ମୋହାଲି : ସାମ୍ କରନ୍ (୫୫ ରନ୍, ୨୪ ବଲ୍, ୭ ଚୌକା, ୨ ଛକା)ଙ୍କ ବିସ୍ଫୋରକ ଅର୍ଧଶତକକୁ ବେକାର କରି ଶୁଭମନ୍ ଗିଲ୍ (୬୫ ରନ୍, ୪୯ ବଲ୍, ୫ ଚୌକା, ୨ ଛକା) କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍)କୁ ଶୁକ୍ରବାର ଏକ କର ବା ମର ମ୍ୟାଚ୍ରେ ବିଜୟ ଭେଟି ଦେଲେ। ପ୍ଳେଅଫ୍ ଦୌଡ଼ରେ ତିଷ୍ଠି ରହିବା ପାଇଁ ଗୁରୁତ୍ବପୂର୍ଣ୍ଣ ଏହି ମ୍ୟାଚ୍େର ଟସ୍ ଜିତି କେକେଆର୍ ପ୍ରଥମେ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ସନ୍ଦୀପ୍ ୱାରିୟର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ ମଧ୍ୟ ମୟଙ୍କ ଅଗ୍ରୱାଲ (୩୬ ବଲ୍, ୨୬ ରନ୍, ୨ ଚୌକା, ୧ ଛକା)), ପୂରନ୍ (୪୮ ରନ୍, ୨୭ ବଲ୍, ୩ ଚୌକା, ୪ ଛକା), ମନ୍ଦୀପ୍ ସିଂହ (୨୫ ରନ୍, ୧୭ ବଲ୍, ୧ ଚୌକା, ୧ ଛକା) ଓ କରନ୍ଙ୍କ ଧୂଆଁଧାର ବ୍ୟାଟିଂ ବଳରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ୬ ୱିକେଟ୍ ବିନିମୟରେ ୧୮୩ ରନ୍ କରିନେଇଥିଲା। ଜବାବରେ ପାଳି ଆରମ୍ଭ କରିଥିବା ଗିଲ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୨ ଓଭର ପୂର୍ବରୁ କେକେଆର୍କୁ ବିଜୟୀ କରାଇଥିଲେ। କ୍ରିସ୍ ଲିନ୍ (୪୬ ରନ୍, ୨୨ ବଲ୍, ୫ ଚୌକା, ୩ ଛକା), ରବିନ୍ ଉଥପ୍ପା, ୨୨ (୧୪ ବଲ୍, ୨ ଚୌକା, ୧ ଛକା), ଆନ୍ଦ୍ରେ ରସେଲ୍ (୨୪ ରନ୍, ୧୪ ବଲ୍, ୨ ଚୌକା, ୨ ଛକା) ଏବଂ ଅଧିନାୟକ ଦୀନେଶ କାର୍ତିକ (୨୧ ରନ୍, ୯ ବଲ୍, ୨ ଚୌକା, ୧ ଛକା) ଗିଲ୍ଙ୍କୁ ଉପେଯାଗୀ ସହଯୋଗ ନେଇ କେକେଆର୍ ପକ୍ଷକୁ ମ୍ୟାଚ୍ ଟାଣି ନେଇଥିଲେ। ଗିଲ୍ ଆଶା ମୁତାବକ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଇଥିଲେ। ଏଥି ସହିତ କେକେଆର୍ ୧୩ ମ୍ୟାଚ୍ରୁ ୧୨ ପଏଣ୍ଟ୍ ପାଇ ପଞ୍ଚମ ସ୍ଥାନରେ ପହଞ୍ଚି ପ୍ଲେଅଫ୍ ଆଶା ଉଜ୍ଜୀବୀତ ରଖିଥିଲା ବେଳେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପ୍ରତିଯୋଗିତାରୁ ବାଦ୍ ପଡ଼ିଯାଇଛି।
ସଂକ୍ଷିପ୍ତ ସ୍କୋର୍: କିଙ୍ଗ୍ସ ଇଲେଭେନ୍ ପଞ୍ଜାବ: ୨୦ ଓଭରରେ ୬/୧୮୩ (ସାମ୍ କରନ୍-୫୫*, ପୂରନ୍-୪୮, ମୟଙ୍କ ଅଗ୍ରୱାଲ୍-୩୬, ମନ୍ଦୀପ୍ ସିଂହ-୨୫, ସନ୍ଦୀପ୍ ୱାରିୟର-୨/୩୧)। କୋଲ୍କାତା ନାଇଟ୍ ରାଇଡର୍ସ: ୧୮ ଓଭରରେ ୧୮୫/୩ (ଶୁଭମନ୍ ଗିଲ୍-୬୫*, କ୍ରିସ୍ ଲିନ୍-୪୬, ଆନ୍ଦ୍ରେ ରସେଲ୍-୨୪, ରବିନ୍ ଉଥପ୍ପା-୨୨, ମହମ୍ମଦ ସାମି-୧/୧୫, ରବିଚନ୍ଦ୍ରନ୍ ଅଶ୍ବିନ୍-୧/୩୮, ଆଣ୍ଡରୁ ଟାଇ-୧/୪୧)।