କୋଲକାତାର ସପ୍ତମ ପରାଜୟ

କୋଲକାତା: ଆଇପିଏଲ୍‌ର ୪୩ତମ ମ୍ୟାଚ୍‌ରେ ଭାରତୀୟ ବିଶ୍ବକପ୍‌ ଦଳର ସଦସ୍ୟ ଦୀନେଶ କାର୍ତିକଙ୍କ ବିସ୍ଫୋରକ ୯୭* ରନ୍‌ ସତ୍ତ୍ବେ କୋଲକାତା ନାଇଟ୍ ରାଇଡର୍ସର ପରାଜୟ ଧାରା ଭାଙ୍ଗିପାରି ନାହିଁ। ଲଗାତାର ଷଷ୍ଠ ପରାଜୟ ବରଣ କରି କୋଲକାତା ଆଶଙ୍କା ଭିତରେ ରହିଥିବାବେଳେ ରାଜସ୍ଥାନ ଚତୁର୍ଥ ବିଜୟ ସହିତ ପଏଣ୍ଟ ଟେବୁଲ୍‌ ଶେଷ ସ୍ଥାନ ପରିତ୍ୟାଗ କରିଛି।
ଗୁରୁବାର ଇଡେନ୍ ଗା‌ର୍ଡେନ୍ସରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡର୍ସ ନବମ ଓଭର ବେଳକୁ ୪୨ ରନ୍‌ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। କ୍ରିସ୍ ଲିନ୍ (୦), ଶୁଭମନ ଗିଲ୍‌ (୧୪, ୧୪ ବଲ୍‌), ନୀତିଶ ରାଣା (୨୧, ୨୬ ବଲ୍‌) ପ୍ୟାଭିଲିଅନ୍‌ ଫେରିଯାଇଥିଲେ। ଭାରତୀୟ ଦ୍ରୁତ ବୋଲର ବରୁଣ ଅ‌େର‌ାନ୍ ନିଜ ସୁଇଙ୍ଗରେ ଲିନ୍‌ ଓ ଗିଲଙ୍କୁ ବୋଲଡ୍ କରିଦେଇଥିଲେ। ରାଣାଙ୍କ ୱିକେଟ୍ ନେଇଥିଲେ ସ୍ପିନର ଶ୍ରେୟସ ଗୋପାଳ। ଅଧିନାୟକ ଦୀନେଶ କାର୍ତିକ ଶେଷ ପର୍ଯ୍ୟନ୍ତ ଲଢ଼ିଥିବାବେଳେ ୩ ଇଣ୍ଡିଜ୍ ତାରକା ସୁନୀଲ ନରିନ୍‌ (୧୧), ଆନ୍ଦ୍ରେ ରସେଲ୍‌ (୧୪), କାର୍ଲୋସ୍ ବ୍ରାଥ୍‌ୱେଟ୍ (୫) ନିରାଶ କରିଥିଲେ। କାର୍ତିକ କିନ୍ତୁ ଏକା ଏକା ‌େକ‌ାଲକାତା ପାଳିକୁ ଆହ୍ବାନଭରା‌ ସ୍କୋର୍ ପ୍ରଦାନ କରିଥିଲେ। ଏକ ସମୟରେ ୧୦ ବଲ୍‌ରୁ ୩ ରନ୍ କରିଥିବା କାର୍ତିକ ଏହା ପରେ ବ୍ୟାଟିଂ ଗିୟର ବଦଳାଇ ୩୫ ବଲରୁ ଅର୍ଧଶତକ ହାସଲ କରିଥିଲେ। ତେବେ ମାତ୍ର ୩ ରନ୍ ପାଇଁ ଶତକରୁ ଦୂରରେ ରହିଯାଇଥିଲେ। ୫୦ ବଲ୍‌ ଖେଳି ୭ ଚୌକା, ୯ ଛକା ସହିତ ୯୭* ରନ୍ କରିଥିଲେ। ଏକାଦଶ ଓଭରରେ ଶ୍ରେୟସ ଗୋପାଳଙ୍କଠାରୁ କାର୍ତିକ ଏବଂ ନରିନ୍‌ ୨୫ ରନ୍ ଆଦାୟ କରିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ପ୍ରଥମ ୫ ବଲରୁ କାର୍ତିକ (୬, ୪, ୪, ୪, ୧) ୧୯ ରନ୍ ଆଦାୟ କରିବା ପରେ ଶେଷ ବଲ୍‌କୁ ନରିନ୍‌ ଛକା ମାରିଥିଲେ।
କୋଲକାତାର ୧୭୫ ରନ୍ ଜବାବରେ ଅଜିଙ୍କ୍ୟ ରାହାଣେ (୩୪, ୨୧ ବଲ୍‌) ଏବଂ ସଂଜୁ ସାମସନ୍‌ (୨୨, ୧୫ ବଲ୍‌) ଭଲ ଆରମ୍ଭ କରିଥିଲେ। ଷ୍ଟିଭେନ୍ ସ୍ମିଥ୍ (୨) ଏବଂ ବେନ୍ ‌ଷ୍ଟୋକ୍ସ (୧୧) ବିଫଳ ହେବା ପରେ ରୟାଲ୍‌ସ ଉପରେ ଚାପ ପଡ଼ିଥିଲା। ଯୁବ ତାରକା ରିୟାନ୍ ପରାଗ (୪୭*, ୩୧ ବଲ୍‌, ୫ ଚୌକା, ୨ ଛକା) ହିଟ୍ ୱିକେଟ୍‌ ହୋଇଥିଲେ ମଧ୍ୟ ବିଜୟ ସମ୍ଭାବନା‌ ପ୍ରଦାନ କରିଥିଲେ। ଶେଷକୁ ଜୋଫ୍ରା ଆର୍ଚର (୨୭*, ୧୨ ବଲ୍‌, ୨ ଚୌକା, ୨ ଛକା) ଶେଷ ଓଭର ପ୍ରଥମ ଦୁଇ ବଲ୍‌ରୁ ଚୌକା ଓ ଛକା ମାରି ବିଜୟ ମୁଣ୍ଡି ମାରିଥିଲେ। ଆରୋନ୍‌ (୪-୧-୨୦-୨) ପ୍ରଶଂସନୀୟ ବୋଲିଂ ଚିତ୍ର ସହିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର: କୋଲକାତା ନାଇଟ୍ ରାଇଡର୍ସ ୧୭୫/୬ (ଦୀନେଶ କାର୍ତିକ-୯୭*, ନିତୀଶ ରାଣା-୨୧, ବରୁଣ ଆରୋନ୍‌-୨/୨୦, ଶ୍ରେୟସ ଗୋପାଳ-୧/୩୧, ଜୟଦେବ ଉନାଦକତ୍-୧/୫୦)। ରାଜସ୍ଥାନ ରୟାଲ୍‌ସ ୧୯.୨ ଓଭରରେ ୧୭୭/୭ (ରିୟାନ୍ ପରାଗ-୪୭*, ଅଜିଙ୍କ୍ୟ ରାହାଣେ-୩୪, ସଂଜୁ ସାମସନ୍-୨୨, ଜୋଫ୍ରା ଆର୍ଚର-୨୭*, ପୀୟୂଷ ଚାୱଲା-୩/୨୦, ସୁନୀଲ ନରିନ୍‌-୨/୨୫, ଆନ୍ଦ୍ରେ ରସେଲ୍‌-୧/୩୨, ପ୍ରସିଦ୍ଧକୃଷ୍ଣ-୧/୪୩)।

ପକେଟରେ ବଲ୍ ରଖି ଭୁଲି ଗଲେ ଅମ୍ପାୟାର
ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ରେ ଅମ୍ପାୟାରିଂ ମାନ ଅତି ନିମ୍ନ ମାନର ରହିଛି। ବୁଧବାର ରାତିରେ ଏହାର ଆଉ ଏକ ଝଲକ ଦେଖିବାକୁ ମିଳିଥିଲା। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର-କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ମ୍ୟାଚ୍‌ରେ ଘଟିଥିବା ଏକ ଘଟଣା ଅମ୍ପାୟାରଙ୍କ ବେପରୁଆ ମନୋଭାବକୁ ମଧ୍ୟ ପଦାରେ ପକାଇଥିଲା। ବାଙ୍ଗାଲୋର ପାଳିର ତ୍ରୟୋଦଶ ଓଭରର ଷ୍ଟ୍ରାଟେଜିକ୍ ସମୟ ବିରତି ବେଳେ ଅମ୍ପାୟାର ସାମସୁଦ୍ଦିନ ବଲ୍ ନିଜ ପକେଟରେ ରଖି ଭୁଲି ଯାଇଥିଲେ। ବିରତି ଶେଷରେ କିଙ୍ଗ୍ସ ଇ‌ଲେଭେନ୍‌ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ୍‌ ଅଶ୍ବିନ ଏବଂ ଦ୍ରୁତ ବୋଲର ଅଙ୍କିତ ତିୱାରୀ ବଲ୍ ଖୋଜି ଖୋଜି ପାଇ ନଥିଲେ। ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲିୟର୍ସ ଓ ମାର୍କସ ଷ୍ଟୋଇନିସ୍ ମଧ୍ୟ ବଲ୍‌କୁ ଅପେକ୍ଷା କରି ରହିଥିଲେ। ହେଲେ ବଲ୍ ମିଳି ନଥିଲା। ଅନ୍ୟତମ ଅମ୍ପାୟାର ବ୍ରୁସ୍ ଅକ୍ସେନଫୋର୍ଡ ବିଚାର ବିମର୍ଶରେ ଯୋଗ ଦେବା ସହ ଚତୁର୍ଥ ଅମ୍ପାୟାର ତୁରନ୍ତ କିଛି ନୂଆ ବଲ୍ ନେଇ ପଡ଼ିଆ ଭିତରକୁ ଚାଲି ଆସିଥିଲେ। ଖେଳାଳିମାନେ ବିରତିକୁ ଯିବା ପୂର୍ବରୁ କିନ୍ତୁ ସାମସୁଦ୍ଦିନ ତାଙ୍କ ପକେଟରେ ବଲ୍ ରଖୁଥିବା ଟେଲିଭିଜନ୍ ରିପ୍ଲେରୁ ଜଣାପଡ଼ିଥିଲା। ଶେଷରେ ବଲ୍‌କୁ ତାଙ୍କ ପକେଟରୁ ବାହାର କରାଯାଇଥିଲା। କିଛି ମିନିଟ୍‌ର ବ୍ୟାଘାତ ପରେ ଖେଳ ପୁନର୍ବାର ଆରମ୍ଭ ହୋଇଥିଲା। ଏହି ଘଟଣା ଡି’ଭିଲିୟର୍ସ ଓ ଷ୍ଟୋଇନିସଙ୍କ ଏକାଗ୍ରତା ଉପରେ ପ୍ରଭାବ ପକାଇଥିଲା। ହେଲେ ପଞ୍ଜାବ ବୋଲର ସେମାନଙ୍କୁ ଆଉଟ୍ କରିବାକୁ ସକ୍ଷମ ହୋଇ ନଥି‌ଲେ।

ସମ୍ବନ୍ଧିତ ଖବର