କୋଲକାତା : ନିକୋଲାସ ପୂରନଙ୍କ ଅର୍ଦ୍ଧଶତକୀୟ ପାଳି ପରେ ବୋଲରଙ୍କ ଶାଣିତ ବୋଲିଂ ପାଇଁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ରୋମାଞ୍ଚକ ବିଜୟ ପାଇ ପ୍ଲେ ଅଫ୍ (ଏଲିମିନେଟର୍) ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଇଡେନ୍ ଗାର୍ଡେନ୍ସରେ ଶନିବାର ରାତି ମ୍ୟାଚ୍ରେ ଲକ୍ଷ୍ନୌ ୧ ରନ୍ରେ କୋଲ୍କାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ପୂରନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଲକ୍ଷ୍ନୌ ଓ ଚେନ୍ନାଇ ସୁପର କିଙ୍ଗ୍ସ ୧୭ ପଏଣ୍ଟ ଲେଖାଏଁ ପାଇଥିଲେ ମଧ୍ୟ ନେଟ୍ ରନ୍ ରେଟ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଗରେ ରହି ପ୍ଲେ ଅଫ୍-୧କୁ ଯୋଗ୍ୟତା ଅର୍ଜନ କରିଛି। ଫଳରେ ଲକ୍ଷ୍ନୌ ଏଲିମିନେଟରରେ ଚତୁର୍ଥ ସ୍ଥାନର ଦଳ ସହିତ କ୍ବାଲିଫାୟର-୨ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବ।
ଲକ୍ଷ୍ନୌ ପକ୍ଷରୁ ଧାର୍ଯ୍ୟ ୧୭୭ ରନ୍ର ଲକ୍ଷ୍ୟକୁ ପିଛା କରି କୋଲକାତା ୧୭୫/୭ ସ୍କୋର କରିଥିଲା। ଜାସନ୍ ରଏ ଓ ଭେଙ୍କଟେଶ ଆୟର ଆକ୍ରମଣାତ୍ମକ ଖେଳିବା ସହ ୬୧ ରନ୍ର ଭାଗୀଦାରି କରିଥିଲେ। ପାୱାରପ୍ଲେର ଶେଷ ଓଭରରେ ଭେଙ୍କଟେଶ ଆଉଟ୍ ହେବା ପରେ କୋଲକାତାର ୱିକେଟ୍ ଖସିବା ଧାରା ଆରମ୍ଭ ହୋଇଥିଲା। ନିୟମିତ ବ୍ୟବଧାନରେ ଘରୋଇ ଦଳ ୱିକେଟ୍ ହରାଇବା ସହିତ ଲକ୍ଷ୍ନୌ ସ୍ପିନରଙ୍କ ଜାଲରେ ବ୍ୟାଟରମାନେ ଫସି ଚାଲିଥିଲେ। କେବଳ ରିଙ୍କୁ ସିଂହ ଗୋଟିଏ ପଟରୁ ସଂଘର୍ଷପୂର୍ଣ୍ଣ ପାଳି ଖେଳି ମ୍ୟାଚ୍କୁ ଶେଷ ବଲ୍ ପର୍ଯ୍ୟନ୍ତ ନେଇଥିଲେ। ଶେଷ ଦୁଇ ଓଭରରେ ଦଳକୁ ଜିତିବା ପାଇଁ ୪୧ ରନ୍ ଆବଶ୍ୟକ ହେଉଥିଲେ ବି ରିଙ୍କୁ ଚୌକା, ଛକା ବର୍ଷା କରି ୩୯ ରନ୍ ଉଠାଇପାରିଥିଲେ। ରିଙ୍କୁ ୬୭ ରନ୍ରେ ଅପରାଜିତ ରହିଥିଲେ। ଏହା ଚଳିତ ସଂସ୍କରଣରେ ତାଙ୍କର ଚତୁର୍ଥ ଅର୍ଦ୍ଧଶତକ ଥିଲା।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ୮ ୱିକେଟ୍ ବିନିମୟରେ ୧୭୬ ରନ୍ ସଂଗ୍ରହ କରିଥିଲା। ମଧ୍ୟକ୍ରମରେ ଆୟୁଷ ବାଦୋନି ଓ ପୂରନ ୭୪ ରନ୍ ଯୋଡ଼ି ଦଳକୁ ୧୫୦ ରନ୍ ଅତିକ୍ରମ କରାଇଥିଲେ। ଅର୍ଦ୍ଧଶତକ ଅର୍ଜନ କରିସାରିଥିବା ପୂରନ ଡେଥ୍ ଓଭରରେ ଦ୍ରୁତ ରନ୍ ବାହାର କରିବାକୁ ଯାଇ ୫୮ ରନ୍ରେ ଆଉଟ୍ ହୋଇଥିଲେ।