ଆଇପିଏଲ: ହାଇଦ୍ରାବାଦକୁ ୫ ରନ୍‌ରେ ପରାସ୍ତ କଲା କୋଲକାତା

ହାଇଦ୍ରାବାଦ: ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୪୭ତମ ମ୍ୟାଚରେ ହାଇଦ୍ରାବାଦକୁ ୫ ରନ୍‌ରେ ପରାସ୍ତ କରିଛି କୋଲକାତା । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୭୨ ରନ୍‌ର ଲକ୍ଷ୍ୟକୁ ପିଛା କରି ସମସ୍ତ ଓଭରରେ ୮ ୱିକେଟ ହରାଇ ୧୬୬ ରନ୍ କରି ପରାସ୍ତ ହୋଇଛି । ହାଇଦ୍ରାବାଦ ପକ୍ଷରୁ ରାହୁଲ ତ୍ରିପାଠୀ ୨୦ ରନ୍‌ କରିଥିବା ବେଳେ ହେନ୍ରିଚ୍ କ୍ଲାସେନ୍ ୩୬ ରନ୍‌ କରିଥିଲେ । କ୍ୟାପ୍‌ଟେନ୍‌ ମାର୍କ୍ରାମଙ୍କ ୪୬ ରନ୍‌ କରିଥିଲେ ସୁଧା ହାଇଦ୍ରାବାଦକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଅନ୍ୟପଟେ କୋଲକାତା ପକ୍ଷରୁ ବିଭବ ଆରୋରା, ଶାର୍ଦ୍ଦୁଲ ଠାକୁର ୨-୨ ୱିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ, ଅନୁକୁଲ ରୟ, ଆଣ୍ଡ୍ରେ ରସେଲ, ହରସିତ୍‌ ରାଣା ୧-୧ ୱିକେଟ ନେଇ କୋଲକାତାକୁ ବିଜୟ ଦେଇଛନ୍ତି । ଏହି ବିଜୟ ସହ କୋଲକାତା ୮ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ୮ମ ସ୍ଥାନରେ ରହିଛି ।

ପ୍ରଥମ ପାଳିରେ କୋଲକାତା ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳ ଆରମ୍ଭରୁ କିଛି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଦଳ ମାତ୍ର ୩୫ ରନରେ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ନୀତୀଶ ରାଣା ଓ ରିଙ୍କୁ ସିଂ ଲଢୁଆ ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ନୀତୀଶ ୪୨ରନ ଓ ରିଙ୍କୁ ୪୬ରନ କରିଥିଲେ । ଏହି ଦୁଇଜଣ ଆଉଟ ହେବା ପରେ ଦଳ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କେବଳ ଆନ୍ଦ୍ରେ ରସେଲ ୨୪ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୭୧ରନ କରିଥିଲା ।

ହାଇଦ୍ରାବାଦ ପକ୍ଷରୁ ଟି.ନଟରାଜନ, ମାର୍କୋ ଜାନସେନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଭୁବନେଶ୍ବର, ଆଇଡେନ ମାର୍କରାମ, କାର୍ତ୍ତିକ ତ୍ୟାଗୀ ଓ ମୟଙ୍କ ମାର୍କଣ୍ଡେ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର