ଆଇପିଏଲ୍‌-୨୦୨୪: ହାଇଦ୍ରାବାଦ୍‌କୁ ପରାସ୍ତ କରି କୋଲକାତା ଚାମ୍ପିଅନ୍‌

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୪ରେ କୋଲକାତା ନାଇଟ୍‌ ରାଇଡର୍ସ ଚାମ୍ପିଅନ୍‌ ହୋଇଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏଥି ସହିତ କୋଲକାତା ନାଇଟ୍‌ ରାଇଡର୍ସ ତୃତୀୟ ଥର ଆଇପିଏଲ୍‌ ଚାମ୍ପିଅନ୍‌‌ ହୋଇଛି। କୋଲକାତା ଟିମ୍‌ ପୂର୍ବରୁ ୨୦୧୨ ଓ ୨୦୧୪ରେ ଚାମ୍ପିଅନ୍‌ ହୋଇଥିଲା।

କୋଲକାତା ପାଇଁ ଭେଙ୍କଟେସ୍‌ ଆୟର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୬ଟି ବଲ୍‌ ଖେଳି ୪ଟି ଚୌକା ଓ ୩ଟି ଛକା ବଳରେ ଅପରାଜିତ ୫୨ ରନ୍‌ ସଂଗ୍ରହ କରିଥିଲେ। ସେହିପରି ପ୍ରାରମ୍ଭିକ ବ୍ୟାଟର ରହମାନୁଲ୍ଲା ଗୁରବାଜ ୩୯ ରନ୍‌ ସଂଗ୍ରହ କରିଥିଲେ। ସେ ୩୨ଟି ବଲ୍‌ ଖେଳି ୫ଟି ଚୌକା ଓ ୨ଟି ଛକା ମାରିଥିଲେ। ସୁନୀଲ ନାରାୟଣ ୬ ରନ୍‌ ଓ ‌ଅଧିନାୟକ ଶ୍ରେୟସ ଆୟର ଅପରାଜିତ ୬ ରନ୍‌ କରିଥିଲେ।

ଫାଇନାଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୧୩ ରନରେ ସୀମିତ ରହିଯାଇଥିଲା । ଫଳରେ କୋଲକାତା ନାଇଟରାଇଡର୍ସ ଆଗରେ ବିଜୟ ପାଇଁ ୧୧୪ ରନର ଲକ୍ଷ୍ୟ ଥିଲା। ଆଇପିଏଲ ଇତିହାସରେ ଏହା ସର୍ବନିମ୍ନ ଫାଇନାଲ ସ୍କୋର ।

ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳ ଆରମ୍ଭରୁ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ଶେଷ ପର୍ଯ୍ୟନ୍ତ ସେଥିରୁ ଉଦ୍ଧାର ପାଇପାରିନଥିଲା । ମାତ୍ର ୬ ରନରେ ଦଳ ନିଜର ଦୁଇ ଓପନର ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ପାଭିଲିୟନ ଫେରିଥିଲେ । ପରବର୍ତ୍ତୀ କୌଣସି ବ୍ୟାଟ୍ସମ୍ୟାନ ଦଳକୁ ବିପର୍ୟ୍ୟୟରୁ ଉଦ୍ଧାର କରିପାରିନଥିଲେ । ଅଧିନାୟକ ପାଟ କମିନ୍ସ ୨୪ ରନ ଓ ଆଇଡେନ ମାର୍କରାମ ୨୦ ରନ କରିଥିଲେ । ନୀତୀଶ ରେଡ୍ଡି ୧୩ ଓ ହେନଲିକ କ୍ଲାସେନ ୧୬ ରନ କରିଥିଲେ ।

କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୩ଟି ଓ୍ବିକେଟ ନେଇଥିବାବେଳେ ହର୍ଷିତ ରାଣା ଓ ମିଚେଲ ଷ୍ଟାର୍କ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ସୁନୀଲ ନାରାୟଣ, ବୈଭବ ଆରୋରା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର