ପାଗ ଖରାପ ହେତୁ ମଝି ଆକାଶରେ ଫସିଥିଲା କେକେଆର ଟିମ୍‌ର ବିମାନ : ମୃତ୍ୟୁକୁ ଅତି ନିକଟରୁ ଦେଖିଲେ ଖେଳାଳି

କୋଲକାତା: କୋଲକାତା ନାଇଟ ରାଇଡର୍ସକୁ ଇଣ୍ଡିୟାନ ପ୍ରିମିୟର ଲିଗ (ଆଇପିଏଲ)ର ୧୧ତମ ସଂସ୍କରଣର ପ୍ଲେଅଫରେ କ୍ୱାଲିଫାଏ କରିବା ପାଇଁ ଶନିବାର ରାଜୀବ ଗାନ୍ଧି ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ହେବାକୁ ଥିବା ମ୍ୟାଚରେ ବିଜୟୀ ହେବାକୁ ପଡ଼ିବ।

ଅଧିନାୟକ ଦିନେଶ କାର୍ତ୍ତିକଙ୍କ ଦଳ ୧୩ଟି ମ୍ୟାଚରୁ ୭ଟି ମ୍ୟାଚରେ ବିଜୟୀ ହୋଇ ତୃତୀୟ ସ୍ଥାନରେ ଅଛି । ପ୍ଲେଅଫରେ ପହଞ୍ଚିବା ପାଇଁ ଆଉ ଗୋଟିଏ ମ୍ୟାଚ ଏହି ଟିମ୍‌କୁ ଜିତିବାକୁ ପଡ଼ିବ। ଅନ୍ୟପକ୍ଷରେ ପ୍ଲେଅଫ ପାଇଁ କ୍ୱାଲିଫାଏ କରିଥିବା ହାଇଦ୍ରାବାଦ ଟିମ୍‌ ଦ୍ୱିତୀୟ ନମ୍ବରରେ ଅଛି। ଟିମ୍‌କୁ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୋର ହାତରୁ ୧୪ରନ୍‌ରେ ହାରିବାକୁ ପଡ଼ିଥିଲା।

କୋଲକାତା ଟିମ୍‌ ମ୍ୟାଚ ପୂର୍ବରୁ ହାଇଦ୍ରାବାଦରେ ପହଞ୍ଚି ସାରିଛି। ଏହି ଯାତ୍ରା ସମୟରେ କୋଲକାତା ଟିମ୍‌ର ଖେଳାଳିଙ୍କୁ ଏକ ଭୟାନକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ପାଗ ଖରାପ ହେତୁ ବିମାନ ଅବତରଣରେ ଅସୁବିଧା ହେଉଥିଲା। କେକେଆର ଟିମ୍‌ ଏ ନେଇ ଏକ ଭିଡିଓ ଜରିଆରେ ଏହାର ସୂଚନା ଦେଇଛନ୍ତି।

ନିତିନ ରାଣେ ଓ ରିଙ୍କୁ ସିଂହ ଏକାଠି ବସି ବିମାନରେ ଯାତ୍ରା କରୁଥିବା ସମୟରେ ହଠାତ ବିମାନଟି ପ୍ରବଳ ଭାବେ ହଲଚଲ ହୋଇଥିଲା। ଏଥିରେ ରିଙ୍କୁ ସିଂହ ବହୁତ ଭୟଭୀତ ହୋଇଯାଇଥିଲେ। ତାଙ୍କୁ ଭୟଭୀତ ହେବାର କାରଣ ପଚାରିବାରୁ ସେ କହିଲେ, ମୁଁ ମୃତ୍ୟୁକୁ ଅତି ନିକଟରୁ ଦେଖିଲି। ରିଙ୍କୁ ବ୍ୟତୀତ ଶୁଭମନ ଗିଲ ଓ ଇଶଙ୍କ ଜଗ୍ଗି ବି ସମାନ କଥା କହୁଥିବା ଜଣାପଡ଼ିଛି। ଝଡ଼ତୋଫାନ ହେତୁ ବିମାନଟି ଜୋରସୋର ହଲିଥିଲା। ମନେ ହେଉଥିଲା ସତେ ଯେମିତି ଭାଙ୍ଗିପଡ଼ିବ।

ସମ୍ବନ୍ଧିତ ଖବର