ଜୟପୁର: ବୁଧବାର ଆଇପିଏଲ୍ର ପଞ୍ଚଦଶ ମ୍ୟାଚ୍ରେ କୋଲ୍କାତା ନାଇଟ୍ ରାଇଡର୍ସ ୭ ଓ୍ଵିକେଟ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଦେଲା। ରାଜସ୍ଥାନ ଛାଡ଼ିଥିବା ୧୬୧ ରନ୍ର ଲକ୍ଷ୍ୟକୁ କୋଲ୍କାତା ୭ ବଲ୍ ପୂର୍ବରୁ ୩ ଓ୍ଵିକେଟ୍ ବିନିମୟରେ ହାସଲ କରିନେଲା। ଏଥି ସହିତ ଦୀନେଶ କାର୍ତିକଙ୍କ ନାଇଟ୍ ରାଇଡର୍ସ ଦଳ ୫ ମ୍ୟାଚ୍ରୁ ତୃତୀୟ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ଲମ୍ଫ ଦେଇଥିଲା ବେଳେ ଆଜିଙ୍କ୍ୟ ରହାଣେଙ୍କ ରାଜସ୍ଥାନ ରୟାଲ୍ସ ୪ ମ୍ୟାଚ୍ରୁ ଦ୍ୱିତୀୟ ପରାଜୟ ସହ ପଞ୍ଚମ ସ୍ଥାନରେ ଅପରିବର୍ତିତ ରହିଲା। ନିଜର ପ୍ରଥମ ମ୍ୟାଚ୍ ହାରିବା ପରେ ଲଗାତାର ଦୁଇଟି ବିଜୟ ପାଇଥିବା ରାଜସ୍ଥାନ ରୟାଲ୍ସର ହ୍ୟାଟ୍ରିକ୍ ବିଜୟ ଆଶା ମଉଳିଗଲା। ପ୍ରଥମ ମ୍ୟାଚ୍ରେ ସନ୍ ରାଇଜର୍ସ ହାଇଦ୍ରାବାଦଠୁ ୯ ଓ୍ଵିକେଟ୍ରେ ହାରିବା ପରେ ରାଜସ୍ଥାନ ରୟାଲ୍ସ ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀକୁ ୧୦ ରନ୍ (ଡି/ଏଲ୍ ନିୟମ)ରେ ଏବଂ ତୃତୀୟ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୯ ରନ୍ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ କୋଲ୍କାତା ପ୍ରଥମ ମ୍ୟାଚ୍ରେ ବାଙ୍ଗାଲୋରକୁ ୪ ଓ୍ଵିକେଟ୍ ଏବଂ ଚତୁର୍ଥ ମ୍ୟାଚ୍ରେ ଦିଲ୍ଲୀକୁ ୭୧ ରନ୍ରେ ପରାସ୍ତ କରିଥିବା କୋଲ୍କାତା ଦ୍ୱିତୀୟ ମ୍ୟାଚ୍ରେ ଚେନ୍ନାଇଠୁ ଓ ତୃତୀୟ ମ୍ୟାଚ୍ରେ ହାଇଦ୍ରାବାଦଠୁ ସମାନ ୫ ଓ୍ଵିକେଟ୍ ବ୍ୟବଧାନରେ ହାରିଥିଲା।
