ଆଇପିଏଲ୍‌-୧୩ : ରାଜସ୍ଥାନ ରୟାଲ୍ସକୁ ୩୭ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଆଇପିଏଲ ୨୦୨୦ର ୧୨ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୩୭ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ ରାଇଡର୍ସ । ରାଜସ୍ଥାନ ରୟାଲ୍ସ ୧୭୫ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୯ ୱିକେଟ ହରାଇ ୧୩୭ ରନ୍‌ କରି ପରାଜୟ ପାଇଛି । ରାଜସ୍ଥାନ ରୟାଲ୍ସ ପ୍ରଥମରୁ ଧିମା ବ୍ୟାଟିଂ କରିଥିଲା, କ୍ୟାପଟେନ୍‌ ଷ୍ଟିଭ ସ୍ମିଥ୍‌ ୩ ରନ୍‌ କରି ଆଉଟ ହୋଇଥିବା ବେଳେ ସଞ୍ଜୁ ସାମସନ୍ ୮ରନ୍‌ ଓ ରବିନ୍ ଉଥାପ୍ପା ମାତ୍ର ୨ ରନ୍‌ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟପଟେ ଟମ୍ କରନ୍  ୩୬ ବଲରେ ୫୪ ରନ୍‌ କରି ମ୍ୟାଚକୁ ହାତକୁ ଆଣିବାକୁ ଉଦ୍ୟମ କରିଥିଲେ କିନ୍ତୁ ରାଜସ୍ଥାନକୁ ବିଜୟ ଦେଇପାରି ନଥିଲେ ।

ଅନ୍ୟପକ୍ଷରୁ କୋଲକାତା ପକ୍ଷରୁ  ଶିବମ୍ ମାଭି, କମଲେଶ ନଗରକୋଟି ଓ ବରୁଣ ଚକ୍ରବର୍ତ୍ତୀ ବୋଲିଂରେ ଭଲ ପ୍ରଦର୍ଶନ କରି ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ପ୍ୟାଟ୍ କମିନ୍ସ, ସୁନୀଲ ନରେନ୍ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ଫଳ‌ରେ କ‌ୋଲକାତା ଏହି ମ୍ୟାଚକୁ ଅତି ସହଜରେ ଜିତି ନେଇଛି । ଏହି ବିଜୟ ସହ କୋଲକତା ୪ ପଏଣ୍ଟ ପାଇ ଦଳ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି ।

ପୂର୍ବରୁ ରାଜସ୍ଥାନ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତି କୋଲକତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । କୋଲକାତା ନାଇଟ ରାଇଡର୍ସ ଦଳ ପକ୍ଷରୁ ଶୁଭମନ୍ ଗିଲ ଓ ସୁନୀଲ ନରେନ୍ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ ମଧ୍ୟ ସୁନୀଲ ମାତ୍ର ୧୫ ରନ କରି ଆଉଟ ହୋଇଥିଲେ । ତେବେ ଶୁଭମନ୍ ଦୃଢ ବ୍ୟାଟିଂର ପ୍ରଦର୍ଶନ କରି ସର୍ବାଧିକ ୪୭ ରନ କରିଥିଲେ । ସେହିପରି ଇଅନ ମର୍ଗାନ ୩୪ ରନ ଓ ଆନ୍ଦ୍ରେ ରସେଲ ୨୪ ରନ କରିଥିଲେ । ଏହାଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୪ ରନ କରିପାରିଥିଲା । ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୧୮ ରନ ଦେଇ ୨ଟି ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର