ପାଣ୍ଡ୍ୟା ପରାକ୍ରମ ସତ୍ତ୍ବେ ମୁମ୍ବାଇ ପରାସ୍ତ

କୋଲକାତା: ହାର୍ଦିକ ପାଣ୍ଡ୍ୟାଙ୍କ ଛକା ବର୍ଷା ସତ୍ତ୍ବେ ଆଇପିଏଲ୍‌ର ୪୭ତମ ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ୩୪ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ମୁମ୍ବାଇ ପଞ୍ଚମ ପରାଜୟ ବରଣ କରିଥିଲା ବେଳେ କୋଲକାତା ପଞ୍ଚମ ବିଜୟ ହାସଲ କରି ନିଜ ପ୍ଲେ ଅଫ୍ ପ୍ରବେଶ ଆଶାକୁ ଉଜ୍ଜୀବିତ ରଖିଛି। ରବିବାର ୨୩୩ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟର ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ୬ ଓଭରର ପାୱାର ପ୍ଲେ’ରେ ୨ ୱିକେଟ୍ ହରାଇ ମାତ୍ର ୪୧ ରନ୍ କରିବା ପରେ କୋଲକତା ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିଲା। ହାର୍ଦିକ ପାଣ୍ଡ୍ୟା (୯୧ ରନ୍, ୩୪ ବଲ୍, ୬ ଚୌକା, ୯ ଛକା) କିନ୍ତୁ ହାର ମାନି ନଥିଲେ। ୧୭ ବଲ୍‌ରେ ଅର୍ଧଶତକ ଅର୍ଜନ କରିବା ପରେ ଜବରଦସ୍ତ ବ୍ୟାଟିଂ କରି ସେ ଏକାକି ମୁମ୍ବାଇ ଆଶା ଉଜ୍ଜୀବିତ ରଖିଥିଲେ। ତେବେ ରନ୍ ହାର କ୍ଷିପ୍ର ଗତିରେ ବଢ଼ି ଚାଲିଥିବାରୁ ଏହାକୁ ନିୟନ୍ତ୍ରଣରେ ରଖିବା ପ୍ରୟାସରେ ଆଉଟ୍ ହୋଇଥିଲେ। ସେ ମଧ୍ୟ ଏକ ଚିତ୍ତାକର୍ଷକ ଶତକରୁ ବଞ୍ଚିତ ହୋଇଥିଲେ। ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟା ୨୪ ରନ୍‌ର ଯୋଗଦାନ ‌କରିଥିଲେ। ଭଲ ଭାଗିଦାରିର ଅଭାବ ମଧ୍ୟ ମୁମ୍ବାଇ ପରାଜୟର ଅନ୍ୟତମ କାରଣ ଥିଲା। ସେପଟେ କୋଲକାତା ଆଇପିଏଲ୍‌ ଇତିହାସରେ ୧୦୦ତମ ବିଜୟ ପୂରଣ କରିଥିଲା।

ପୂର୍ବରୁ ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେବା ମୁମ୍ବାଇ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। କୋଲକାତାର ପ୍ରଥମ ତିନି ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍ (୭୬ ରନ୍, ୪୫ ବଲ୍, ୬ ଚୌକା, ୪ ଛକା), କ୍ରିସ୍ ଲିନ୍ (୫୪ ରନ୍, ୨୯ ବଲ୍, ୮ ଚୌକା, ୨ ଛକା) ଓ ଆନ୍ଦ୍ରେ ରସେଲ (୮୦ ରନ୍, ୪୦ ବଲ୍, ୬ ଚୌକା, ୮ ଛକା)ଙ୍କୁ ଅଟକାଇବାକୁ ମୁମ୍ବାଇ ବୋଲିଂ ବାହିନୀ ସଂପୂର୍ଣ୍ଣ ବିଫଳ ହୋଇଥିଲା। ବିଶେଷ କରି ମଧ୍ୟକ୍ରମରୁ ଶୀର୍ଷଭାଗକୁ ପଦୋନ୍ନତି ପାଇଥିବା ରସେଲ ଧୂଆଁଧାର ବ୍ୟାଟିଂ କରିଥିଲେ। ଏହି ଦୁର୍ଦ୍ଧର୍ଷ କାରବୀୟ ବ୍ୟାଟ୍ସମ୍ୟାନ୍ ନିଜ ବିସ୍ଫୋରକ ପାଳିର ୭୨ ରନ୍ କେବଳ ଛକା ଚୌକାରୁ ଅମଳ କରିଥିଲେ। ତିନିଟି ଅର୍ଧଶତକ ସହ ଅଧିନାୟକ ଦୀନେଶ କାର୍ତିକ (୧୫* ରନ୍, ୭ ବଲ୍, ୧ ଚୌକା, ୧ ଛକା)ଙ୍କ ଦ୍ରୁତ ୧୫ ରନ୍ ବଳରେ କୋଲକାତା ନିର୍ଧାରିତ ୨୦ ଓଭରରେ ମାତ୍ର ୨ ୱି‌କେଟ୍ ହରାଇ ୨୩୨ ରନ୍ କରି ନେଇଥିଲା। ଯାହା ଚଳିତ ଋତୁର ସର୍ବୋଚ୍ଚ ଦଳଗତ ସ୍କୋର ହୋଇଥିଲା। ଦଳୀୟ ନିଷ୍ପତ୍ତିକୁ ରସେଲ୍‌ଙ୍କ ଖୋଲା ବିରୋଧ ପରେ ବ୍ୟାଟିଂକ୍ରମରେ ଅଦଳ ବଦଳ କରିବା କୋଲକାତା ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା। କୋଲକାତା ପ୍ରଥମ ୬ ଓଭରରୁ ୫୦ ରନ୍ କରିବା ପରେ ୧୦.୧ ଓଭରରେ ୧୦୦ ଏବଂ ୧୮.୨ ଓଭରରେ ୨୦୦ ଛୁଇଁଥିଲା। ଲସିଥ ମାଲିଙ୍ଗାଙ୍କ ଶେଷ ଓଭରରୁ ରସେଲ ୨୦ ରନ୍ ଅର୍ଜନ କରିଥିଲେ। ରସେଲ ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୨୩୨/୨ (ଆନ୍ଦ୍ରେ ରସେଲ ୮୦*, ଶୁଭମନ ଗିଲ ୭୬, କ୍ରିସ୍ ଲିନ୍ ୫୪, ଦୀନେଶ କାର୍ତିକ ୧୫*, ହାର୍ଦିକ ପାଣ୍ଡ୍ୟା ୧/୩୧, ରାହୁଲ ଚହର ୧/୫୪) ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୮/୭ (ହାର୍ଦିକ ପାଣ୍ଡ୍ୟା ୯୧, ସୂର୍ଯ୍ୟ କୁମାର ଯାଦବ ୨୬, କ୍ରୁନାଲ ପାଣ୍ଡ୍ୟା ୨୪, ଆନ୍ଦ୍ରେ ରସେଲ ୨/୨୫, ହାରି ଗୁର୍ନି ୨/୩୭, ସୁନୀଲ ନରିନ ୨/୪୪)।

ସମ୍ବନ୍ଧିତ ଖବର