ଆବୁଧାବି: ‘ଆଇପିଏଲ୍-୨୦୨୧’ ଦ୍ବିତୀୟ ଚରଣର ପ୍ରଥମ ମୁକାବିଲାରେ ୨୦୨୦ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ପରାଜୟର ସମ୍ମୁଖୀନ ହୋଇଥିଲା। ଚେନ୍ନାଇ ସୁପରକିଙ୍ଗ୍ସ ତାକୁ ୨୦ ରନ୍ରେ ହରାଇ ଦେଇଥିଲା। ଅଧାଦଳ ଏକ ଅଙ୍କରେ ସୀମିତ ରହିବା ପରେ ମଧ୍ୟ ଯୁବ ଓପନର ଋତୁରାଜ ଗାଏକ୍ବାଡ୍ଙ୍କ ୮୮ ରନ୍ର ସ୍ମରଣୀୟ ପାଳି ବଳରେ ଚେନ୍ନାଇ ୧୫୭ ରନ୍ର ସମ୍ମାନଜନକ ସ୍କୋର କରି ନେଇଥିଲା। ଚେନ୍ନାଇ ୨୪ ରନ୍ରେ ୪ ୱିକେଟ୍ ହରାଇବା ସତ୍ତ୍ବେ ମୁମ୍ବାଇ ବୋଲର ଏହି ଦଳକୁ ଏକ ସମ୍ମାନଜନକ ସ୍କୋର କରିବାର ସୁଯୋଗ ଦେଇଥିଲେ। ସେହିଭଳି ବ୍ୟାଟିଂ ବେଳେ ବ୍ୟାଟର୍ ମଧ୍ୟ ମୁମ୍ବାଇକୁ ନିରାଶ କରିଥିଲେ। ସୌରଭ ତିୱାରୀଙ୍କ ଅର୍ଦ୍ଧଶତକ ସତ୍ତ୍ବେ ମୁମ୍ବାଇ ଘୋର ବ୍ୟାଟିଂ ବିପର୍ଯ୍ୟାୟର ସମ୍ମୁଖୀନ ହୋଇ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୩୮ ରନ୍ କରିପାରିଥିଲା। ପ୍ରଶଂସକଙ୍କ ସହ ଦଳ ମଧ୍ୟ ଅଧିନାୟକ ରୋହିତ ଶର୍ମା ଓ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିକୁ ପ୍ରତିଟି ମୁହୂର୍ତରେ ଅନୁଭବ କରିଥିଲା। ଏବେ ନିଜ ଦ୍ବିତୀୟ ମ୍ୟାଚ୍ରେ ମୁମ୍ବାଇ ଗୁରୁବାର ପ୍ରଭାବଶାଳୀ ବିଜୟରୁ ଦ୍ବିତୀୟ ଚରଣ ଅଭିଯାନ ଆରମ୍ଭ କରିଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ଭେଟିବ। କେକେଆର୍ ନିଜ ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ଆରସିବିକୁ ୯ ୱିକେଟ୍ରେ ହରାଇଥିଲା। ଏଣୁ ମୁମ୍ବାଇ ପାଇଁ ଆସନ୍ତାକାଲିର ମ୍ୟାଚ୍ ନିଶ୍ଚିତ ଭାବେ ଆଉ ଏକ ପରୀକ୍ଷା ନେଇ ଆସିବ। ରୋହିତ ଗୁରୁବାର ମ୍ୟାଚ୍ରେ ଖେଳିବାର ଯଥେଷ୍ଟ ସମ୍ଭାବନା ଥିଲେ ମଧ୍ୟ ମୁମ୍ବାଇ ତରଫରୁ ତାଙ୍କୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ସେହିଭଳି ହାର୍ଦିକଙ୍କ ଫିଟନେସ୍ ମଧ୍ୟ ରହସ୍ୟ ଘେରରେ ରହିଛି। ହାର୍ଦିକ ଅନୁପସ୍ଥିତ ରହିଲେ ସୌରଭ ତିୱାରୀ ତାଙ୍କ ସ୍ଥାନ ନେବେ।
