ଦିଲ୍ଲୀକୁ ହରାଇଦେଲା କୋଲ୍‌କାତା: ପଡ଼ିଆରେ ଅଶ୍ବିନ୍‌-ମୋର୍ଗାନ୍‌ ଯୁକ୍ତିତର୍କ

ସାରଜା: ଲଗାତାର ଭାବେ ଭଲ ଖେଳି ଆସୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ମଙ୍ଗଳବାର କୋଲକାତା ନାଇଟ୍ ରାଇଡର୍ସ ୩ ୱିକେଟରେ ହରାଇ ଦେଇଛି। ପ୍ଲେ ଅଫ୍‌ ଦ୍ବାରରେ ପହଞ୍ଚିଯାଇଥ‌ିଲେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍‌ସ ମାତ୍ର ୧୨୭ ରନ୍ କରିଥିଲା। ତଥାପି କୋଲ୍‌କାତା ନାଇଟ୍‌ ରାଇଡର୍ସ ଏହି ଛୋଟ ବିଜୟ ଲକ୍ଷ୍ୟରେ ପହଞ୍ଚିବାକୁ ଢେର କସରତ କରିଥିଲା। ଆହତ ଆନ୍ଦ୍ରେ ରସେଲଙ୍କ ଅନୁପସ୍ଥିତିରେ ତାଙ୍କ ଭୂମିକା ତୁଲାଇଥିବା ସୁନିଲ ନାରାୟଣ ଦୁଇ ଦଳ ମଧ୍ୟରେ ଫରକ ପକାଇଥିବାରୁ ଶ୍ରେଷ୍ଠ‌ ଖେଳାଳି ବିବେଚିତ ହୋଇଛନ୍ତି। ଏହି ୱେଷ୍ଟଇଣ୍ଡିଜ୍ ଖେଳାଳି ପାଳି ଆରମ୍ଭ କରିନଥିଲେ ମଧ୍ୟ ୧୦ ବଲ୍‌ରୁ ୨୧* ରନ୍ କରିବା ପୂର୍ବରୁ ବୋଲିଂରେ (୪-୦-୧୮-୨) ଚମତ୍କାର ପ୍ରଦର୍ଶନ କରିଥିଲେ। ପୂର୍ବ ୫ ପାଳିରେ ନାରାୟଣ ଯଥାକ୍ରମେ ୪, ୬,୦,୦,୦ ରନ୍‌ କରି ନିରାଶ କରିବା ପରେ ମଙ୍ଗଳବାର ଏହାକୁ ଓଲଟ ପାଲଟ କରି ଦେଇଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଦିଲ୍ଲୀ ପାଇଁ ଷ୍ଟିଭେନ୍ ସ୍ମିଥ୍‌ (୩୯) ଏବଂ ଶିଖର ଧାୱନ (୨୪) ଭଲ ଆରମ୍ଭ କରିଥିଲେ। ପାୱାର ପ୍ଲେରୁ ଉଭୟ ୩୯ ରନ୍‌ ଆଦାୟ କରିଥିଲେ। ଲୋକି ଫର୍ଗୁସନ୍ କିନ୍ତୁ ଉଭୟଙ୍କୁ ଆଉଟ୍ କରି ଦେଇଥିଲେ। ଅଧିନାୟକ ଋଷଭ ପନ୍ତ୍ (୩୯, ୩୬ ବଲ୍‌) ରନ୍‌ ଆଉଟ୍ ହେବା ଦିଲ୍ଲୀକୁ ଦାବି ଦେଇଥିଲା। ଏହାପରେ ଆଉ କେହି ଦୁଇ ଅଙ୍କ ଛୁଇଁବା ଦୂରର କଥା ୩ ଜଣ ଶୂନରେ ଆଉଟ୍ ହୋଇଯାଇଥିଲେ। ଦିଲ୍ଳୀ ଶେଷ ୬.୨ ଓଭରରେ ୬ ୱିକେଟ୍ ହରାଇବାରୁ ମାତ୍ର ୩୯ ରନ୍‌ ଯୋଡ଼ି ପାରିଥିଲା। ଲୋକି ଫର୍ଗୁସନ୍, ସୁନିଲ ନାରାୟଣ ଏବଂ ଭେଙ୍କଟେଶ ଆୟର ପ୍ରତ୍ୟେକ ୨‌‌ ଲେଖାଏଁ ୱିକେଟ୍ ‌ନେଇଥିଲେ।

