କୋଲକାତା ତୃତୀୟ ଥର ବିଜେତା: ହାଇଦ୍ରାବାଦର ଶୋଚନୀୟ ପରାଜୟ

କୋହଲିଙ୍କୁ ନାରଙ୍ଗୀ, ହର୍ଷଲଙ୍କୁ ବାଇଗଣୀ ଟୋପି

ଚେନ୍ନାଇ: ପଶ୍ଚିମବଙ୍ଗ ଉପକୂଳରେ ଭୀଷଣ ବାତ୍ୟା ‘ରେମାଲ’ ତାଣ୍ଡବ କରୁଥିବା ବେଳେ ‌ଚେନ୍ନାଇ ଉପକୂଳରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ତୃତୀୟ ଥର ଆଇପିଏଲ୍‌ ଟ୍ରଫି ବିଜେତା ହୋଇ ଉତ୍ସବ ପାଳନ କରିଛି। ଗୌତମ ଗମ୍ଭୀରଙ୍କ ପ୍ରତ୍ୟାବର୍ତ୍ତନ ସହିତ କେକେ‌ଆର୍ ୧୦ ବ‌ର୍ଷ ପରେ ପୁଣି ଥରେ ଆଇପିଏଲ୍ ମୁକୁଟ ଜିତିବାର ଗୌରବ ଅର୍ଜନ କରିଛି। ରବିବାରର ଏହି ଏକପାଖିଆ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୧୧୩ ରନ୍‌ରେ ସୀମିତ ରଖିବା ପରେ କେକେଆର୍‌ ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିଯାଇଛି। ଚତୁର୍ଥ ଥର ପାଇଁ କେକେଆର୍‌ ଆଇପିଏଲ୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲା ବେଳେ ଗୌତମ ଗମ୍ଭୀରଙ୍କ ଉପସ୍ଥିତି ପୁଣି ଥରେ ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି। ପୂର୍ବରୁ ୨୦୧୨ ଓ ୨୦୧୪ରେ ଗମ୍ଭୀରଙ୍କ ନେତୃତ୍ବରେ କେକେଆର୍‌ ବିଜେତା ହୋଇଥିଲା ଏବଂ ୨୦୨୧ରେ ଉପବିଜେତାରେ ସନ୍ତୁଷ୍ଟ ଥିଲା। ଏଥର ରାଜନୀତି ଛାଡ଼ି କ୍ରିକେଟ୍‌ ପଡ଼ିଆକୁ ଫେରିଥିବା ଗମ୍ଭୀର ପୁଣି ଥରେ ନିଜ ସଫଳ ଯୋଜନାର ଛାପ ଛାଡ଼ିଛନ୍ତି।

ବିଜେତା କେକେଆର୍‌କୁ ଟ୍ରଫି ସହ ୨୦ କୋଟି ଓ ଉପବିଜେତା ହାଇଦ୍ରାବାଦ୍‌କୁ ୧୩ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। ସେହିପରି ଚଳିତ ସଂସ୍କରଣରେ ସର୍ବାଧିକ ରନ୍‌ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିରାଟ କୋହଲି (୧୫ମ୍ୟାଚ୍‌, ୭୪୧ ରନ୍‌) ନାରଙ୍ଗୀ ଟୋପି ଓ ସର୍ବାଧିକ ୱିକେଟ୍‌ ନେଇଥିବା ପଞ୍ଜାବ କିଙ୍ଗ୍ସର ହର୍ଷଲ ପଟେଲ୍‌ (୧୪ମ୍ୟାଚ୍, ୨୪ ୱିକେଟ୍‌) ବାଇଗଣୀ ଟୋପି ପାଇଛନ୍ତି। ଉଭୟଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିଛି।

ଫାଇନାଲ୍‌ରେ ହାଇଦ୍ରାବାଦ ପାଇଁ ସର୍ବାଧିକ ରନ୍‌ କରିଥିବା ଅଧିନାୟକ କମିନ୍ସ ବୋଲିଂରେ ମଧ୍ୟ ଦଳକୁ ପ୍ରଥମରୁ ଆଶା ଦେଇଥିଲେ। ବିସ୍ଫୋରକ ବ୍ୟାଟର୍‌ ଭାବେ ପରିଚିତ ସୁନୀଲ ନାରାୟଣଙ୍କୁ ଦ୍ବିତୀୟ ଓଭରରେ କମିନ୍ସ ଆଉଟ୍‌ କରିବାରୁ ହାଇଦ୍ରାବାଦ ଶିବିରରେ ଉତ୍ସାହ ଭରିଯାଇଥିଲା। କିନ୍ତୁ ରହମାନୁଲ୍ଲା ଗୁରବାଜ ଓ ଭେଙ୍କଟେଶ ଆୟର ଏସବୁ ଆଶାରେ ପାଣି ମଡ଼ାଇ ଦେଇଥିଲେ। ଉଭୟ ଦ୍ବିତୀୟ ୱିକେଟ୍‌ରେ ୪୫ ବଲ୍‌ରୁ ୯୧ ରନ୍‌ର ଭାଗୀଦାରି ଗଢ଼ି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। ଜିତିବାକୁ ଆଉ ୧୨ରନ୍‌ ଥିବା ବେଳେ ଗୁରବାଜଙ୍କୁ ଶାହବାଜ୍‌ ଅହମଦ ଏଲ୍‌ବିଡବ୍‌ଲ୍ୟୁ କରିଥିଲେ ମଧ୍ୟ କିଛି ଫରକ ପଡ଼ି ନଥିଲା। ଭେଙ୍କଟେଶ ଆୟର ଚୌକା ମାରି ୨୪ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିବା ସହ ଏହି ବିଜୟର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ। ଏଥି ସହିତ ଲିଗ୍ ପର୍ଯ୍ୟାୟରେ ଶୀର୍ଷ ସ୍ଥାନରେ ରହିଥିବା ଶ୍ରେୟସ ଆୟରଙ୍କ ଦଳ ଟ୍ରଫି ବିଜୟର ହକ୍‌ଦାର ବୋଲି ପ୍ରମାଣିତ କରିଥିଲା।

ସମ୍ବନ୍ଧିତ ଖବର