ବୁଧବାର ରାଜସ୍ଥାନକୁ ୧୬୦ ରନ୍ରେ ସୀମିତ ରଖିବା ପରେ କୋଲ୍କାତା ୧୬୧ ରନ୍ର ଆହ୍ଵାନ ପାଇଥିଲା। ଜବାବରେ ୭ ବଲ୍ ପୂର୍ବରୁ ୩ ଓ୍ଵିକେଟ୍ ବିନିମୟରେ କୋଲ୍କାତା ବିଜୟ ହାସଲ କରିନେଲା। ସୁନୀଲ ନରିନ୍ ଆରମ୍ଭରୁ ଦ୍ରୁତ ରନ୍ କରି କୋଲ୍କାତା ବିଜୟ ସହଜ କରିଦେଇଥିଲେ। କ୍ରିସ୍ ଲିନ୍ (୦) ଖାତା ଖୋଲିବା ପୂର୍ବରୁ ଗୌତମଙ୍କ ଶିକାର ହୋଇଥିଲା ବେଳେ ନରିନ୍ ୨୫ ବଲ୍ରୁ ୫ ଚୌକା ଓ ୧ ଛକା ବଳରେ ୩୫ ରନ୍ କରି ରନ୍ ଆଉଟ୍ ହୋଇଯାଇଥିଲେ। ତେବେ ପାଭିଲିୟନ୍ ଫେରିବା ପୂର୍ବରୁ ଉଥପ୍ପାଙ୍କ ସହ ଦ୍ୱିତୀୟ ଓ୍ଵିକେଟ୍ରେ ସେ ୬୯ ରନ୍ ଯୋଡ଼ିଥିଲେ। ଏହାପରେ ଉଥପ୍ପା ୩୬ ବଲ୍ରୁ ୬ ଚୌକା ଓ ୨ ଛକା ଜରିଆରେ ୪୮ ରନ୍ କରିଥିଲା ବେଳେ ଗୌତମଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ୧୦୨ ରନ୍ରେ ତୃତୀୟ ଓ୍ଵିକେଟ୍ର ପତନ ଘଟିଥିଲା ବେଳେ ନୀତିଶ ରାଣା ଓ ଅଧିନାୟକ ଦୀନେଶ କାର୍ତିକ ପାଳି ଆଗେଇ ନେଇଥିଲେ। ଉଭୟେ ଚତୁର୍ଥ ଓ୍ଵିକେଟ୍ରେ ଅବିଭାଜିତ ୬୧ ରନ୍ ଯୋଡ଼ିବାରୁ କୋଲ୍କାତା ୧୮.୫ ଓଭରରେ ୧୬୩/୩ କରିନେଇଥିଲା। ରାଣା ୨୭ ବଲ୍ରୁ ୨ ଚୌକା ଓ ୧ ଛକା ଜରିଆରେ ୩୫ ଏବଂ କାର୍ତିକ ୨୩ ବଲ୍ରୁ ୨ ଲେଖାଏଁ ଛକା ଓ ଚୌକା ବଳରେ ୪୨ ରନ୍ କରି ଅପରାଜିତ ରହିଥିଲେ। ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ନୀତିଶ ରାଣା କ୍ରମାଗତ ଦ୍ୱିତୀୟ ଥର ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ରାଜସ୍ଥାନ ଦଳ ଭଲ ଆରମ୍ଭ କରିଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ବଡ଼ ସ୍କୋର୍ରୁ ବଞ୍ଚିତ ହୋଇଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅଧିନାୟକ ଅଜିଙ୍କ୍ୟ ରହାଣେ ଓ ସର୍ଟ ୬.୫ ଓଭରରେ ୫୪ ରନ୍ ଯୋଡ଼ିବା ପରେ ବିଚ୍ଛିନ୍ନ ହୋଇଥିଲେ। ରହାଣେ ୧୯ ବଲ୍ରୁ ୫ ଚୌକା ଓ ୧ ଛକା ସହାୟତାରେ ୩୬ ରନ୍ କରି ରାଣାଙ୍କ ଶିକାର ହୋଇଥିଲେ। ଏହାପରେ ପୂର୍ବ ଦୁଇଟି ମ୍ୟାଚ୍ର ସଫଳ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମ୍ସନ୍ କିନ୍ତୁ ନିରାଶ କରିଥିଲେ। ଶିବମ୍ ମାଭି ତାଙ୍କୁ ୭ ରନ୍ରେ ପାଭିଲିୟନ୍ ପଠାଇ ଦେଇଥିଲେ। ତୃତୀୟ ଓ୍ଵିକେଟ୍ରେ ରାହୁଲ୍ ତ୍ରିପାଠୀ (୧୫)ଙ୍କୁ ସାଥୀ କରି ସର୍ଟ ୩୬ ରନ୍ ଯୋଡ଼ିଥିଲା ବେଳେ ରାଣା ନିଜର ଦ୍ୱିତୀୟ ଓ୍ଵିକେଟ୍ ଭାବେ ସର୍ଟଙ୍କୁ ଶିକାର କରି ନେଇଥିଲେ। ଏହାପରେ ଆଉ ବଡ଼ ଭାଗିଦାରୀ କରିବାକୁ କୋଲ୍କାତା ବୋଲରମାନେ ଦେଇନଥିଲେ। ଇଂଲଣ୍ଡ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ତାଙ୍କର କମାଲ ଦେଖାଇ ପାରିନଥିଲେ। ତାଙ୍କୁ ୧୪ ରନ୍ରେ ପୀୟୂଷ ଚାଓ୍ଵଲା ଚକ୍ମା ଦେଇ ଆଉଟ୍ କରିଦେଇଥିଲା ବେଳେ ବଟ୍ଟଲର୍ ଏକା ସଂଘର୍ଷ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସେ ୧୮ ବଲ୍ରୁ ୨ ଚୌକା ଜରିଆରେ ୨୪ ରନ୍ କରିବା ସାଙ୍ଗକୁ ଦଳୀୟ ସ୍କୋର୍ ୧୫୦ ପାରି କରାଇଥିଲେ। କୃଷ୍ଣପା ଗୌତମ ୧୨ ରନ୍ କରିଥିଲେ ମଧ୍ୟ ଦଳ ୧୬୦/୮ରେ ଅଟକି ଯାଇଥିଲା। କୋଲ୍କାତା ନାଇଟ୍ ରାଇଡର୍ସ ପକ୍ଷରୁ ନୀତିଶ ରାଣା ଓ ଟମ୍ କୁରାନ୍ ୨ ଲେଖାଏଁ ଓ୍ଵିକେଟ୍ ଅକ୍ତିଆର କରିଥିଲା ବେଳେ ସୁନୀଲ ନରିନ୍ ୪ ଓଭରରେ ୪୮ ରନ୍ ବ୍ୟୟ କରି ଓ୍ଵିକେଟ୍ ଶୂନ୍ୟ ରହିଥିଲେ। ଆଇପିଏଲ୍ରେ ନରିନ୍ଙ୍କର ଏହା ମଧ୍ୟ ବ୍ୟୟବହୁଳ ବୋଲିଂ ଚିତ୍ର ଥିଲା। ପୀୟୂଷ ଚାଓ୍ଵଲା, କୁଲ୍ଦୀପ୍ ଯାଦବ ଓ ଶିବମ୍ ମାଭି ଗୋଟିଏ ଲେଖାଏଁ ଓ୍ଵିକେଟ୍ ପାଇଥିଲେ।
ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୬୦/୮ (ଡି’ଆର୍କି ସର୍ଟ ୪୪,ଅଜିଙ୍କ୍ୟ ରହାଣେ ୩୬, ଜୋସ୍ ବଟ୍ଟଲର୍ ୨୪*, ନୀତିଶ ରାଣା ୨/୧୧, ଟମ୍ କୁରାନ୍ ୨/୧୯)। କୋଲ୍କାତା ନାଇଟ୍ ରାଇଡର୍ସ ୧୮.୫ ଓଭରରେ ୧୬୩/୩ (ସୁନୀଲ ନରିନ୍ ୩୫, ରବିନ୍ ଉଥପ୍ପା ୪୮, ନୀତିଶ ରାଣା ୩୫*, ଦୀନେଶ କାର୍ତିକ ୪୨*, କୃଷ୍ଣପ୍ପା ଗୌତମ ୨/୨୩)।