ମୁମ୍ବାଇ ସଂପ୍ରତି ୪ ବିଜୟ ସହ ୮ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପକ୍ଷରେ କୋଲକାତା ୩ ବିଜୟ ସହ ୬ ପଏଣ୍ଟ ଲାଭ କରି ଷଷ୍ଠ ସ୍ଥାନରେ (ବୁଧବାରର ଦିଲ୍ଲୀ-ହାଇଦ୍ରାବାଦ ମ୍ୟାଚ୍ ପୂର୍ବରୁ) ଅଛି। ଉଭୟ ଦଳରେ ଅନେକ ତାରକା ଖେଳାଳି ଅଛନ୍ତି। ଏଣୁ ଗୁରୁବାର ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ପୂର୍ବ ପ୍ରଦର୍ଶନକୁ ବିଚାରକୁ ନେଲେ ଜଣାପଡ଼େ ଯେ ମୁମ୍ବାଇ ଓ କୋଲକାତା ୨୮ ମ୍ୟାଚ୍ରେ ପରସ୍ପରର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ମୁମ୍ବାଇ ୨୨ ମ୍ୟାଚ୍ ଜିତିଥିଲା ବେଳେ କୋଲକାତା ମାତ୍ର ୬ ମ୍ୟାଚ୍ ଜିତି ପାରିଛି। ସେହି ଦୃଷ୍ଟିରୁ ଗୁରୁବାର ମ୍ୟାଚ୍ରେ ମୁମ୍ବାଇ ପଲ୍ଲା ପୁଣି ଥରେ ଭାରି ରହିବାର ଯଥେଷ୍ଟ ସମ୍ଭାବନା ରହିଛି। କୋଲକାତାର ଯୁବ ଓପନର ଶୁବମନ୍ ଗିଲ ଗୁରୁବାର ନିଜ ୫୦ତମ ଆଇପିଏଲ୍ ମ୍ୟାଚ୍ ଖେଳିବେ। ରୋହିତ ଶର୍ମା ଯଦି ଏହି ମ୍ୟାଚ୍ ଖେଳି ୧୮ କିମ୍ବା ତାଠାରୁ ଅଧିକ ରନ୍ କରନ୍ତି, ତାହାଲେ କୌଣସି ଗୋଟିଏ ଦଳ ବିପକ୍ଷରେ ବ୍ୟକ୍ତିଗତ ଭାବେ ୧,୦୦୦ ରନ୍ କରିବାରେ ଆଇପିଏଲ୍ ଇତିହାସର ପ୍ରଥମ ଖେଳାଳି ହେବେ ସେ। କୋଲକାତା ବିପକ୍ଷରେ ଏବେ ସେ ୪୯.୧୦ ହାରରେ ୯୮୨ ରନ୍ କରିଛନ୍ତି। ରୋହିତ ଖେଳି ନପାରିଲେ କିରଣ ପୋଲାର୍ଡ ପ୍ରଥମ ମ୍ୟାଚ୍ ଭଳି ଏହି ମ୍ୟାଚ୍ରେ ବି ମୁମ୍ବାଇର ଅଧିନାୟକ ଦାୟିତ୍ବ ତୁଲାଇବେ।
ସମ୍ଭାବ୍ୟ ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା/ଅନମୋଲପ୍ରୀତ ସିଂହ, କ୍ବିଣ୍ଟନ୍ ଡି’କକ୍, ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, କିରଣ ପୋଲାର୍ଡ, ହାର୍ଦିକ ପାଣ୍ଡ୍ୟା/ସୌରଭ ତିୱାରୀ, କ୍ରୁନାଲ ପାଣ୍ଡ୍ୟା, ଆଦାମ ମିଲ୍ନେ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମ୍ରା।
ସମ୍ଭାବ୍ୟ କୋଲକାତା ନାଇଟ୍ ରାଇଡର୍ସ: ଶୁବମନ ଗିଲ୍, ଭେଙ୍କଟେଶ ଆୟର, ରାହୁଲ ତ୍ରିପାଠୀ, ନୀତୀଶ ରାଣା, ଇଅନ ମୋର୍ଗାନ (ଅଧିନାୟକ), ଦୀନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, ଲୋକି ଫର୍ଗୁସନ୍, ପ୍ରସିଦ୍ଧ କୃଷ୍ଣା, ବରୁଣ ଚକ୍ରବର୍ତ୍ତୀ।
