୁ ପଡ଼ୁଥିଲା। କ୍ରୀଡ଼ାକୁ ପେସା କରିବାକୁ ତାଙ୍କୁ ଘରୁ କିମ୍ବା ବାହାରୁ କେଉଁଠାରୁ ବି ପ୍ରୋତ୍ସାହନ ମିଳୁ ନଥିଲା। ତେବେ ତାଙ୍କ କ୍ରିକେଟର୍‌ ହେବା ଲକ୍ଷ୍ୟରେ ସେହିଦିନ ପୂର୍ଣ୍ଣଛେଦ ପଡ଼ିଥିଲା, ଯେଉଁଦିନ ଏକ ପ୍ରତିଯୋଗିତା ଖେଳିବା ଲାଗି ଆଜମେର ଯିବା ପାଇଁ ତାଙ୍କ ପାଖରେ ଟଙ୍କାଟିଏ ବି ନଥିଲା। ଏଥିନେଇ ଏକ ସାକ୍ଷାତକାର ଅବସରରେ ଇର୍ଫାନ କହିଥିଲେ ‘‘ମୁଁ ଯେତେବେଳେ ଦଳରେ ସ୍ଥାନ ପାଇଲି, ଆମ ସମସ୍ତଙ୍କୁ ମ୍ୟାଚ୍ ଖେଳିବା ଲାଗି ଜୟପୁରରୁ ଆଜମେର ଯାତ୍ରା କରିବାର ଥିଲା। ଏଥିଲାଗି ୨୦୦ରୁ ୨୫୦ ଟଙ୍କାର ଦରକାର ଥିଲା। ହେଲେ ସେତିକି ଅର୍ଥ ବି ମୁଁ ଯୋଗାଡ଼ କରି ପାରି ନଥିଲି। ସେହିଦିନ ମୁଁ ହୃଦୟଙ୍ଗମ କରିଥିଲି ଯେ କ୍ରୀଡ଼ାକୁ ପେସା କରିବା ମୋ ପକ୍ଷରେ ସମ୍ଭବ ନୁହେଁ।’’ କ୍ରିକେଟ୍‌ର କ୍ଷତି କିନ୍ତୁ ବଲିଉଡର ଲାଭ ହୋଇଥିଲା। ଇର୍ଫାନ ନିଜ ବଳିଷ୍ଠ ଅଭିନୟରେ କେବଳ ଦେଶ ନୁହେଁ, ସମଗ୍ର ବିଶ୍ବରେ ଭାରତବର୍ଷର ଟେକ ରଖିଥିଲେ।

