କୋଲ୍କାତା: କୋଲ୍କାତାର ‘ଜୋସ୍ ମାରିନୋ’ ଭାବେ ପରିଚିତ ସୁବାଷ ଭୌମିକ୍ ଆଉ ନାହାନ୍ତି। ଏହି କିଂବଦନ୍ତି ପୂର୍ବତନ ଭାରତୀୟ ଫୁଟ୍ବଲର୍ ଏବଂ ଚର୍ଚ୍ଚିତ ପ୍ରଶିକ୍ଷକ ଦୀର୍ଘ ଦିନର ଅସୁସ୍ଥତା ପରେ ଶନିବାର ପ୍ରାତଃ ସମୟରେ ପରଲୋକ ଗମନ କରିଛନ୍ତି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ କିଡ୍ନି ଏବଂ ମଧୁମେହ ରୋଗରେ ପୀଡ଼ିତ ଥିଲେ। ପ୍ରାୟ ୩ ମାସ ହେଲା ନିୟମିତ ତାଙ୍କର ଡାଏଲିସିସ୍ ଚାଲିଥିଲା। ୨୩ ବର୍ଷ ତଳେ ମଧ୍ୟ ତାଙ୍କର ବାଇପାସ୍ ସର୍ଜରି କରାଯାଇଥିଲ। ଛାତିରେ ସଂକ୍ରମଣ ଯୋଗୁଁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ମୃତ୍ୟୁ ନେଇ ପରିବାର ସୂତ୍ରରୁ ସ୍ପଷ୍ଟ କରାଯାଇଛି।
ଏହି ପୂର୍ବତନ ମିଡ୍ଫିଲ୍ଡର ୧୯୭୦ ଏସୀୟ କ୍ରୀଡ଼ା କାଂସ୍ୟ ବିଜେତା ଦଳର ସଦସ୍ୟ ଥିଲେ। ସେ ମଧ୍ୟ ୧୯୭୪ ସଂସ୍କରଣରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିଲେ। ଭୌମିକ ୧୯୭୧ରେ ମେର୍ଦେକା କପ୍ରେ ଫିଲିପାଇନ୍ସ ବିପକ୍ଷ ମ୍ୟାଚ୍ରେ ହ୍ୟାଟ୍ରିକ୍ ଗୋଲ୍ କରିଥିଲେ। ତାଙ୍କ ଖେଳ ଜୀବନ କିନ୍ତୁ ବହୁ ବିବାଦୀୟ ରହିଥିଲା। ଯାହା ଫଳରେ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୦୫ରେ ଜେଲ୍ ଦଣ୍ଡ ଭୋଗିଥିଲେ। ଖେଳ ଜୀବନରୁ ଅବସର ନେବା ପରେ ପରେ ଭୌମିକ ପ୍ରଶିକ୍ଷଣକୁ ଆଦରି ନେଇଥିଲେ। ମୋହନ ବାଗାନ ପାଇଁ ପ୍ରଶିକ୍ଷକ ଭାବେ ପଦାର୍ପଣ କରିବା ପରେ ସେ ଇଷ୍ଟବେଙ୍ଗଲର ପ୍ରଶିକ୍ଷକ ରହିଥିଲେ। ସେହିଠାରେ ହିଁ ସେ ସର୍ବାଧିକ ସଫଳତା ହାସଲ କରିଥିଲେ। ତାଙ୍କ ପ୍ରଶିକ୍ଷଣରେ ଇଷ୍ଟବେଙ୍ଗଲ ଦଳ ୨୦୦୩ରେ ଏସିଆନ୍ କପ୍ରେ ସ୍ବର୍ଣ୍ଣ ବିଜେତା ହୋଇଥିଲା। ଭୌମିକ ମଧ୍ୟ ଇଷ୍ଟବେଙ୍ଗଲକୁ କ୍ରମାଗତ ଭାବେ ନ୍ୟାସ୍ନାଲ ଲିଗ୍ ଟ୍ରଫି ଭେଟି ଦେଇଥିଲେ। ପୁଣି ଚର୍ଚ୍ଚିଲ ବ୍ରଦର୍ସର ବୈଷୟିକ ନିର୍ଦେଶକ ପଦ ଅଳଂକୃତ କରି ସଫଳତା ଅର୍ଜନ କରିଥିଲେ। ଏତେ ସଫଳତା ଯୋଗୁଁ ତାଙ୍କୁ କୋଲ୍କାତା ମଇଦାନର ‘ଜୋସ୍ ମରିନୋ’ ଭାବେ ପରିଗଣିତ କରାଯାଉଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/a5d64g65a4g65gdagda.jpg)