‌ଶେଷ ସ୍ଥାନ ଛାଡ଼ିଲା ରୟାଲ୍ସ, କୋଲ୍‌କାତାର ଲଗାତାର ଚତୁର୍ଥ ପରାଜୟ

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଶନିବାର ରାଜସ୍ଥାନ ରୟାଲ୍ସ ୨ ଥର ବିଜେତା କୋଲ୍‌କାତା ନାଇଟ୍ ରାଇଡର୍ସକୁ ୬ ୱିକେଟ୍‌ରେ ପରାସ୍ତ କରି ପରାଜୟ ଧାରା ଭାଙ୍ଗିଛି। ପଞ୍ଚମ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲ୍ ଶେଷ ସ୍ଥାନ ପରିତ୍ୟାଗ କରି ପଞ୍ଚମକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ କୋଲ୍‌କାତା ନାଇଟ୍ ରାଇଡର୍ସ ଲଗାତାର ଚତୁର୍ଥ ପରାଜୟ ବରଣ କରି ଚାପରେ ପଡ଼ିଛି। ଶନିବାର ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ କୋଲକାତା ୧୩୩/୯ରେ ସୀମିତ ରହିଥିଲା। ଜବାବରେ ପ୍ରଥମ ସୁଯୋଗ ପାଇଥିବା ଯଶସ୍ବୀ ଜୟସ୍ବାଲ୍ (୨୨, ୧୭ ବଲ୍) ଏବଂ ଶିଭମ ଦୁବେ (୨୨, ୧୮ ବଲ୍‌) ଭଲ ଆରମ୍ଭ ପାଇଥିଲେ ମଧ୍ୟ ଲମ୍ବା ଖେଳିପାରିନଥିଲେ। ତେବେ ଅଧିନାୟକ ସଞ୍ଜୁ ସାମସନ୍‌ (୪୨*, ୪୧ ବଲ୍‌) ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳି ଦଳକୁ ବିଜୟ ମୁହାଁ କରିଦେଇଥିଲେ। ‌‌ଡେଭିଡ୍ ମିଲର୍‌ (୨୪*, ୨୩ ବଲ୍‌) ବି ଭଲ ସହାୟତା କରିଥିଲେ। ରାଜସ୍ଥାନ ୭ ବଲ୍‌ ପୂର୍ବରୁ ୪ ୱିକେଟ୍ ହରାଇ ୧୩୪ ରନ୍‌ ସଂଗ୍ରହ କରି ନେଇଥିଲା। କ୍ରିସ୍‌ ମୋରିସ୍‌ ପ୍ରଶଂସନୀୟ ବୋଲିଂ (୪-୦-୨୩-୪) ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ମୋରିସ୍‌ଙ୍କ ବୋଲିଂ ବ‌ିସ୍ଫୋରଣ
ନିରାଶ କରି ଆସିଥିବା ୧୬.୨୫ କୋଟିର ‌ଖେଳାଳି ଦକ୍ଷିଣ ଅଫ୍ରିକା ଅଲ୍‌ରାଉଣ୍ଡର୍‌ କ୍ରିସ୍‌ ମୋରିସ୍‌ ଶନିବାର ବୋଲିଂ ବ‌ିସ୍ଫୋରଣ କରି ୪ ୱିକେଟ୍ ଦଖଲ କରିନେଇଥିଲେ। ଫଳରେ କୋଲକାତା ନାଇଟ୍‌ ରାଇଡର୍ସକୁ ରାଜସ୍ଥାନ ରୟାଲ୍ସ ୧୩୩/୯ରେ ସୀମିତ ରଖି ଦେଇଥିଲା।
ସଞ୍ଜୁ ସାମସନ୍‌ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲେ। କୋଲକାତାର ଅପରିବର୍ତ୍ତିତ ପ୍ରାରମ୍ଭିକ ଯୋ‌ଡ଼ି ନୀତୀଶ ରାଣା ଓ ଶୁଭମନ ଗିଲ୍‌ ସଞ୍ଜମତାର ସହ ବ୍ୟାଟିଂ କରିଥିଲେ। ପାୱାର ପ୍ଳେ ଭିତରେ ଶୁଭମନଙ୍କୁ ରନ୍‌ ଆଉଟ୍ ରୂପରେ ହରାଇ କୋଲକାତା ନାଇଟ୍ ରାଇଡର୍ସ ମାତ୍ର ୨୫ ରନ୍‌ କରିଥିଲା। ଏହା ପରେ କୋଲକାତାକୁ ରାଜସ୍ଥାନର ଦ୍ରୁତ ବୋଲରମାନେ ଚାପରେ ରଖିଥିଲେ। ୩ ବାମହାତୀ ଦ୍ରୁତ ବୋଲର ଚେତନ ସାକାରିୟ‌ା, ଜୟଦେବ ଉଦାଦକଟ୍‌ ଏବଂ ମୁସ୍ତାଫିଜୁର ରହମାନ ପ୍ରଭାବ ବିସ୍ତାର କରିଥିଲେ।

ଏହି ତିନି ଜଣ ସେମାନଙ୍କ ମିଳିତ ୧୨ ଓଭରରେ ମାତ୍ର ୭୮ ରନ୍‌ ଦେଇଥିଲେ। ନୀତୀଶ ରାଣାଙ୍କୁ ସାକାରିଆ, ରାହୁଲ ତ୍ରିପାଠୀଙ୍କୁ ମୁସ୍ତାଫିଜୁର ଏବଂ ସୁନିଲ ନାରାୟଣଙ୍କୁ ଉନାଦକଟ୍ ଶିକାର ବନାଇବା ପରେ ଡେଥ୍‌ ଓଭର ବେଳକୁ କ୍ରିସ୍ ମୋରିସ୍‌ଙ୍କ କମାଲ୍ ଦେଖିବାକୁ ମିଳିଥିଲା। ରାହୁଲ ତ୍ରିପାଠୀ ୨୬ ବଲ୍‌ରୁ ୩୬ ରନ୍‌, ଦୀନେଶ କାର୍ତିକ ୨୪ ବଲ୍‌ରୁ ୨୫ ରନ୍‌ କରିଥିଲେ। ମୋରିସଙ୍କ ପ୍ରଭାବ କାରଣରୁ କୋଲକାତା ଶେଷ ୫ ଓଭରରେ ୫ ୱିକେଟ୍‌ ହରାଇବାରୁ ସମ୍ଭାବ୍ୟ ୧୫୦ ରନ୍‌ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲା। କୋଲ୍‌କାତାର ତିନି ବିପଜ୍ଜନକ ବ୍ୟାଟ୍ସମ୍ୟାନ୍‌ ଦୀନେଶ କାର୍ତିକ, ଆନ୍ଦ୍ରେ ରସେଲ, ପ୍ୟାଟ୍ କମିନ୍ସଙ୍କ ସହିତ ଶିବମ ମାଭିଙ୍କ ୱିକେଟ୍ ନେଇ ମୋରିସ୍‌ ୪-୦-୨୩-୪ ବୋଲିଂ ଚିତ୍ର ପାଇଥିଲେ।

ସମ୍ବନ୍ଧିତ ଖବର