ପାନ ସିଂହ ତୋମାର (ଫାଇଲ୍‌ ଫଟୋ) ଏବଂ ଚଳଚ୍ଚିତ୍ର ପୋଷ୍ଟରରେ ଇର୍ଫାନ୍‌

ଷ୍ଟିପଲଚେଜର୍‌ ପାନ ସିଂହ ତୋମାରଙ୍କୁ ଘରେ ଘରେ ପରିଚିତ କରାଇଥିଲେ
ଆଜକୁ ୮ ବର୍ଷ ତଳେ ଅର୍ଥାତ୍ ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ‘ପାନ୍ ସିଂହ ତୋମାର’ ଚଳଚ୍ଚିତ୍ରରେ କରିଥିବା ନିଖୁଣ ଅଭିନୟ ପାଇଁ ଇର୍ଫାନ୍ ଜାତୀୟ ପୁରସ୍କାର ଲାଭ କରିଥିଲେ। ଏହି ଚଳଚ୍ଚିତ୍ର ଜରିଆରେ ଖେଳାଳିରୁ କୁଖ୍ୟାତ ଡକାୟତ ପାଲଟିଥିବା ଷ୍ଟିପଲଚେଜ୍‌ ଖେଳର ୭ ଥର ଜାତୀୟ ବିଜେତା ପାନ୍ ସିଂହ ତୋମାରଙ୍କ ସଂଘର୍ଷପୂର୍ଣ୍ଣ ଜୀବନର ମନଛୁଆଁ ଓ ହୃଦୟ ବିଦାରକ କାହାଣୀକୁ ସେ ଭାରତର ଘରେ ଘରେ ପହଞ୍ଚାଇ ପାରିଥିଲେ। ତୋମାର ଜଣେ ଜାତୀୟ ବିଜେତା ହେବା ସହ ୧୯୫୮ ଟୋକିଓ ଏସୀୟ କ୍ରୀଡ଼ାରେ ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ଭାରତର ପ୍ରତିନିଧିତ୍ବ କରିଥିଲେ। ହେଲେ ମଧ୍ୟପ୍ରଦେଶର ଚମ୍ବଲ ଅଞ୍ଚଳର ଭିଦୋଶା ଗ୍ରାମରେ ଥିବା ପରିବାରିକ ଜମି ବିବାଦ ପାଇଁ ବନ୍ଧୁକ ଉଠାଇ ଡାକାୟତ ଦଳରେ ସାମିଲ ହୋଇ ଯାଇଥିଲେ। ୧୯୭୭ରେ ସେନା ବାହିନୀରୁ ଅବସର ନେବା ପରେ ନିଜ ପରିବାରକୁ ନ୍ୟାୟ ଦେବା ଲାଗି ସେ ଏଭଳି ଏକ ପଥ ବାଛି ନେଇଥିଲେ। ଜଣେ ଶ୍ରେଷ୍ଠ କ୍ରୀଡ଼ାବିତ୍ ଥିଲେ ମଧ୍ୟ ତୋମାରଙ୍କ ବିଷୟରେ ଭାରତବର୍ଷ ପ୍ରାୟତଃ ଅଜ୍ଞ ଥିଲା। ‘ପାନ୍ ସିଂହ ତୋମାର’ ଚଳଚ୍ଚିତ୍ରର ଟ୍ରେଲର ମୁକ୍ତିଲାଭ କରିବା ପରେ କିନ୍ତୁ ସେ ଗୁଗୁଲରେ ସର୍ବାଧିକ ସର୍ଚ ହେଉଥିବା ବ୍ୟକ୍ତି ପାଲଟି ଯାଇଥିଲେ। ତୋମାରଙ୍କ ପ୍ରତି ଯେ ଘୋର ଅନ୍ୟାୟ ହୋଇଥିଲା, ତାହା ସାଧାରଣ ଲୋକ ଜାଣି ପାରିଥିଲେ। ସେ ୪୯ ବର୍ଷ ବୟସରେ ପୁଲିସ ଗୁଳିରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ମୁଣ୍ଡ ଉପରେ ୧୦,୦୦୦ ଟଙ୍କାର ପୁରସ୍କାର ଥିଲା। ନିଜ ଜାତିର ୯ ଜଣ ଲୋକଙ୍କୁ ହତ୍ୟା କରିଥିବାର ଅଭିଯୋଗ ‌ତୋମାରଙ୍କ ନାଁରେ ଥିଲା। ତାଙ୍କ ଚରିତ୍ରରେ ଅଭିନୟ କଲା ବେଳକୁ ଇର୍ଫାନଙ୍କୁ ୪୫ ବର୍ଷ ହୋଇଥିଲା।

ଇର୍ଫାନ୍‌ଙ୍କ ମୃତ୍ୟୁରେ ସଚିନ୍‌, ଧାୱନ୍‌ ଓ କୈଫ୍‌ଙ୍କ ଶୋକ
ମୁମ୍ବାଇ : କର୍କଟ ସହ କିଛି ବର୍ଷ ଲଢ଼ିବା ପରେ ବଲିଉଡ୍‌ ଦୁନିଆର ଲୋକପ୍ରିୟ ଅଭିନେତା ଇର୍ଫାନ୍‌ ଖା‌ନ୍‌ ହାରି ଯାଇଛନ୍ତି। ଏହି ୫୩ ବର୍ଷ ବୟସ୍କ କଳାକାରଙ୍କର ବୁଧବାର ସ୍ଥାନୀୟ କୋକିଳାବେନ୍‌ ହସ୍ପିଟାଲରେ ଅକାଳ ବିୟୋଗ ଘଟିଛି। ଆଉ ତାଙ୍କ ଅକାଳ ବିୟୋଗ ଖବର ପାଇବା ପରେ କ୍ରିକେଟ୍‌ କିଂବଦନ୍ତି ସଚିନ୍‌ ତେନ୍ଦୁଲକର, ଶିଖର ଧାୱନ୍‌ ଓ ମହମ୍ମଦ କୈଫ୍ ଶୋକ ବ୍ୟକ୍ତ କରିଛନ୍ତି। ସଚିନ୍ ଟ୍ବିଟ୍‌ କରିଛନ୍ତି ‘‘ଇର୍ଫାନ୍‌ଙ୍କ ପରଲୋକ ଖବର ଶୁଣି ଖୁବ୍‌ ଦୁଃଖ ଲାଗିଲା। ସେ ମୋର ଅନ୍ୟତମ ପସନ୍ଦର ଅଭିନେତା ଥିଲେ ଏବଂ ମୁଁ ତାଙ୍କର ପ୍ରାୟ ସବୁ ଫିଲ୍ମ ଦେଖିଥିଲି। ଏକରିକି ତାଙ୍କ ଶେଷ ଫିଲ୍ମ ଅଙ୍ଗ୍ରେଜୀ ମିଡିୟମ୍‌କୁ ମଧ୍ୟ ଦେଖିଥିଲି। ଅଭିନୟ ତାଙ୍କ ପାଇଁ ଅତି ସହଜ ଥିଲା, ହେଲେ ସେ ଭୟଙ୍କର ଥିଲେ। ତାଙ୍କ ଆତ୍ମା ସଦ୍‌ଗତିପ୍ରାପ୍ତ ହେଉ’’।

ସେହିପରି ନିଜର ଅତି ପ୍ରିୟ ବ୍ୟକ୍ତିଙ୍କୁ ହରାଇଥିବା ଧାୱନ୍‌ କହିଥିଲେ, ସେ ସବୁବେଳେ ଇର୍ଫାନ୍‌ଙ୍କ ଆମୋଦଦାୟକ କାର୍ଯ୍ୟ ଓ ଅସାଧାରଣ ଦକ୍ଷତାକୁ ଉପଭୋଗ କରୁଥିଲେ। ତାଙ୍କ ଆତ୍ମା ଶାନ୍ତି ପାଉ। ତାଙ୍କ ପରିବାରକୁ ଏଭଳି ଦାରୁଣ ଧକ୍କା ସହ୍ୟ କରିବାକୁ ପ୍ରଭୁ ସାହାସ ଦିଅନ୍ତୁ ବୋଲି ଧାୱନ୍‌ ଟ୍ବିଟ୍‌ କରିଥିଲେ। ପୂର୍ବତନ କ୍ରିକେଟର୍‌ କୈଫ୍‌ ମଧ୍ୟ ତାଙ୍କ ମନର ବେଦନାକୁ ପ୍ରକାଶ କରି ଶୋକ ବ୍ୟକ୍ତ କରିଛନ୍ତି। ତୁମ ମୃତ୍ୟୁ ଖବର ପାଇବା ମାତ୍ରେ ବିଶ୍ବାସ କରିପାରିନଥିଲି। ଦୁଃଖରେ ବୁଡ଼ିଯାଇଥିଲି। ତୁମେ ମୋର ଅତି ପ୍ରିୟର ଅଭିନେତା ଥିଲ। ଏତେ ଶୀଘ୍ର ଚାଲିଗଲ। ତଥାପି ଯାହା ବିଧି ନିର୍ଦ୍ଦିଷ୍ଟ ତାକୁ ବା କିଏ ରୋକିବ। ଏପରି ସମୟରେ ପରିବାରବର୍ଗଙ୍କୁ ସହ୍ୟ କରିବାର ଶକ୍ତି ମିଳୁ ବୋଲି କୈଫ୍‌ ଟ୍ବିଟ୍‌ କରିଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ହକି ଦଳର ଅଧିନାୟକ ମନ୍‌ପ୍ରୀତ୍‌ ସିଂହ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଇର୍ଫାନ୍‌ ତାଙ୍କ ଶକ୍ତିଶାଳୀ ପ୍ରଦର୍ଶନ ସାଙ୍ଗକୁ ବାସ୍ତବ ଚରିତ୍ରକୁ ଫୁଟାଇବାର କଳା ଜରିଆରେ ଆମମାନଙ୍କୁ ଆମୋଦ ଦେଉଥି‌ଲେ। ତାଙ୍କ ମୃତ୍ୟୁ ଖବର ଆମ ସମସ୍ତଙ୍କ ପାଇଁ ଦାରୁଣ ଦୁଃଖ। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ବୋଲି ସେ କହିଛନ୍ତି। ସେହିପରି ଭାରତୀୟ ଫୁଟ୍‌ବଲ ଦଳ ଶୋକ ବ୍ୟକ୍ତ କରି ଦେଶ ଅନ୍ୟତମ ଜଣେ କଳାକାରଙ୍କୁ ଅକାଳରେ ହରାଇଲା ବୋଲି କହିଛି। ଆମେ ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରୁଛୁ ବୋଲି ଦଳ କହିଛି।

ସମ୍ବନ୍ଧିତ ଖବର