ରୋହିତ ଓ ହାର୍ଦିକ୍ ସୁସ୍ଥ ହେଉଛନ୍ତି: ବୋଲ୍ଟ
ଆବୁଧାବି: ଚଳିତ ଆଇପିଏଲ୍ ଦ୍ବିତୀୟ ତଥା ଅନ୍ତିମ ଚରଣରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍ ଖେଳି ଚେନ୍ନାଇ ସୁପର କିଙ୍ଗ୍ସ ନିକଟରୁ ପରାଜୟ ବରଣ କରିଛି। ଏହି ଦଳ ତା’ର ପରବର୍ତୀ ମ୍ୟାଚ୍ ଆସନ୍ତାକାଲି କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ। ଆହତ ଯୋଗୁଁ ପ୍ରଥମ ମ୍ୟାଚ୍ ଖେଳିନଥିବା ଅଧିନାୟକ ରୋହିତ ଶର୍ମା ଏବ ଅଲ୍ରାଉଣ୍ଡର ହାର୍ଦିକ୍ ପାଣ୍ଡ୍ୟା ଗୁରୁବାର ମ୍ୟାଚ୍ ଖେଳିବା ନେଇ ମଧ୍ୟ କୌଣସି ନିଶ୍ଚିତ ହୋଇନାହିଁ। ତଥାପି ଉଭୟେ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି ବୋଲି କୋଲ୍କାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ପୂର୍ବ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ବୁଧବାର ସୂଚନା ଦେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଟ୍ରେଣ୍ଟ୍ ବୋଲ୍ଟ। ରୋହିତ ଶତପ୍ରତିଶତ ସୁସ୍ଥ ହୋଇନଥିବାରୁ ଦଳୀୟ ମ୍ୟାନେଜମେଣ୍ଟ ପ୍ରଥମ ମ୍ୟାଚ୍ରେ ତାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଥିଲା। ଏହାକୁ ନିଜେ ରୋହିତ ମଧ୍ୟ ସମର୍ଥନ କରିଥିଲେ। ତେବେ ଦୁଇ ଜଣ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ମୁମ୍ବାଇର ଦ୍ବିତୀୟ ଚରଣ ଅଭିଯାନ ନିରାଶାରୁ ଆରମ୍ ହୋଇଛି। ନକ୍ଆଉଟ୍ ପର୍ଯ୍ୟାୟକୁ ଯିବାକୁ ହେଲେ ଦଳକୁ ଅତିକମ୍ରେ ୩/୪ଟି ବିଜୟ ଆବଶ୍ୟକ ରହିଛି। ଏହି ଦୃଷ୍ଟିରୁ ଗୁରୁବାର କୋଲ୍କାତା ବିପକ୍ଷ ମ୍ୟାଚ୍ରେ ରୋହିତଙ୍କ ଖେଳିବା ଜରୁରି ହୋଇପଡ଼ିଛି। ସେ ଯଦି ଗୁରୁବାର ମ୍ୟାଚ୍ ଖେଳନ୍ତି ତାହାଲେ ଖୁବ୍ ଭଲ ହେବ। ମାତ୍ର ଆମେ ତାଙ୍କର ଶତପ୍ରତିଶତ ଫିଟ୍ ଚାହୁଁଛୁ ବୋଲି ବୋଲ୍ଟ କହିଛନ୍ତି।