ଜବାବରେ ମଧ୍ୟ ସାରଜା ପିଚ୍‌ରୁ ରନ୍‌ ସଂଗ୍ରହ ସହଜ ନୁହେଁ ବୋଲି କୋଲ୍‌କାତା ଅନୁଭବ କରିଥିଲା। ପ୍ରାରମ୍ଭିକ ବ୍ୟାଟର୍‌ ଶୁବମନ ଗିଲ୍‌ (୩୦, ୩୩ ବଲ୍) ଏବଂ ନୀତିଶ ରାଣା (୩୬*, ୨୭ ବଲ୍)ଙ୍କ ପାଳି ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ୧୬ତମ ଓଭରରେ କାଗିସୋ ରବାଦାଙ୍କଠାରୁ ସୁନିଲ ନାରାୟଣ ୨ ଛକା ଓ ୧ ଚୌକା ସହ ୨୧ ରନ୍ ଆଦାୟ କରିବା କୋଲକାତାର ବିଜୟକୁ ନିଶ୍ଚିତ କରିଥିଲା। ୧୦ ବଲ୍ ପୂର୍ବରୁ କୋଲକାତା ୭ ୱିକେଟ୍ ହରାଇ ୧୩୦ ରନ୍ ସଂଗ୍ରହ କରି ନେଇଥିଲା। ଅଭେସ୍ ଖାନ୍‌ଙ୍କ ୩ ୱିକେଟ୍‌ ସଫଳତା ବେକାର ଯାଇଥିଲା।

ଦିଲ୍ଲୀ କ୍ୟାପିଟାଲ୍ସ ବୋଲର ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ମଙ୍ଗଳବାର କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷ ମ୍ୟାଚ୍‌ ବେଳେ ବିଶୃଙ୍ଖଳିତ ହୋଇପଡ଼ିଥିଲେ। ସେ ଏହି ମ୍ୟାଚ୍‌ ବେଳେ କେକେଆର୍‌ ଅଧିନାୟକ ଇଅନ୍‌ ମୋର୍ଗାନ୍‌ଙ୍କ ସହ ବାକ୍‌ ଯୁଦ୍ଧରେ ସାମିଲ ଥିବା ଦେଖାଯାଇଥିଲା। ଦିଲ୍ଲୀ ପାଳିର ଅନ୍ତିମ ଓଭରରେ ଟିମ୍‌ ସାଉଦିଙ୍କ ଦ୍ବାରା ଆଉଟ୍‌ ହେବା ପରେ ହିଁ ମୋର୍ଗାନ୍‌ଙ୍କ ସହ ଅଶ୍ବିନ୍‌ ଉତ୍ତେଜିତ ସ୍ବରରେ ଯୁକ୍ତିତର୍କ କରିଥିଲେ। ୧୯ତମ ଓଭରର ଶେଷ ବଲ୍‌ରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ୍‌ ଓ ଅଶ୍ବିନ୍‌ ୨ ରନ୍‌ କରିଥିଲେ। ତେବେ କ୍ଷେତ୍ରରକ୍ଷକଙ୍କ ଦ୍ବାରା ବଲ୍‌ ଫିଙ୍ଗାଯିବା ବେଳେ ବ୍ୟାଟର୍‌ଙ୍କ ଦ୍ବାରା ଅବରୋଧ କରାଯାଇଥିଲା ବୋଲି ପ୍ରତିପକ୍ଷ ଅଧିନାୟକ ମୋର୍ଗାନ୍‌ ଅଭିଯୋଗ କରିଥିଲେ। ଯାହାକି ସୁସ୍ଥ ଖେଳ ପାଇଁ ମାର୍ଗଦର୍ଶିକାର ବି‌ରୋଧାଚରଣ ବୋଲି ସେ କହିଥିଲେ। ଏହାକ ନେଇ ମୋର୍ଗାନ୍‌ଙ୍କ ସହ ଅଶ୍ବିନ୍‌ ଯୁକ୍ତିତର୍କ କରିଥିଲେ। ତେବେ କେକେଆର୍‌ର ପୂର୍ବ ଅଧିନାୟକ ଦୀନେଶ କାର୍ତିକ ଏଥିରେ ହସ୍ତକ୍ଷେପ କରି ଅଶ୍ବିନଙ୍କୁ ରୋକିଥିଲେ। ଏପରିକି ଦିଲ୍ଲୀ ପ୍ରଶିକ୍ଷକ ରିକି ପଣ୍ଟିଂ ମଧ୍ୟ ପାଳି ବିରତି ବେଳେ ଅମ୍ପାୟାର ନିତିନ ମେନନ୍‌ଙ୍କୁ କିଛି କହୁଥିବା ଦେଖାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ସେନେଇ କେହି ବି ଜଣେ ସ୍ପଷ୍ଟ ନାହାନ୍ତି। କିନ୍ତୁ ମୋର୍ଗାନ୍‌-ଅଶ୍ବିନ୍‌ ଯୁକ୍ତିତର୍କକୁ ନେଇ ଆଲୋଚନା ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର